ମହାରାଷ୍ଟ୍ରରେ ପ୍ଲାଷ୍ଟିକ୍‌ ବ୍ୟାନ୍‌: ୩ ମାସ ପର୍ଯ୍ୟନ୍ତ ଜେଲ୍‌, ୨୫ ହଜାର ଜୋରିମାନା

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାର ଆଜିଠାରୁ ରାଜ୍ୟବ୍ୟାପୀ ପ୍ଲାଷ୍ଟିକ୍‌ ନିଷିଦ୍ଧ କରିଛନ୍ତି। ବ୍ୟବହାର କରି ଫୋପାଡ଼ି ଦିଆଯାଉଥିବା ପ୍ଲାଷ୍ଟିକ୍‌ ସାମଗ୍ରୀର ବ୍ୟହାର ଉପରେ ଆଜିଠାରୁ କଠୋର କଟକଣା ଲାଗୁ ହୋଇଛି ଏବଂ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ପାଇଁ ୨୫୦ ଜଣ ଇନ୍‌୍‌ସପେକ୍ଟରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ପ୍ଲାଷ୍ଟିକ୍‌୍‌ ସାମଗ୍ରୀର ବିକଳ୍ପ ଭାବେ ଲୋକେ ଅନ୍ୟ ଯେଉଁ ସାମଗ୍ରୀ ବ୍ୟବହାର କରିବେ ତାହାର ପ୍ରଦର୍ଶନୀ ମଧ୍ୟ ବିଭିନ୍ନ ସ୍ଥାନରେ ଲଗାଯାଇଛି। ଫୋପଡ଼ା ଯାଉଥିବା ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ନକରି ଏହାର ଅନ୍ୟ ବିକଳ୍ପଗୁଡ଼ିକର ବ୍ୟହାର ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।
ଜନସାଧାରଣ ଯେଭଳି ବହୁଳ ଭାବେ ଝୋଟ ଓ କନା ବ୍ୟଗ୍‌ ବ୍ୟବହାର କରିବେ ସେ ଦିଗରେ ପଦକ୍ଷେପ ନିଆଯାଇଛି। ସରକାରଙ୍କ କଟକଣାକୁ ଭୃକ୍ଷେପ ନକରି ନିମ୍ନମାନର ପ୍ଲାଷ୍ଟିକ୍‌ ବ୍ୟବହାର କଲେ ପ୍ରଥମ ଓ ଦ୍ୱିତୀୟ ମାମଲାରେ ଯଥାକ୍ରମେ ୫ ହଜାର ଓ ୧୦ ହଜାର ଟଙ୍କା ଜୋରିମାନା ହେବ। ତୃତୀୟ ଥର ନିୟମ ଉଲ୍ଲଂଘନ କଲେ ୨୫ ହଜାର ଟଙ୍କା ଜୋରିମାନା ସହିତ ୩ ମାସ ଜେଲ୍‌ ଦଣ୍ଡ ପ୍ରାବଧାନ ରହିଛି। ତେବେ ଏହି କଟକଣାରୁ କେତେକ ନିର୍ଦ୍ଦିିଷ୍ଟ ପ୍ଲାଷ୍ଟିକ୍‌ ସାମଗ୍ରୀକୁ ବାଦ ଦିଆଯାଇଛି। ସାମଗ୍ରୀ ରପ୍ତାନି ପାଇଁ ପ୍ୟାକିଂ, ଔଷଧ ପ୍ୟାକିଂ, ଫୁଡ୍‌ ଗ୍ରେଡ୍‌ ଭିର୍ଜିନ ପ୍ଲାଷ୍ଟିକ୍‌, କ୍ଷୀର ପ୍ୟାକିଂ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ପ୍ୟାକେଟ୍‌ କୃଷିଜାତ ଦ୍ରବ୍ୟ ପ୍ୟାକିଂ ପାଇଁ ବ୍ୟବହାର ହେଉଥିବା ବ୍ୟାଗ୍‌୍‌କୁ ଏଥିରୁ ବାଦ ଦିଆଯାଇଛି। ରାଜ୍ୟରେ ପରିବେଶର ସୁରକ୍ଷା ପାଇଁ ସରକାର ଏଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ରାଜ୍ୟ ପରିବେଶ ମନ୍ତ୍ରୀ ରାମଦାସ କଦମ କହିଛନ୍ତି।

ସମ୍ବନ୍ଧିତ ଖବର