କରୋନା ମୁକାବିଲା: ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ମଞ୍ଜୁର କଲେ ୧୫ ହଜାର କୋଟି

ନୂଆଦିଲ୍ଲୀ: ସଂପ୍ରତି ବିଶ୍ୱବ୍ୟାପି ମହାମାରୀର ରୂପ ଧାରଣ କରିଥିବା କରୋନା ଭାଇରସ୍‌ କବଳରୁ ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ଓ ଆଗାମୀ ଦିନରେ ମଧ୍ୟ କରିବେ ବୋଲି ଆଜି ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟରେ ଦେଇଥିବା ନିଜ ଅଭିଭାଷଣରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଆବଶ୍ୟକ ପଡ଼ିବାକୁ ଥିବା ସ୍ୱାସ୍ଥ୍ୟସେବାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଆଜି ୧୫ ହଜାର କୋଟି ଟଙ୍କା ମଞ୍ଜୁର କରିଥିବା ସେ ସୂଚନା ଦେଇଛନ୍ତି।

TOI

ଦେଶର ସମସ୍ତ ରାଜ୍ୟର ରାଜ୍ୟ ସରକାର, ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରି ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏହି ଅର୍ଥକୁ ବିନିଯୋଗ କରିବେ। ଏଥିସହ ଏହି ଅର୍ଥରେ ବିଭିନ୍ନ ହସ୍ପିଟାଲରେ ଆଇସିୟୁ ଶଯ୍ୟା ବୃଦ୍ଧି କରାଯିବା ସହ ଭେଣ୍ଟିଲେଟର ସୁବିଧା, ସାଧାରଣ ହସ୍ପିଟାଲ ଶଯ୍ୟା ବୃଦ୍ଧି ଓ ଏଥିସହ ଚିକିତ୍ସା ପାଇଁ ଆବଶ୍ୟକ ପଡ଼ୁଥିବା ଅନ୍ୟାନ୍ୟ ଉପକରଣ ଓ ସରଞ୍ଜାମ କ୍ରୟ କରାଯିବ। ଏଥିସହ ଏହି ଅର୍ଥରେ ଦେଶବ୍ୟାପି ଅଧିକ ରୋଗ ନିରୂପଣ କେନ୍ଦ୍ର ସ୍ଥାପନ ସହ ପରୀକ୍ଷା ସୁବିଧା ଉପଲବ୍ଧ କରାଯିବ।

NDTV

ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବେ ଠାରୁ ଅଧିକ ସଂଖ୍ୟକ ମେଡିକାଲ ଓ ପାରା ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ସହ ସେମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯିବ। ନିଜ ଜୀବନକୁ ସଙ୍କଟରେ ରଖି ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷିତ ରଖିବା ପାଇଁ ସେମାନଙ୍କୁ ଅତ୍ୟାଧୁନିକ ପୋଷାକ ସହ ଅନ୍ୟ ସରଞ୍ଜାମ ମଧ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ସମ୍ବନ୍ଧିତ ଖବର