ପେଲେଟ୍‌ ବଦଳରେ ପ୍ଲାଷ୍ଟିକ୍‌ ଗୁଳି

ନୂଆଦିଲ୍ଲୀ : କଶ୍ମୀରରେ ହିଂସା ସୃଷ୍ଟିକାରୀ ଏବଂ ପଥର ଆକ୍ରମଣକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏଣିକି ପେଲେଟ ଗୁଳି ବଦଳରେ କମ୍‌ ଘାତକ ବୋଲି କୁହାଯାଉଥିବା ପ୍ଲାଷ୍ଟିକ୍‌ ଗୁଳି ବ୍ୟବହାର କରିବାକୁ ଯାଉଛନ୍ତି। କଶ୍ମୀରରେ ପ୍ରଥମ ପର୍ଯ୍ୟାୟରେ ଆଜି ବିଭିନ୍ନ ୟୁନିଟ୍‌କୁ ୨୧ ହଜାର ପ୍ଲାଷ୍ଟିକ୍‌ ଗୁଳି ପଠାଯାଇଛି। ପେଲେଟ ଗୁଳି ଅଧିକ ଘାତକ ସାବ୍ୟସ୍ତ ହୋଇଥିବାରୁ ଏହା ବଦଳରେ ପ୍ଲାଷ୍ଟିକ୍‌ ଗୁଳିର ବ୍ୟବହାର ଅଧିକ କରିବା ପାଇଁ ସିଆର୍‌ପିଏଫ୍‌ ନିଷ୍ପତ୍ତି ନେଇଛି । ଏହି ପ୍ଲାଷ୍ଟିକ୍‌ ଗୁଳି ପେଲେଟ ସଟ୍‌ଗନ ଭଳି କୌଣସି ସ୍ୱତନ୍ତ୍ର ବନ୍ଧୁକରୁ ବ୍ୟବହାର ହେବା ପରିବର୍ତ୍ତେ ସିଧାସଳଖ ଏକେ-୪୭ ଏବଂ ଏକେ-୫୬ ବନ୍ଧୁକର ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଭାରତର ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (ଡିଆର୍‌ଡିଓ) ଦ୍ୱାରା ଏହି ଗୁଳି ବିକଶିତ ହୋଇଥିବା ବେଳେ ପୁନେସ୍ଥିତ ଗୋଳବାରୁଦ କାରଖାନାରେ ଏହାର ଉତ୍ପାଦନ ହୋଇଛି।

ଡିଆରଡିଓ ଦ୍ୱାରା ପ୍ରସ୍ତୁତ ପ୍ଲାଷ୍ଟିକ୍‌ ଗୁଳିକୁ ବ୍ୟାପକ ଭାବେ ପରୀକ୍ଷା କରାଯାଇଛି ଏବଂ ଏହା ପେଲେଟ୍‌ ଗନ୍‌ଠାରୁ ଯଥେଷ୍ଟ କମ୍‌ ଘାତକ ବୋଲି ଜଣାପଡ଼ିଛି। କଶ୍ମୀରରେ ଦଙ୍ଗାକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପେଲେଟ ବ୍ୟବହାରକୁ ଯଥାସମ୍ଭବ କମ୍‌ କରିବା ନିମନ୍ତେ ଏହି ଗୁଳିର ବିକାଶ କରାଯାଇଥିବା ସିଆରପିଏଫ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କଶ୍ମୀରରେ ପେଲେଟ ଗନ୍‌ ବ୍ୟବହାର ଯୋଗୁଁ ୧୧୭ ଜଣ ଯୁବକ ଦୃଷ୍ଟି ଶକ୍ତି ହରାଇବା ପରେ ଏହାର ବ୍ୟବହାର ନିଷିଦ୍ଧ କରିବାକୁ ବିଭିନ୍ନ ମାନବାଧିକାର ସଂଗଠନ ଦାବି କରିଥିଲେ। କଶ୍ମୀରରେ ହିଜବୁଲ କମାଣ୍ଡର ବୁରହନ ଓ୍ଵାନିର ନିପାତ ପରେ ଆରମ୍ଭ ହୋଇଥିବା ବ୍ୟାପକ ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା ବାହିନୀ ପେଲେଟ ଗନ୍‌ ବ୍ୟବହାର କରିଥିଲା। ହିଂସା ନ ଥମିବାରୁ ପେଲେଟ ବ୍ୟବହାର ମଧ୍ୟ ବ୍ୟାପକ ହୋଇଥିଲା। ଏଥିରେ ୩ ହଜାରରୁ ଅଧିକ ଆହତ ହୋଇଥିଲେ ।

କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ତୁହାକୁ ତୁହା ପଥର ଆକ୍ରମଣ ହେଉଥିବାରୁ ପେଲେଟ ଗନ୍‌ ବ୍ୟବହାର ଜରୁରୀ ବୋଲି ସିଆର୍‌ପିଏଫ୍‌ ଯୁକ୍ତି ଦର୍ଶାଇଥିଲା। ପରବର୍ତ୍ତୀ ସମୟରେ ଏହି ମାମଲା ସୁପ୍ରିମ୍‌ କୋର୍ଟରେ ପହଞ୍ଚିଥିଲା। ପେଲେଟ ବନ୍ଦ କରିବା ପାଇଁ କଶ୍ମୀରର ନାଗରିକ ସମାଜ ପ୍ରତିନିଧିମାନେ ନିକଟରେ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ନିବେଦନ କରିଥିଲେ। କେନ୍ଦ୍ର ସରକାର ପେଲେଟର ବିକଳ୍ପ ଭାବେ ପାଭା ସେଲ୍‌କୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ କମ୍‌ ଘାତକ ପ୍ଲାଷ୍ଟିକ୍‌ ବୁଲେଟ ବ୍ୟବହାର ପାଇଁ ଡିଆରଡିଓର ପରାମର୍ଶକ୍ରମେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇଛି।

ସମ୍ବନ୍ଧିତ ଖବର