ପ୍ରଧାନମନ୍ତ୍ରୀ ଆଶାୟୀଙ୍କ ସଂଖ୍ୟା ବଢ଼ୁଛି, ରାହୁଲ, ମାୟା, ମମତାଙ୍କ ପରେ ପାୱାର ବି ଦୌଡ଼ରେ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ‘ମୋଦୀ ଲହର’କୁ ପ୍ରଭାବଶୂନ୍ୟ କରିବା ପାଇଁ ଜାତୀୟସ୍ତରରେ ମହାମେଣ୍ଟ ଗଠନ ନିମନ୍ତେ ଏବେ ପ୍ରୟାସ ଚାଲିଛି। ତେବେ ବିରୋଧୀ ଦଳଗୁଡ଼ିକର ପରସ୍ପର ବିରୋଧୀ ଆଭିମୁଖ୍ୟ ଏବଂ ନିଜ ନିଜ ସୁବିଧାରେ ନିର୍ବାଚନ ଲଢ଼ିବା ପାଇଁ ରଣନୀତି ଯୋଗୁଁ ଏଭଳି ମହାମେଣ୍ଟ ଗଠନ ସମ୍ଭାବନା ଏବେ ମଉଳି ଯାଉଛି। ଗତକାଲି କୋଲକାତାରେ ୨୦ଟି ବିରୋଧୀ ଦଳର ୩୦ରୁ ଅଧିକ ନେତା ଏନ୍‌ଡିଏ ସରକାରଙ୍କ ବିରୋଧରେ ଏକସ୍ବରରେ ଗର୍ଜିଥିଲେ ମଧ୍ୟ ବାସ୍ତବ ସ୍ଥିତି ଭିନ୍ନ ରହିଛି। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସାମ୍ନାକୁ ଆସିବା ପାଇଁ ଉଦ୍ୟମ କରୁଥିବା ବେଳେ ଏହା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ ବଢ଼ାଇଛି। ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ କରିବା ପାଇଁ ଅଧିକାଂଶ ଆଞ୍ଚଳିକ ଦଳ ରାଜି ହେଉନାହାନ୍ତି। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି। ଏଭଳି ସ୍ଥିତି ଯୋଗୁଁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ବାଦ୍‌ ଦେଇ ବିଭିନ୍ନ ରାଜ୍ୟରେ ଆଂଚଳିକ ଦଳମାନେ ନିଜସ୍ବ ସ୍ଥିତି ସୁଦୃଢ଼ କରିବାକୁ ଯୋଜନା କରୁଥିବାରୁ ଜାତୀୟସ୍ତରରେ ମହାମେଣ୍ଟ ଏତେ ସହଜ ନୁହେଁ ବୋଲି କୁହାଯାଉଛି । ରାଜ୍ୟସ୍ତରରେ ଯେଉଁଠି ଆଞ୍ଚଳିକ ଦଳଗୁଡ଼ିକ ଶକ୍ତିଶାଳୀ ଅଛନ୍ତି ସେଠାରେ କଂଗ୍ରେସ ସହିତ ମେଣ୍ଟ ପାଇଁ ସେମାନେ ଆଗ୍ରହ ଦେଖାଉନାହାନ୍ତି। ଏପରିକି କଂଗ୍ରେସ ଆଂଚଳିକ ଦଳର କନିଷ୍ଠ ସହଯୋଗୀ ହେବାକୁ ରାଜିଥିଲେ ମଧ୍ୟ ମହାମେଣ୍ଟକୁ ସମର୍ଥନ ମିଳୁନାହିଁ। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ମେଗା ରୢାଲିକୁ କଂଗ୍ରେସ ସମର୍ଥନ କରିଥିଲେ ମଧ୍ୟ ରାଜ୍ୟରେ କଂଗ୍ରେସ ସହ ମେଣ୍ଟ ପାଇଁ ମମତାଙ୍କ ଦଳ ସାମାନ୍ୟ ଆଗ୍ରହ ବି ପ୍ରକାଶ କରିନାହିଁ।

ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ନିଜ ଭିତରେ ମେଣ୍ଟ କରି କଂଗ୍ରେସକୁ ଦୂରେଇ ଦେବା ପରେ ସମସ୍ୟା ବଢ଼ିଯାଇଛି। କଂଗ୍ରେସ ମଧ୍ୟ ଉତ୍ତରପ୍ରଦେଶରେ ସବୁ ଆସନରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦଳ ବିଜୟୀ ହୋଇଥିବାରୁ ଏବେ ସେଠାରେ ଲୋକସଭା ନିର୍ବାଚନ ଏକାକୀ ହିଁ ଲଢ଼ିବାକୁ ଯୋଜନା କରୁଛି। ୧୭ ଆସନ ବିଶିଷ୍ଟ ତେଲେଙ୍ଗାନାରେ ମହାମେଣ୍ଟ ଗଠନର ପ୍ରଶ୍ନ ଉଠୁନାହିଁ। ବିଜେପି ବିରୋଧରେ ଏଠାରେ ଟିଆର୍‌ଏସ୍‌ ଏବଂ ଏଆଇଏମ୍‌ଆଇଏମ୍‌ ଏକଜୁଟ ହୋଇଛନ୍ତି। ୭ଟି ଆସନ ବିଶିଷ୍ଟ ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ସମ୍ଭାବନା ଶେଷ ହୋଇଯାଇଛି। ବିଜେପି ବିରୋଧରେ ଏହି ଦୁଇ ଦଳ ପୃଥକ ଲଢ଼ିବେ। ଆସାମରେ ରେ ମଧ୍ୟ କଂଗ୍ରେସ ମେଣ୍ଟ ପାଇଁ ସହଯୋଗୀ ସ୍ଥିର କରିପାରିନାହିଁ। ଆସାମରେ ଏନ୍‌ଡିଏ ବିରୋଧରେ କଂଗ୍ରେସ ସହିତ ଆସିବାକୁ ଅନ୍ୟ ଆଂଚଳିକ ଦଳଗୁଡ଼ିକ ପ୍ରସ୍ତୁତ ହେଉନାହାନ୍ତି। ଦେଶର ତୃତୀୟ ବଡ଼ ରାଜ୍ୟ ପଶ୍ଚିମ ବଂଗରେ ମଧ୍ୟ ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକ ଏକଜୁଟ୍‌ ହୋଇପାରୁ ନାହାନ୍ତି। ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ କୌଣସି ପରିସ୍ଥିତିରେ ବାମଦଳଗୁଡ଼ିକ ସହ ମେଣ୍ଟ ପାଇଁ ପ୍ରସ୍ତୁତ ନାହାନ୍ତି। ତେଣୁ କଂଗ୍ରେସ ଏଠାରେ ଘୋର ଅଡ଼ୁଆରେ ରହିଛି। ଏହା ବାମଦଳଙ୍କ ସହିତ ରହିବ କି ଏକାକୀ ଲଢ଼ିବ ତାହା ସ୍ଥିର କରିପାରୁନାହିଁ।

ସମ୍ବନ୍ଧିତ ଖବର