ଆତଙ୍କବାଦୀଙ୍କ ଧମକ : ଏୟାର ଇଣ୍ଡିଆ ବିମାନ ଅପହରଣ କରି ପାକିସ୍ତାନ ନେଇଯିବୁ

ନୂଆଦିଲ୍ଲୀ : ପାକିସ୍ତାନୀ ଆତଙ୍କବାଦୀମାନେ ଏୟାର ଇଣ୍ଡିଆର ଏକ ବିମାନ ଅପହରଣ କରିପାରନ୍ତି ବୋଲି ଏକ ଧମକ ମିଳିବା ପରେ  ଦେଶବ୍ୟାପୀ ଥିବା ବିଭିନ୍ନ ଏୟାରପୋର୍ଟରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି । ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସତର୍କତା ଜାରି କରାଯାଇଛି ।

ମୁମ୍ବାଇରେ ଥିବା ଏକ ଏୟାରଲାଇନ୍ସର ଅଫିସକୁ ଏକ ଫୋନ କରି ଏହି ଧମକ ଦିଆଯାଇଛି । ଇଣ୍ଡିଆନ ଏୟାରଲାଇନ୍ସ (ଏୟାର ଇଣ୍ଡିଆର ପୂର୍ବତନ ଏକ ଶାଖା କମ୍ପାନି ଯାହାକି କେବଳ ଦେଶମଧ୍ୟରେ ସେବା ଯୋଗାଉଥିଲା )ର ଏକ ବିମାନକୁ ହାଇଜାକ କରି ପାକିସ୍ତାନ ନିଆଯିବ ବୋଲି କେହି ଜଣେ ଧମକ ଦେଇଛି । ପୁଲିସ ଏ ସଂପର୍କରେ ତଦନ୍ତ ଚଳାଇଥିବାବେଳେ ଏୟାରପୋର୍ଟଗୁଡ଼ିକର ସୁରକ୍ଷାକୁ ବଢାଇଦିଆଯାଇଛି । ସିଆଇଏସଏଫକୁ ସତର୍କ ରହିବାକୁ କୁହାଯାଇଛି । ବିମାନ ସେବା ପରିଚାଳନା ପାଇଁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି ପକ୍ଷରୁ କେତେକ ସତର୍କତା ଗାଇଡଲାଇନ ଜାରି କରାଯାଇଛି । ବିମାନ ନିକଟକୁ ଯାଉଥିବା ବ୍ୟକ୍ତି, ଯାତ୍ରୀ, କାର୍ଗୋ ଗାଡି ଆଦିର ସବିଶେଷ ଯାଞ୍ଚ କରିବାକୁ କୁହାଯାଇଛି । ୧୯୯୯ ମସିହା ଡିସେମ୍ବର ମାସରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରି କାନ୍ଦାହାର ନେଇଯାଇଥିଲେ । ଏହାଫଳରେ ଭାରତ ସରକାରଙ୍କୁ ଯାତ୍ରୀଙ୍କ ମୁଣ୍ଡଜାମିନ ବଦଳରେ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜାରକୁ ଛାଡିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର