ଚଳନ୍ତା ଟ୍ରେନରେ ମହିଳାଙ୍କୁ ଆକ୍ରମଣ କଲା କୁକୁର : ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : କୁକୁର ଯେତେକି ବିଶ୍ୱସନୀୟ ସେତିକି ବିପଦଜନକ ମଧ୍ୟ । ଏହା ବିଷୟରେ ଜାଣିଥିଲେ ମଧ୍ୟ ଅନେକ ବ୍ୟକ୍ତି କୁକୁରକୁ ପାଳନ କରିଥାନ୍ତି । ତେବେ କୁକୁରଙ୍କର ସମସ୍ତ ପ୍ରଜାତି ମଧ୍ୟରେ ସବୁଠାରୁ ହିଂସ୍ର ହୋଇଥାଏ ପିଟବୁଲ ପ୍ରଜାତି । ପିଟ୍‌ବୁଲ ପ୍ରଜାତିର କୁକୁର ଅନେକ ସମୟରେ ହିଂସ୍ର ହୋଇ ନିଜ ମାଲିକଙ୍କୁ ମଧ୍ୟ ଆକ୍ରମଣ କରିବାର ଖବର ଆସିଥାଏ । ନିକଟରେ ଆମେରିକା ନ୍ୟୁୟର୍କରେ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ଟ୍ରେନ ମଧ୍ୟରେ ନିଜର ମାଲିକ ସହ ଯାତ୍ରା କରୁଥିବା ପିଟବୁଲ ପ୍ରଜାତିର କୁକୁର ହଠାତ୍‌ ଜଣେ ଯାତ୍ରୀ ଉପରେ ଆକ୍ରମଣ କରୁଥିବାର ଦେଖାଯାଇଛି। କୁକୁରଟି ହଠାତ୍‌ ଯାତ୍ରୀଙ୍କ ଗୋଡ଼କୁ କାମୁଡ଼ି ଧରିଥିଲା । ସେଠାରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀମାନେ ବହୁତ ଉଦ୍ୟମ କରିବା ପରେ ମଧ୍ୟ ସେ କାମୁଡ଼ିବା ଛାଡ଼ି ନ ଥିଲା ।

ଭିଡ଼ିଓ ଅନୁଯାୟୀ , ନ୍ୟୁୟର୍କର ମ୍ୟାନହଟ୍ଟନ ଷ୍ଟେସନ ପାଖରୁ ଜଣେ ବ୍ୟକ୍ତି ତାଙ୍କର ପିଟବୁଲ ପ୍ରଜାତିର କୁକୁର ସହ ଟ୍ରେନରେ ଚଢ଼ିଥିଲେ । ଟ୍ରେନ ମଧ୍ୟରେ ବସିଥିବା ଜଣେ ମହିଳା ଯାତ୍ରୀଙ୍କ ଗୋଡ଼କୁ କୁକୁର ଶୁଙ୍ଘିଥିବାରୁ ସେ କୁକୁରର ମାଲିକକୁ ତାଙ୍କ କୁକୁରକୁ ସମ୍ଭାଳିବାକୁ କହିଥିଲେ ।ପରେ ଏହି କଥାକୁ ନେଇ ଉଭୟ ମହିଳା ଯାତ୍ରୀ ଏବଂ କୁକୁର ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯେଉଁଥିରେ କୁକୁରଟି କ୍ରୋଧିତ ହୋଇ ମହିଳା ଯାତ୍ରୀଙ୍କ ଗୋଡ଼କୁ କାମୁଡ଼ି ଧରିଥିଲା । କୁକୁରର ମାଲିକ ଏବଂ ସେଠାରେ ଉପସ୍ଥିତ ଥିବା ଅନ୍ୟ ଯାତ୍ରୀଙ୍କ ଅନେକ ଚେଷ୍ଟା କରିଥିଲେ ମଧ୍ୟ କୁକୁରଟି ମହିଳାଙ୍କ ଗୋଡ଼ ଛାଡ଼ିନଥିଲା । ଅନେକ ସମୟ ପରେ କୁକୁର ମହିଳାଙ୍କ ଗୋଡ଼କୁ ଛାଡ଼ିଥିଲେ ମଧ୍ୟ ତାଙ୍କ ଜୋତାଟି କୁକୁରଟିର ମୁହଁରେ ରହିଯାଇଥିଲା। ସମସ୍ତ ଘଟଣାଟିକୁ ସେଠାରେ ଉପସ୍ଥିତ ଥିବା କିଛି ବ୍ୟକ୍ତି ନିଜ ମୋବାଇଲରେ ଭିଡ଼ିଓ ପ୍ରସ୍ତୁତ କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁଳ ଭାବେ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର