ଟ୍ରମ୍ପ ଓ ପୁତିନ୍‌ଙ୍କୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ୩ ଟାଣୁଆ ନେତା ହେଲେ ମୋଦି

ତାଲିକାରେ ମର୍କେଲ ପ୍ରଥମ, ଫ୍ରାଞ୍ଚ ରାଷ୍ଟ୍ରପତି ଇମାନୁଏଲ ମାର୍କନଙ୍କୁ ଦ୍ୱିତୀୟ ସ୍ଥାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସ ଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଭାରତ ପାଇଁ ଏକ ଭଲ ଖବର ଆସିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ୩ଜଣ ଟାଣୁଆ ନେତା ହୋଇପାରିଛନ୍ତି ମୋଦି।

ଗଲପ୍‌ ଇଣ୍ଟରନ୍ୟାସନାଲ୍‌ ସର୍ଭେ ରିପୋର୍ଟ ମୋଦିଙ୍କୁ ତାଲିକାର ୩ୟ ସ୍ଥାନରେ ରଖିଛି। ୫୦ଟି ଦେଶର ଶକ୍ତିଶାଳୀ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ସର୍ଭେରେ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ, ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ, ଇସ୍ରାଇଲର ବେଞ୍ଜାମିନ୍‌ ନେତାନୟାହୁଙ୍କୁ ନିଆଯାଇଛି। ବର୍ଷ ୨୦୧୭ ପାଇଁ ବିଶ୍ୱର ଶ୍ରେଷ୍ଠ ତାଲିକାରେ ପୁତିନଙ୍କୁ ୬ ନମ୍ବର ର‍୍ୟାଙ୍କ ମିଳି ଥିବା ବେଳେ ଟ୍ରମ୍ପଙ୍କୁ ୧୦ମ ସ୍ଥାନ ମିଳିଛି।

ତାଲିକାର ଶ୍ରେଷ୍ଠ ସ୍ଥାନରେ ଜର୍ମାନ ଚାନସେଲର ଆଞ୍ଜେଲା ମର୍କେଲ, ଫ୍ରାଞ୍ଚ ରାଷ୍ଟ୍ରପତି ଇମାନୁଏଲ ମାର୍କନଙ୍କୁ ସ୍ଥାନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସରେ ଆଗାମୀ ଜାନୁଆରୀ ୨୨ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଓ୍ଵାଲ୍‌ର୍ଡ ଇକୋନୋମିକ୍‌ ଫୋରମ୍‌ରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର