ବୁଲା ବିକାଳୀମାନେ ବି ପ୍ଲାଷ୍ଟିକ ଆବର୍ଜନା ଏଣେ ତେଣେ ପକାଇପାରିବେ ନାହିଁ

ନୂଆଦିଲ୍ଲୀ : ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସରକାର ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛନ୍ତି । କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡକ୍ଟର ମହେଶ ଶର୍ମା କହିଛନ୍ତି ଯେ “ ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ପ୍ରତିହତ କରିବା ସକାଶେ, ଦେଶର ୨୧ଟି ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରଙ୍କୁ ବିଜ୍ଞପ୍ତି ଜାରି କରାଯାଇଛି ଏବଂ ପ୍ଲାଷ୍ଟିକ୍‌ କ୍ୟାରୀ ବ୍ୟାଗ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର ବନ୍ଦ କରିବା ସକାଶେ ଅଧିକ କଡ଼ାକଡ଼ି ନିର୍ଦ୍ଦେଶନାମା ଜାରି କରାଯାଇଛି । ସଂରକ୍ଷିତ ସର୍ବସାଧାରଣ ସ୍ଥାନକୁ ପ୍ଲାଷ୍ଟିକ ମୁକ୍ତ ଜୋନ କରିବାକୁ କୁହାଯାଇଛି । ଏହିସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ କ୍ଷେତ୍ରର ସରକାରମାନେ ନିଜ ନିଜ ରାଜ୍ୟ କ୍ଷେତ୍ରରେ ସେହିସବୁ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଭାବେ କାର୍ଯ୍ୟ କରିବେ” ବୋଲି ମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି ।
ଡକ୍ଟର ଶର୍ମା କହିଲେ ଯେ ଜାରି କରାଯାଇଥିବା ନିୟମାବଳୀ ଅନୁସାରେ ବର୍ଜ୍ୟ ସୃଷ୍ଟିକାରୀମାନେ ସେମାନଙ୍କର ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ନିୟନ୍ତ୍ରଣ କରିବାକୁ ବାଧ୍ୟ । ସେମାନେ ଏଣେତେଣେ ବର୍ଜ୍ୟ ପକାଇବା ନିଷେଧ ଏବଂ ବର୍ଜ୍ୟକୁ ଗୋଟିଏ ସ୍ଥାନରେ ଠୁଳ କରିବାର ବ୍ୟବସ୍ଥା କରିବା ଉଚିତ । ସେହିସବୁ ବର୍ଜ୍ୟକୁ ସେମାନେ ସ୍ଥାନୀୟ ଅଧିସ୍ୱୀକୃତ ଏଜେନ୍ସିମାନଙ୍କ ଦ୍ୱାରା ବର୍ଜ୍ୟ ସଂଗ୍ରହ ବେଳେ ଦେବେ । ନିୟମାନୁସାରେ ସେମାନଙ୍କୁ ଏଭଳି କର୍ତ୍ତବ୍ୟ ସଂପାଦନ କରିବାକୁ ପଡ଼ିବ । ସେହିଭଳି ସ୍ଥାନୀୟ ପ୍ରଶାସନ, ଗ୍ରାମ ପଞ୍ଚାୟତ, ବର୍ଜ୍ୟ ସୃଷ୍ଟିକାରୀ, ଖୁଚୁରା ଦୋକାନୀ ଏବଂ ରାସ୍ତାରେ ବିପଣୀ କରୁଥିବା ବୁଲାବିକାଳୀମାନେ ସେମାନଙ୍କର ପ୍ଲାଷ୍ଟିକ ବର୍ଜ୍ୟକୁ ପରିଚାଳନା କରିବାକୁ ବାଧ୍ୟ । ସେହିଭଳି ଉତ୍ପାଦନକାରୀ, ଆମଦାନିକାରୀ ଏବଂ ବ୍ରାଣ୍ଡ ମାଲିକମାନେ ସେମାନଙ୍କର ନିଜ ନିଜର ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା କରିବାକୁ ବାଧ୍ୟ ଅଟନ୍ତି । ପରିବର୍ଦ୍ଧିତ ଉତ୍ପାଦନ ଦାୟିତ୍ୱବୋଧର ନୀତି ଅନୁସାରେ ସେମାନେ ଏଭଳି ପନ୍ଥା ଅନୁସରଣ କରିବାକୁ ବାଧ୍ୟ ।
ମନ୍ତ୍ରୀ ଡକ୍ଟର ଶର୍ମା ଆହୁରି କହିଲେ ଯେ ପର୍ଯ୍ୟାବରଣ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏହାର ନିୟନ୍ତ୍ରଣାଧୀନ ସମସ୍ତ କାର୍ଯ୍ୟାଳୟ, କ୍ଷେତ୍ରୀୟ କାର୍ଯ୍ୟାଳୟ, କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍‌ ଏବଂ ସେଗୁଡ଼ିକର ବିଭାଗ, ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କର୍ପୋରେଟ, ଅନୁଷ୍ଠାନ ଇତ୍ୟାଦିଙ୍କୁ ପତ୍ର ଲେଖି ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ଉତ୍ପାଦ ବ୍ୟବହାର ବନ୍ଦ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସାମଗ୍ରୀ ମଧ୍ୟରେ ପାଣି ବୋତଲ, ନଷ୍ଟଯୋଗ୍ୟ କଫି କପ୍, ଖାଦ୍ୟବନ୍ଧା ନଷ୍ଟଯୋଗ୍ୟ ପ୍ଲାଷ୍ଟିକ୍‌ ପ୍ୟାକେଜିଂ, ପ୍ଲାଷ୍ଟିକ୍‌ ବ୍ୟାଗ୍, ଡ଼ିସ୍ପୋଜେବଲ୍‌ ଖାଦ୍ୟ ଧାରକ, ପ୍ଲେଟ୍‌ ଓ ପଲିଷ୍ଟାଇରିନରୁ ପ୍ରସ୍ତୁତ କଣ୍ଟେନର, ପ୍ଲାଷ୍ଟିକ ସୂତା ଇତ୍ୟାଦି ସାମଗ୍ରୀ ସେମାନଙ୍କର କାର୍ଯ୍ୟାଳୟରେ ବ୍ୟବହାର ବନ୍ଦ ନକରିବାକୁ ପରାମର୍ଶ ଦିଆଯାଇଛି । ସେହିଭଳି ବିଦ୍ୟାଳୟମାନଙ୍କୁ ନିଜ ନିଜ ରାଜ୍ୟର ଇକୋକ୍ଲବ୍‌ ମାଧ୍ୟମରେ “ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକର ଅପକାରିତା” ସଂପର୍କରେ ସଚେତନ କରାଯାଇଛି ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ “ଗ୍ରୀନ୍‌ ଗୁଡ଼ ଡ଼ିଡ୍ସ” ଆଚରଣ ସଂପର୍କରେ ଅବଗତ କରାଯାଇଛି । ।

ସମ୍ବନ୍ଧିତ ଖବର