ପାକିସ୍ତାନର ଆଉ ଏକ ଯାତ୍ରୀବାହୀ ବିମାନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା

ଇସ୍ଲାମାବାଦ : ପାକିସ୍ତାନ ଇଣ୍ଟରନାସନାଲ ଏୟାରଲାଇନ୍ସ (ପିଆଇଏ)ର ଏକ ବିମାନ ଆଜି କରାଚୀଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଆଉ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ।

ପିଆଇଏର ଏକ ବିମାନ ଗିଲଗିଟ ଏୟାରପୋର୍ଟରେ ଓହ୍ଲାଉଥିବାବେଳେ ରନେଓ୍ୱରୁ ଖସିଯାଇଥିଲା । ତେବେ ପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଏକ ବଡ଼ଧରଣର ଦୁର୍ଘଟଣାକୁ ଏଡ଼ାଇଦେଇଥିଲେ । ତେବେ ବିମାନଟି ଗୋଟିଏ ପଟକୁ ଢଳି ଅଟକି ରହିଛି । ଏହି ଘଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନଥିବା ପିଆଇଏର ମୁଖପାତ୍ର ମାସୁଦ ତାଜାଓ୍ୱାର କହିଛନ୍ତି ।

ପିଆଇଏର ଏହି ବିମାନ ପିକେ-୬୦୫ ଟି ଇସ୍ଲାମାବାଦରୁ ଗିଲଗିଟକୁ ଯାଉଥିଲା । ଏଥିରେ ବିମାନ କର୍ମଚାରୀଙ୍କ ମିଶାଇ ମୋଟ ୫୩ ଜଣ ଯାତ୍ରୀ ଥିଲେ । ଏହି ଘଟଣା ଘଟିବା ପରେ ଗିଲଗିଟ ଏୟାରପୋର୍ଟର ରନେଓ୍ୱକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା । ତେବେ ଏବେ ତାହାକୁ ଖୋଲିଦିଆଯାଇଥିବା ଖବର ମିଳିଛି । ପିଆଇଏ ସିଇଓ ଅରସାଦ ମଲ୍ଲିକ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ପାଇଲଟଙ୍କ ତ୍ରୁଟି ଜଣାପଡ଼ିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ଆଜି କରାଚୀଠାରେ ପିଆଇଏର ଏକ ବିମାନ ଆବାସିକ ଅଞ୍ଚଳ ଉପରେ ଖସିପଡ଼ିଥିଲା । ଏହି ବିମାନରେ ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ସର୍ବମୋଟ ୧୦୭ ଜଣ ଥିଲେ ବୋଲି ପାକିସ୍ତାନର ଗଣମାଧ୍ୟମ ସୂତ୍ରରୁ ଜାଣିବାକୁ ମିଳିଛି ।

ସମ୍ବନ୍ଧିତ ଖବର