ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍‌ ଡ୍ୟୁଟିକୁ କମାଇବାର ସମ୍ଭାବନା ନାହିଁ: ଅର୍ଥ ମନ୍ତ୍ରାଳୟ

କ୍ଷମତାକୁ ଆସିବା ପରେ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍‌ ଡ୍ୟୁଟିରେ କରିଛନ୍ତି ୯ଗୁଣା ବୃଦ୍ଧି 

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି; ଏବଂ ଆଗାମୀ ଦିନମାନଙ୍କରେ ଏଥିରେ ହ୍ରାସ ଘଟିବା ପରିବର୍ତ୍ତେ ଅଧିକ ବୃଦ୍ଧି ଘଟିବାର ସମ୍ଭାବନା ଦେଖାଦେଇଛି। ଆଜି ସକାଳ ଛଅଟାରେ ପେଟ୍ରୋଲ ଓ ଡିଜେଲର ଦରରେ ଘଟିଥିବା ବୃଦ୍ଧି ପରେ ମୁମ୍ବାଇରେ ଆଜ ଲିଟର ପ୍ରତି ପେଟ୍ରୋଲ ଦର ୮୨ ଟଙ୍କା ୪୮ ପଇସାରେ ପହଞ୍ଚିଥିବା ବେଳେ ଲିଟର ପ୍ରତି ଡିଜେଲର ମୂଲ୍ୟ ୭୦ ଟଙ୍କା ୨୦ ପଇସା। ୨୦୧୩ ସେପ୍ଟେମ୍ବର ମାସ ପରଠାରୁ ଏହା ପେଟ୍ରୋଲ ଓ ଡିଜେଲର ଦରରେ ସର୍ବାଧିକ ଓ ସର୍ବକାଳୀନ ବୃଦ୍ଧି ଥିବା ଜାଣିବାକୁ ମିଳିଛି।

ତେବେ, ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ୨୦୧୩ ସେପ୍ଟେମ୍ବର ମାସରେ ଭାରତ ବିଦେଶରୁ ଅଶୋଧିତ ତୈଳ ବ୍ୟାରେଲ ପ୍ରତି ୧୧୦ ଡଲାର ବିନିମୟରେ ଆମଦାନୀ କରୁଥିବା ବେଳେ ଆଜିକା ତାରିଖରେ ବ୍ୟାରେଲ ପ୍ରତି ମାତ୍ର ୭୫ ଡଲାର ବିନିମୟରେ ଆମଦାନୀ କରୁଛନ୍ତି। ତଥାପି, ଦେଶରେ ପେଟ୍ରୋଲ ଓ ଡିଜେଲର ଦର ଆକାଶ ଛୁଆଁ ଭାବେ ପ୍ରତିଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ପରେ ତୈଳ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ଖାଉଟିମାନଙ୍କୁ ଆଶ୍ୱାସନା ଦେବାକୁ ଯାଇ ପ୍ରତିଶ୍ରୁତି ଦେଉଛନ୍ତି ଯେ ଖାଉଟିମାନଙ୍କୁ କିଛିଟା ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଏବେ ପେଟ୍ରୋଲ ଓ ଡିଜେଲ ଉପରେ ନେଉଥିବା ଏକ୍ସାଇଜ୍‌ ଡ୍ୟୁଟିକୁ କମାଇବାକୁ ଚିନ୍ତା କରୁଛନ୍ତି ଓ ଏଦିଗରେ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବାକୁ ଯାଉଛନ୍ତି। ତେବେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆଜି ସ୍ପଷ୍ଟ କରିଦେଇଛି ଯେ ପେଟ୍ରୋଲ ଓ ଡିଜେଲ ଉପରେ ନିଆ ଯାଉଥିବା ଏକ୍ସାଇଜ୍‌ ଡ୍ୟୁଟିକୁ କମାଇବାର ଆଶା ବହୁତ କ୍ଷୀଣ ଅଥବା ଜମା ନାହିଁ। ଅର୍ଥ ମନ୍ତ୍ରାଳୟ ସଚିବ ହସମୁଖ ଆଧିଆ ଆଜି ଗଣମାଧ୍ୟମକୁ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ଏ ସଂପର୍କରେ ଚିନ୍ତା କରାଯାଇ ନାହିଁ। ଯଦି ଏସଂପର୍କରେ ଆମେ କେବେ ଆଲୋଚନା କରୁ ବା ସମୀକ୍ଷା କରୁ, ତେବେ ଆଗେ ଗଣମାଧ୍ୟମକୁ ଜଣାଇବୁ।’ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ପେଟ୍ରୋଲ ଓ ଡିଜେଲ ଉପରେ ନିଆ ଯାଉଥିବା ଏକ୍ସାଇଜ୍‌ ଡ୍ୟୁଟିକୁ ୯ଗୁଣା ବୃଦ୍ଧି କରିଛନ୍ତି। କେବଳ ମାତ୍ର ଥରକ ପାଇଁ ଥରକ ପାଇଁ ଗତ ବର୍ଷ ଅକ୍ଟୋବରରେ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲ ଉପରେ ନେଉଥିବା ଟକସରେ ୨ ଟଙ୍କା ହ୍ରାସ ଘଟାଇଥିଲେ।

ସମ୍ବନ୍ଧିତ ଖବର