୯ ମିନିଟ ପାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ ପ୍ରସଙ୍ଗରେ ଚାଲିଥିବା ଗୁଜବ ଓ ଅବୈଜ୍ଞାନିକ କଥାରେ ବିଶ୍ୱାସ କରନ୍ତୁ ନାହିଁ: ପିଆଇବି

ନୂଆଦିଲ୍ଲୀ: ଏପ୍ରିଲ୍ ୫ ତାରିଖ ରାତି ୯ଟାରେ ୯ ମିନିଟ୍ ପାଇଁ ଆଲୁଅ ଲିଭାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କରିଥିବା ନିବେଦନ ବିଷୟରେ ଚାଲିଥିବା ଗୁଜବ ଓ ଅବୈଜ୍ଞାନିକ କଥାକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ ଜନସାଧାରଣଙ୍କୁ ନିବେଦନ କରିଛି ।

କରୋନାଭାଇରସ୍ ରୂପକ ଅନ୍ଧକାରକୁ ଦୂର କରିବା ନିମନ୍ତେ ୯ ମିନିଟ୍ ପାଇଁ ମହମବତି, ଦୀପ, ଟର୍ଚ ବା ମୋବାଇଲ୍ ଟର୍ଚ ଜଳାଇବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିବେଦନର ଅଭିପ୍ରାୟକୁ ଅନର୍ଥ କରି ହ୍ୱାଟସଆପ୍ ଗ୍ରୁପ୍ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମରେ କେତେକ ମନଗଢ଼ା କାହାଣୀ ପୋଷ୍ଟ୍ ହୋଇଥିବା ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋର ଦୃଷ୍ଟିଗୋଚର ହୋଇଥିଲା । “ପିଆଇବି’ ଏଭଳି ପୋଷ୍ଟଗୁଡ଼ିକୁ “ଗୁଜବ/ଅବୈଜ୍ଞାନିକ ଯୁକ୍ତି’ ବୋଲି କହିଛି । ଏଗୁଡ଼ିକୁ ବିଶ୍ୱାସ ନ କରିବାକୁ ମଧ୍ୟ “ପିଆଇବି’ ଜନସାଧାରଣଙ୍କୁ ଅନୁରୋଧ କରିଛି ।

ଟୁଇଟ୍ କରି “ପିଆଇବି’ କହିଛି ଯେ ଏପ୍ରିଲ୍ ୫ ତାରିଖ ରାତି ୯ଟା ବେଳେ ଦୀପ, ମହମବତି, ଟର୍ଚ, ମୋବାଇଲ୍ ଟର୍ଚ ଜାଳିବା ନିବେଦନ ପ୍ରସଙ୍ଗରେ ଉଠିଥିବା ଗୁଜବ ଏବଂ ଅବୈଜ୍ଞାନିକ କାରଣଗୁଡ଼ିକୁ ବିଶ୍ୱାସ କରନ୍ତୁ ନାହିଁ । କୋଭିଡ୍-୧୯ ବିରୋଧରେ ଆମ ସମ୍ମିଳିତ ଲଢ଼େଇ ପ୍ରତି ସମର୍ଥନ ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିବା ଏହି ଉପକ୍ରମର ଉଦ୍ଦେଶ୍ୟ । କୋଭିଡ୍-୧୯କୁ ଦୂରେଇ ରଖିବାକୁ ଦୟାପୂର୍ବକ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ!

ସମ୍ବନ୍ଧିତ ଖବର