ଓଡ଼ିଆ କହୁଥିବା ଲୋକସଂଖ୍ୟା କମୁଛି

ନୂଆଦିଲ୍ଲୀ: ଦେଶରେ ହିନ୍ଦୀକୁ ଛାଡ଼ିଦେଲେ ଅନ୍ୟ ଭାଷାରେ କଥାବାର୍ତା କରୁଥିବା ଲୋକମାନଙ୍କ ସଂଖ୍ୟା କମିବାର ଲାଗିଛି। ଏଥିରେ ଓଡ଼ିଆ ଭାଷା ମଧ୍ୟ ରହିଛି। ୧୯୭୧ରୁ ୨୦୧୧ ପର୍ଯ୍ୟନ୍ତ ଜନଗଣନା ରିପୋର୍ଟରୁ ଏଭଳି ସୂଚନା ମିଳିଛି। ୧୯୭୧ ଜନଗଣନା ରିପୋର୍ଟ ଅନୁସାରେ ଦେଶର ମୋଟ ଲୋକସଂଖ୍ୟା ମଧ୍ୟରୁ ୩.୬୨% ଲୋକ ଓଡ଼ିଆରେ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଏହା ପରଠାରୁ ଓଡ଼ିଆ ଭାଷାଭାଷୀ ଲୋକ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୧୯୭୧ରେ ଦେଶର ୩.୬୨% ଲୋକ ଓଡ଼ିଆରେ କଥା ହେଉଥିଲା ବେଳେ ୧୯୮୧ରେ ୩.୪୬%, ୧୯୯୧ରେ ୩.୩୫%, ୨୦୦୧ରେ ୩.୨୧% ଏବଂ ୨୦୧୧ରେ ୩.୧୦% ଲୋକ ଓଡ଼ିଆରେ କଥା ହେଉଛନ୍ତି। ଏହି ସଂଖ୍ୟାକୁ ଦେଖିଲେ ଓଡ଼ିଆ ଭାଷାଭାଷୀ ଲୋକସଂଖ୍ୟା ବର୍ଷକୁ ବର୍ଷ ହ୍ରାସ ପାଉଛି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିପାରେ ବୋଲି ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ରାଷ୍ଟ୍ରଭାଷା ହିନ୍ଦୀ ଭାଷାଭାଷୀ ଲୋକସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୧୯୭୧ରେ ଦେଶର ମୋଟ ଜନସଂଖ୍ୟା ମଧ୍ୟରୁ ୩୬.୯୯% ଲୋକ ହିନ୍ଦୀରେ କଥା ହେଉଥିଲା ବେଳେ ୧୯୮୧ରେ ୩୮.୭୪%, ୧୯୯୧ରେ ୩୯.୨୯%, ୨୦୦୧ରେ ୪୧.୦୩% ଓ ୨୦୧୧ରେ ୪୩.୬୩% ଲୋକ ହିନ୍ଦୀରେ କଥା ହେଉଛନ୍ତି। ତେବେ ହିନ୍ଦୀକୁ ଛାଡ଼ିଦେଲେ ଅନ୍ୟ ଭାଷାଭାଷୀ ଲୋକସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ୨୦୦୧ରୁ ୨୦୧୧ ମଧ୍ୟରେ ହିନ୍ଦୀ କହୁଥିବା ଲୋକସଂଖ୍ୟା ୧୦ କୋଟିରୁ ଅଧିକ ବଢ଼ିଛି। ଏହା ପଛକୁ ବଙ୍ଗଳା ଭାଷା ରହିଛି। ୨୦୦୧ ତୁଳନାରେ ୨୦୧୧ ଜନଗଣନା କ୍ଷେତ୍ରରେ ବଙ୍ଗଳା ଭାଷା କହୁଥିବା ଲୋକସଂଖ୍ୟା ୧.୧୦ କୋଟି ବୃଦ୍ଧି ପାଇଛି। ୧୯୭୧ରେ ଦେଶର ମୋଟ ଜନସଂଖ୍ୟାର ୮.୧୭% ଲୋକ ବଙ୍ଗଳାରେ କଥା ହେଉଥିଲା ବେଳେ ୧୯୮୧ରେ ୭.୭୧%, ୧୯୯୧ରେ ୮.୩୦%, ୨୦୦୧ରେ ୮.୧୧% ଓ ୨୦୧୧ରେ ୮.୦୩% ଲୋକ ଏହି ଭାଷାରେ କଥା ହେଉଥିଲେ।

ସମ୍ବନ୍ଧିତ ଖବର