‘ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ୍‌’ର ୬୫୦ ଶଖାକୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅପରାହ୍ନରେ ‘ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ୍‌’ ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ତାଳକଟୋରା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ‘ଆଇପିପିବି’ର ୬୫୦ ଶାଖା ଓ ୩୨୫୦ ଆକ୍ସେସ ପଏଣ୍ଟକୁ ମୋଦି ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୋଦି କହିଛନ୍ତି, ୨୦୧୮ ସେପ୍ଟେମ୍ବର ୧ ଦେଶର ଇତିହାସରେ ଆଉ ଏକ ପୃଷ୍ଠା ଯୋଡ଼ିଛି। ଆଜିର ଏହି ଶୁଭ ଦିନରେ ଦେଶର ୨୦ ଲକ୍ଷ ଲୋକ ଯୋଡ଼ି ହୋଇ ଯାଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ୧.୫୫ ଲକ୍ଷ ଡାକଘର ଆଇପିପିବି ପ୍ରଣାଳୀରେ ଯୋଡ଼ି ହୋଇଯିବ।

କେନ୍ଦ୍ର ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉଦ୍ଦେଶ୍ୟକୁ ଦ୍ରୁତ ଗତିରେ ଆଗେଇ ନେବା ଦିଗରେ ଆଇପିପିବିକୁ ଜନସାଧାରଣଙ୍କ ପାଇଁ ଏକ ସହଜ, ସୁଲଭ ଓ ବିଶ୍ୱସନୀୟ ବ୍ୟାଙ୍କ ଭାବେ ପରିକଳ୍ପନା କରାଯାଇଛି । ଏହା ଡାକ ବିଭାଗର ବିଶାଳ ନେଟୱାର୍କର ସହାୟତା ନେବ, ଯାହାକି ୩ ଲକ୍ଷ ପୋଷ୍ଟମ୍ୟାନ ଏବଂ ଗ୍ରାମୀଣ ଡାକ ସେବକଙ୍କୁ ନେଇ ଗଠିତ ଏବଂ ଦେଶର ପ୍ରତିଟି ଅଂଚଳକୁ ଅନ୍ତର୍ଭୁକ୍ତ କରିବ । ଏହିପରି ଆଇପିପିବି ଭାରତରେ ବ୍ୟାଙ୍କିଂ କ୍ଷେତ୍ରର ପହଂଚକୁ ବ୍ୟାପକ ଭାବେ ବୃଦ୍ଧି କରିବ । ଦ୍ରୁତ ଗତିରେ ବିକଶିତ ହେଉଥିବା ଭାରତର ଲାଭକୁ ଆମ ଦେଶର ଦୁର୍ଗମ ଅଂଚଳରେ ପହଂଚାଇବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ କ୍ଷେତ୍ରରେ ଆଇପିପିବିର ଶୁଭାରମ୍ଭ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଶୁଭାରମ୍ଭ ଦିନ ଦେଶବ୍ୟାପୀ ଆଇପିପିବିର ୬୫୦ଟି ଶାଖା ଏବଂ ୩୨୫୦ଟି ଏକ୍ସେସ ପଏଣ୍ଟ ଖୋଲାଯିବ । ଏକାସଙ୍ଗେ ଉକ୍ତ ଶାଖା ଏବଂ ଏକ୍ସେସ ପଏଣ୍ଟଗୁଡ଼ିକରେ ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଦେଶର ସମଗ୍ର ୧.୫୫ ଲକ୍ଷ ପୋଷ୍ଟ ଅଫିସକୁ ଆଇପିପିବି ସିଷ୍ଟମ ଦ୍ୱାରା ସଂଯୁକ୍ତ କରାଯିବ । ଆଇପିପିବି ଅନେକ ଉତ୍ପାଦ ସୁବିଧା ପ୍ରଦାନ କରିବ ଯେଉଁଥିରେ କି ସାମିଲ ରହିଛି ସଂଚୟ ତଥା ବର୍ତ୍ତମାନର ଏକାଉଣ୍ଟ, ଅର୍ଥ ସ୍ଥାନାନ୍ତର, ସିଧାସଳଖ ଲାଭାଂଶ ସ୍ଥାନାନ୍ତର, ବିଲ ଓ ଆବଶ୍ୟକ ଦେୟ, ଏଣ୍ଟରପ୍ରାଇଜ ଓ ମର୍ଚ୍ଚାଂଟ ଦେୟ । ଏହି ଉତ୍ପାଦଗୁଡ଼ିକ ଏବଂ ଏଥିସହିତ ସମ୍ପର୍କିତ ସେବାଗୁଡ଼ିକୁ ବିବିଧ ଚ୍ୟାନେଲ (କାଉଣ୍ଟର ସେବା, ମାଇକ୍ରୋ-ଏଟିଏମ, ମୋବାଇଲ ବେଙ୍କିଂ ଆପ, ଏସଏମଏସ ଓ ଆଇଭିଆର) ମାଧ୍ୟମରେ ବ୍ୟାଙ୍କର ସ୍ୱଦେଶୀ ବୈଷୟିକ ଭିତ୍ତିଭୂମି ମାଧ୍ୟମରେ ପ୍ରଦାନ କରାଯିବ ।

 

ସମ୍ବନ୍ଧିତ ଖବର