ବିଳମ୍ବରେ ରନୱେରେ ଓହ୍ଲାଇଲା ରାହୁଲ ଗାନ୍ଧି ବସିଥିବା ଶ୍ରୀନଗର-ନୂଆଦିଲ୍ଲୀ ବିମାନ

ନୂଆଦିଲ୍ଲୀ : ଗତ କାଲି କଶ୍ମୀର ଗସ୍ତରେ ଯାଇ ହଟହଟା ହୋଇ ଫେରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଅନ୍ୟ ବିରୋଧୀଦଳ ନେତାମାନେ ଦିଲ୍ଲୀଫେରିବା ପରେ ମଧ୍ୟ ସମସ୍ୟା ପିଛାଛାଡିନଥିଲା । ସେମାନେ ଫେରୁଥିବା ଗୋ ଏୟାର ବିମାନ ନୂଆଦିଲ୍ଲୀ ଏୟାରପୋର୍ଟରେ ଓହ୍ଲାଇବା କିଛି ସମୟ ପୂର୍ବରୁ ବିମାନର ପାଇଲଟ ଘୋଷଣା କଲେ ଯେ ରନୱେ ଖାଲି ନଥିବାରୁ ବିମାନକୁ କିଛି ସମୟ ଆକାଶରେ ରହିବ । ଏହା ସହିତ ପାଇଲଟ ସ୍ପଷ୍ଟ କରିଦେଇଥିଲେ ଯେ ବିମାନରେ କୌଣସି ଯାନ୍ତ୍ରିକ ତ୍ରୁଟି ନାହିଁ । କିନ୍ତୁ ଏହା ସତ୍ତ୍ୱେ ବିମାନରେ ଥିବା ୧୦୦ରୁ ଅଧିକ ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ । ତେବେ କିଛି ସମୟ ଆକାଶରେ ବୁଲିବା ପରେ ବିମାନଟି ରନୱେରେ ଓହ୍ଲାଇଥିଲା ।

ଗତକାଲି ଜମ୍ମୁ ଓ କଶ୍ମୀରର ସ୍ଥିତି ପରଖିବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଯାଇଥିବା ବିରୋଧୀଦଳ ପ୍ରତିନିଧିମଣ୍ଡଳୀକୁ ଶ୍ରୀନଗର ଏୟାରପୋର୍ଟରୁ ହିଁ ସେମାନଙ୍କୁ ଫେରାଇ ଦେଇଥିଲା ଜମ୍ମୁ ଓ କଶ୍ମୀର ପ୍ରଶାସନ । ଏହି ପ୍ରତିନିଧିମଣ୍ଡଳୀରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ, ଏନସିପିର ମାଜିଦ ମେମନ ଓ ଆରଜେଡିର ମନୋଜ ଝାଙ୍କ ସମେତ ମୋଟ ୧୧ ଜଣ ବିରୋଧୀଦଳ ନେତା ସାମିଲ ଥିଲେ ।

ସମ୍ବନ୍ଧିତ ଖବର