କୀଟନାଶକ ଶୁଙ୍ଘି ମହାରାଷ୍ଟ୍ରରେ ୧୮ କୃଷକ ମୃତ; ୪୦୦ ଡାକ୍ତରଖାନାରେ

ନାଗପୁର: ଗତ ଅଳ୍ପ କିଛି ସପ୍ତାହ ହେବ ଯବାତମଲ ଜିଲ୍ଲାରେ ଫସଲରେ କୀଟନାଶକ ଔଷଧ ସିଞ୍ଚନବେଳେ ତାହା ଆଘ୍ରାଣ କରି ପକାଇବା କାରଣରୁ ମୃତ୍ୟୁ ବରଣ କରିଥିବା କୃଷକ ଏବଂ ଶ୍ରମିକମାନଙ୍କ ନିକଟତମ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଦେବାକୁ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଘୋଷଣା କରିଛନ୍ତି। ଗୃହ ବିଭାଗର ସହକାରୀ ମୁଖ୍ୟ ସଚିବଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ତଦନ୍ତ କରିବାକୁ ଆଦେଶ ଦିଆଯାଇଛି।

ଜିଲ୍ଲାର ମୁଖ୍ୟ ଫସଲ କପା ପାଇଁ ବ୍ୟବହୃତ ପ୍ରୋଫେଫୋନସ୍‌ ନାମକ କୀଟନାଶକ ଆଘ୍ରାଣ କରି ୧୮ ଜଣ କୃଷକଙ୍କର ମୃତୁ୍ୟୁ ହୋଇଛି। ସର୍ବାଧିକ ଚାଷୀ ଆତ୍ମହତ୍ୟା ନିମନ୍ତେ ମଧ୍ୟ ଏହି ଜିଲ୍ଲା କୁଖ୍ୟାତ। ସରକାର କୀଟନାଶକର ନିରାପଦ ବ୍ୟବହାର ନିମନ୍ତେ ଏକ ସଚେତନତା ଅଭିଯାନ ଚଳାଇବା ସହ ମାଗଣାରେ ମୁଖା ବଣ୍ଟନ କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
୧୮ ଜଣଙ୍କ ମୃତ୍ୟୁ ହେବା ଛଡ଼ା କୀଟନାଶକ ଆଘ୍ରାଣ କରି ୪୬୭ ଅସୁସ୍ଥ ଲୋକଙ୍କୁ ସରକାରୀ ଡାକ୍ତରଖାନାମାନଙ୍କରେ ଦାଖଲ କରାଯାଇଛି। ସାଧାରଣ ଭାବେ ଏହି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା ସ୍ୱଳ୍ପ ହୋଇ ନ ଥିବାରୁ ଏ ପ୍ରସଙ୍ଗ ପ୍ରଶାସନକୁ ଅବଗତ କରାଇ ଦିଆଯାଇଛି। କିନ୍ତୁ, ମୃତ୍ୟୁ ହାର ଉଲ୍ଲେଖଯୋଗ୍ୟ ସଂଖ୍ୟକ ନ ହେବା ଯାଏଁ ଯବତମଲରେ କାହା ତରଫରୁ କୌଣସି ଉଦ୍‌ବେଗ ପ୍ରକାଶ ପାଇ ନ ଥିଲା।

କିନ୍ତୁ, କିଛି କୃଷକ ସଙ୍ଗଠନ ଏବଂ କେତେକ ପୀଡ଼ିତଙ୍କ ପରିବାରର ସଦସ୍ୟ କହୁଛନ୍ତି କି, ନିକଟ ଅତୀତରେ ମୁମ୍ବାଇରେ ଘଟିଯାଇଥିବା ଦଳାଚକଟା ଜନିତ ମୃତ୍ୟୁ ନିମନ୍ତେ ଦିଆ ଯାଇଥିବା ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ତୁଳନାରେ ଏ କ୍ଷେତ୍ରରେ ଘୋଷଣା କରାଯାଇଥିବା ଅନୁକମ୍ପା ରାଶି ଅତି ସ୍ୱଳ୍ପ ହୋଇଗଲା।

ଜିଲ୍ଲାର କଲମ୍ବ ତହସିଲ୍‌ର ଦଳେ ଗ୍ରାମବାସୀ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଦାବି କରି ଜିଲ୍ଲାପାଳଙ୍କୁ ମଙ୍ଗଳବାର ଦିନ ଏକ ସ୍ମାରକ ପତ୍ର ଦେଇଛନ୍ତି। ମୁମ୍ବାଇ ଏବଂ ଯବତମଲରେ ମରିଥିବା ଲୋକଙ୍କ ମଧ୍ୟରେ ସରକାର କାହିଁକି ପାତର ଅନ୍ତର କଲେ? ଜୀବୀକାର୍ଜନ ନିମନ୍ତେ କାମ କରି ଏଠାରେ ଲୋକେ ପ୍ରାଣ ହରାଇଲେ ବୋଲି କହନ୍ତି ଜିଲ୍ଲାର ଜଳକା ଗାଁ’ର ନୀତିନ ଖାଡ୍‌ସେ। ସରକାରୀ ଡାକ୍ତରଖାନା କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, କୃଷି ବିଭାଗ କିଂବା ଚାଷୀ ଅଧିକାର କର୍ମୀ କେହି ଏ ଘଟଣାକୁ ରିପୋର୍ଟ କରି ନାହାନ୍ତି।

ଏ ଘଟଣାକୁ କାହିଁକି ଗୋପନ ରଖା ଯାଇଥିଲା ସେ ସଂକ୍ରାନ୍ତରେ ଏକ ଏସିଏସ୍‌ ତଦନ୍ତ କରାଯିବ। ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିଲା ଏବଂ ଡାକ୍ତରଖାନାରେ ଏଥି ଯୋଗୁଁ ଅସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏ ବାବଦରେ ଉଚ୍ଚସ୍ତରୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇ ନ ଥିଲା। ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ହିଁ ଏ ପ୍ରସଙ୍ଗ ଆଲୋଚ୍ୟ ବିଷୟ ପାଲଟିଛି। ପ୍ରୋଫେଫୋନସ୍‌ ସିଞ୍ଚନବେଳେ ଶ୍ୱାସକ୍ରିୟାରେ ତାହାକୁ ଆଘ୍ରାଣ କରି ଅସୁସ୍ଥ ହୋଇପଡ଼ିଥିବା ଲୋକେ ଏବେ ବିଭିନ୍ନ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର