ବେଙ୍ଗାଲୁରୁ: ଗୁରୁବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଯାତ୍ରା କରୁଥିବା ବିମାନଟି କିଛି ସମୟ ପାଇଁ ଅସ୍ୱାଭାବିକ ଭାବେ ଉଡ଼ିଥିଲା। ଉଡ଼ାଣରେ ସନ୍ଦେହ ପ୍ରକାଶ କରିବା ସହ କଂଗ୍ରେସ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହି ତଦନ୍ତ ଦାବି କରିଛି। ଉତ୍ତର କର୍ଣ୍ଣାଟକର ହୁବ୍ବାଲି ବିମାନ ବନ୍ଦରରେ ଅବତରଣ କରିବା ପୂର୍ବରୁ ବିମାନରେ ସନ୍ଦେହଜନକ ତ୍ରୁଟି ପରିଲକ୍ଷିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମାମଲାର ତଦନ୍ତ କରାଯିବ ବୋଲି ନୂଆଦିଲ୍ଲୀ ସ୍ଥିତ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ କହିଛି। ଅଭିଯୋଗ ରେଜିଷ୍ଟ୍ରି କରାଯାଇଥିବା କଥା ମଧ୍ୟ ପୁଲିସ କହିଛି।
ଜୋର୍ରେ ଧଡ଼ ଧଡ଼ ହୋଇ ତଳ ଆଡ଼କୁ ଖସି ଆସିଥିବା କଥା ଗାନ୍ଧୀଙ୍କର ଘନିଷ୍ଠ ସହଯୋଗୀ କୌଶଳ ବିଦ୍ୟାର୍ଥୀ ରାଜ୍ୟ ଡିଜିପି ନୀଳମଣି ଏନ୍ ରାଜୁଙ୍କୁ ଏକ ପତ୍ରରେ ଲେଖିଛନ୍ତି।
ଚିଠିରେ ଲେଖା ଅଛି ଯେ ପାଗ ସ୍ୱାଭାବିକ ଥିଲା ଓ ପବନର ଝାଙ୍କ ମଧ୍ୟ ନ ଥିଲା। ତେଣୁ ବିମାନଟିର ଏ ଭଳି ଉଡ଼ାଣ ସ୍ୱାଭାବିକ ବା ପାଗଜନିତ ନୁହେଁ। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇ ଥାଇ ପାରେ।
ଜାଣିଶୁଣି ମଧ୍ୟ ବିମାନଟିକୁ ଏ ଭଳି ଉଡ଼ା ଯାଇଥିବା କଥାକୁ ଏଡ଼ାଇ ଦିଆ ଯାଇ ନ ପାରେ।
ରାହୁଳ ଦୁଇ ଦିନିଆ ଗସ୍ତରେ ନିର୍ବାଚନ ପ୍ରଚାର ଅଭିଯାନରେ କର୍ଣ୍ଣାଟକ ଯାଇଛନ୍ତି। ସେ ଉତ୍ତର କନ୍ନଡ଼, ଦକ୍ଷିଣ କନ୍ନଡ଼, କୋଡ଼ାଗୁ ଏବଂ ମହୀଶୂରରେ ଦଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବେ।