ଅବତରଣର ଅବ୍ୟବହିତ ପୂର୍ବରୁ ଜନବସତି ଉପରେ ଖସି ପଡ଼ିଲା ପାକ୍‌ ବିମାନ; ବିମାନରେ ଥିଲେ ୧୦୭ ଯାତ୍ରୀ; ଦୁର୍ଘଟଣାର କାରଣ ଅସ୍ପଷ୍ଟ

କରାଚି/ ଇସ୍‌ଲାମାବାଦ: ପାକିସ୍ତାନରେ ଆଜି ଅପରାହ୍ଣରେ ଘଟି ଯାଇଛି ଏକ ଭୟାବହ, ମର୍ମନ୍ତୁଦ ବିମାନ ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ବିମାନରେ ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ମିଶାଇ ସର୍ବମୋଟ ୧୦୭ ଜଣ ଥିଲେ ବୋଲି ପାକିସ୍ତାନର ଗଣମାଧ୍ୟମ ସୂତ୍ରରୁ ଜାଣିବାକୁ ମିଳିଛି। ଆକାଶମାର୍ଗରେ ଥାଇ ଅବତରଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କୌଣସି କାରଣରୁ ବିମାନଟିରେ ନିଆଁ ଲାଗି ଯାଇଥିଲା ଓ ଜଳନ୍ତା ଅବସ୍ଥାରେ ପ୍ରଚଣ୍ଡ ଶବ୍ଦ କରି ପୂରା ବିମାନଟି ଏକ ଜନବହୁଳ ଜନବସତି ଉପରେ ଖସି ପଡ଼ିଥିଲା। ଫଳରେ ଜନବସତିର ବହୁ ସାଧାରଣ ଜନତା ମଧ୍ୟ ଏହି ବିମାନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜାଣିବାକୁ ମିଳିଛି।
ଦୁର୍ଘଟଣା ପରେ ପାକ୍‌ ସରକାର ପୂରା କରାଚିରେ ଇମର୍ଜେନ୍ସି ଘୋଷଣା କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵିତ କରିବାକୁ ସେନାର କୁଇକ୍‌ ରେସ୍‌ପନ୍ସ ଟିମ୍‌କୁ ଘଟଣା ସ୍ଥଳକୁ ପଠାଇବା ସହ ସମସ୍ତ ଆହତଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କରାଚିର ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣା ପରେ ସମଗ୍ର କାରଚିରେ ଏକ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ପିକେ-୮୩୦୩ ନମ୍ବର ବିଶିଷ୍ଟ ଏ-୩୨୦ ଏୟାରବସ୍‌ଟି ୯୯ ଜଣ ଯାତ୍ରୀ ଓ ୮ ଜଣ କ୍ର୍ୟୁ ସଦସ୍ୟଙ୍କୁ ଧରି ଅପରାହ୍ଣ ୧ଟା ସମୟରେ ଲାହୋର ବିମାନ ବନ୍ଦରରୁ କରାଚି ଅଭିମୁଖେ ଉଡ଼ାଣ ଭରିଥିଲା। ଲାହୋରରୁ କରାଚି ୧୦୨୦ କିଲୋମଟର ହୋଇଥିବା ବେଳେ ବିମାନରେ ୨ଘଣ୍ଟା ସମୟ ଲାଗିଥାଏ। ତେବେ, ୨ଟା ୪୫ ମିନିଟ ସମୟରେ ବିମାନଟି କରାଚିର ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ପହଞ୍ଚିଯିିବା ପରେ ଅବତରଣ ପାଇଁ (ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ) ଏଟିସିକୁ ଅନୁମତି ମାଗିଥିଲା। କିନ୍ତୁ, ସେ ସମୟରେ ଅବତରଣ ପାଇଁ କୌଣସି ରନ୍‌େଓ୍ଵ ଖାଲି ନଥିବାରୁ ଆକାଶରେ ଆଉ କିଛି ସମୟ ପାଇଁ ଚକ୍କର କାଟିବାକୁ ବିମାନର ପାଇଲଟଙ୍କୁ ନିର୍ଦ୍ଦେଶ ଦେଇଥିଲା ଏଟିସି।
ଏଟିସିର ନିର୍ଦ୍ଦେଶ ମୁତାବକ ବିମାନର ପାଇଲଟ ବିମାନଟିକୁ କରାଚି ସହର ଉପରକୁ ବୁଲାଇ ନେଇ ଆକାଶରେ ଚକ୍କର କାଟୁଥିବା ବେଳେ ବିମାନଟିରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ପରେ, ଜଳନ୍ତା ଅବସ୍ଥାରେ ବିମାନଟି କରାଚିର ଜିନ୍ନା ଗାର୍ଡେନ ନିକଟବର୍ତ୍ତୀ ମିଲାରର ମଡେଲ କଲୋନିର ଜନବସତି ଉପରେ ପ୍ରଚଣ୍ଡ ଶବ୍ଦ କରି ଖସି ପଡ଼ିଥିଲା। ଜଳନ୍ତା ବିମାନଟି ଖଣ୍ଡ ଖଣ୍ଡ ହୋଇ ଜନବସତି ଉପରେ ଖସିପଡ଼ିବା ଫଳରେ ଜନବସତି ଅଞ୍ଚଳରେ ରହିଥିବା ଘରଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଓ ସେହି ଅଞ୍ଚଳର ବହୁ ସାଧାରଣ ଜନତା ମଧ୍ୟ ଏହି ଦୁର୍ଘଟଣାରେ ଗୁରୁତର ହୋଇଥିଲେ।
ବିମାନ ଦୁର୍ଘଟଣାର କାରଣ ଜଣାପଡ଼ି ନଥିବାବେଳେ ଏ ସଂପର୍କରେ କୌଣସି ମତାମତ ଦେବା ଠିକ୍‌ ହେବ ନାହିଁ ବୋଲି କହିଛନ୍ତି ପାକ୍‌ ସରକାରଙ୍କର ଜନୈକ ବରିଷ୍ଠ ଅଧିକାରୀ। ଦୁର୍ଘଟଣାର ତଦନ୍ତ ପରେ ହିଁ ପ୍ରକ୍ୟତ କାରଣ ସଂପର୍କରେ ଜଣା ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର