ଦଙ୍ଗା କମୁଛି; ଅଥଚ ଭୟଙ୍କର ହେଉଛି, ଦେଶରେ ଦିନକୁ ୧୬୧ଟି ଦଙ୍ଗା

ନୂଆଦିଲ୍ଲୀ: ଭାରତରେ ଦଙ୍ଗା କମୁଛି କିନ୍ତୁ ଦଙ୍ଗାର ରୂପ ପୂର୍ବାପେକ୍ଷା ଅଧିକରୁ ଅଧିକ ଭୟଙ୍କର ହେଉଛି। ଏନ୍‌ସିଆର୍‌ବି ଦ୍ବାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ୨୦୧୭ ବର୍ଷରେ ୫୮,୮୮୦ ଦଙ୍ଗା ହୋଇଥିବାବେଳେ ଦଙ୍ଗା ପୀଡ଼ିତଙ୍କ ସଂଖ୍ୟା ୯୦,୩୯୪ ରହିଛି। ତେବେ ୨୦୧୬ ମସିହା ତୁଳନା‌ରେ ୨୦୧୭ରେ ଦଙ୍ଗା କମିଥିଲେ ମଧ୍ୟ ଏହାର ରୂପ ପୂର୍ବାପେକ୍ଷା‌ ଅଧିକ ଭୟଙ୍କର ହୋଇଛି। ୨୦୧୬ରେ ଦେଶରେ ୬୧,୯୭୪ ଦଙ୍ଗା ମାମଲା ଥିଲା ଏବଂ ଦଙ୍ଗା ପୀଡ଼ିତଙ୍କ ସଂଖ୍ୟା ୭୩,୭୪୪ ଥିଲା। ୨୦୧୭ରେ ଦେଶରେ ପ୍ରତିଦିନ ହାରାହାରି ୧୬୧ ଦଙ୍ଗା ହୋଇଛି ଏବଂ ୨୪୭ ଜଣ ପୀଡ଼ିତ ହୋଇଛନ୍ତି ବୋଲି ରିପୋର୍ଟରୁ ଜଣାପଡ଼ିଛି। କେବଳ ସାମ୍ପ୍ରଦାୟିକ ଦଙ୍ଗା ନୁହେଁ, ଜମି, ସମ୍ପତ୍ତି ବିବାଦ, ଜାତି ବିବାଦ, ରାଜନୈତିକ କାରଣ ଏବଂ ଛାତ୍ର ଆନ୍ଦୋଳନ ଜନିତ ଦଙ୍ଗା ମଧ୍ୟ ବୃଦ୍ଧି ପାଉଛି। ବିହାରକୁ ଭାରତର ଦଙ୍ଗା ରାଜଧାନୀ ଭାବେ ବିବେଚନା କରାଯାଇଛି। ୨୦୧୭ରେ ବିହାରରେ ୧୧,୬୯୮ ଦଙ୍ଗା ମାମଲା ସହ ଏହା ଭାରତର ଦଙ୍ଗା ରାଜଧାନୀ ବିବେଚିତ ହୋଇଛି। ଏହା ପଛକୁ ଉତ୍ତରପ୍ରଦେଶରେ ୮,୯୯୦ ଦଙ୍ଗା ମାମଲା, ମହାରାଷ୍ଟ୍ରରେ ୭,୭୪୩ ମାମଲା ରହିଛି। ୨୦୧୬ରେ ମଧ୍ୟ ବିହାରରେ ସର୍ବାଧିକ ଦଙ୍ଗା ମାମଲା ଥିଲା। ତେବେ ବିହାର‌ରେ ଦଙ୍ଗା ମାମଲା ସର୍ବାଧିକ ଥିବାବେଳେ ତାମିଲନାଡ଼ୁରେ ଦଙ୍ଗା ପୀଡ଼ିତଙ୍କ ସଂଖ୍ୟା ସର୍ବାଧିକ ରହିଛି। ୨୦୧୭ରେ ତାମିଲନାଡ଼ୁରେ ୧୯୩୫ ଦଙ୍ଗା ମାମଲା ଥିଲା କିନ୍ତୁ ଏଠାରେ ଦଙ୍ଗା ପୀଡ଼ିତଙ୍କ ସଂଖ୍ୟା ୧୮,୭୪୯ ଥିଲା। ଏହାର ଅର୍ଥ ବିହାର ଅପେକ୍ଷା ତାମିଲନାଡ଼ୁରେ ଦଙ୍ଗାର ରୂପ ଅଧିକ ଭୟଙ୍କର ହେଉଛି।

ସମ୍ବନ୍ଧିତ ଖବର