ଚନ୍ଦ୍ରପୃଷ୍ଠରେ ‘ଚନ୍ଦ୍ରଯାନ-୨’ର ଅବତରଣ ଦେଖିବାକୁ ବେଙ୍ଗାଲୁରୁ ପହଂଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବେଙ୍ଗାଲୁରୁ ପହଞ୍ଚିଛନ୍ତି। ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣ ଦେଖିବାକୁ ମୋଦି ବେଙ୍ଗାଲୁରୁସ୍ଥିତ ଇସ୍ରୋ ସେଣ୍ଟରରେ ପହଞ୍ଚିଛନ୍ତି। ଚନ୍ଦ୍ରଯାନର ଅବତରଣ ଶୁକ୍ରବାର-ଶନିବାର ମଧ୍ୟ ରାତି (ସେପ୍ଟେମ୍ବର ୭)ରେ ହେବ। ଏଥି ପାଇଁ ମୋଦୀଙ୍କ ସାଙ୍ଗରେ ମନୋନୀତ ହୋଇଥିବା ୬୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ରହିବେ।

ଚନ୍ଦ୍ରଯାନ-୨ର ଅବତରଣ ସମସ୍ତେ ଦେଖିବାକୁ ମୋଦୀ ଦେଶବାସୀଙ୍କୁ ଆହ୍ଵାନ କରିଛନ୍ତି। ଏହା ଏକ ବିରଳ ଦୃଶ୍ୟ ଓ ସ୍ମରଣୀୟ ମୂହୁର୍ତ୍ତ ହେବ। ସୋସିଆଲ ମିଡିଆରେ ଫଟୋ ସେୟାର କରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି। ଏଥି ସହିତ ସେ କହିଛନ୍ତି, ମୁଁ ମଧ୍ୟ ସୋସିଆଲ ମିଡିଆରେ ଫଟୋ ସେୟାର କରିବି।

ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଭାରତର ଚନ୍ଦ୍ରଯାନ-୨ ର ଲାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇ ଇତିହାସ ସୃଷ୍ଟି କରିବ । ଭାରତର ୧୩୦ କୋଟି ଜନତାଙ୍କ ସମେତ ସାରା ବିଶ୍ୱର ଆଖି ଏହା ଉପରେ ରହିଛି । ଏହି ଓହ୍ଲାଇବାର କିଛି ଘଣ୍ଟା ଚନ୍ଦ୍ରଯାନ-୨ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ତେବେ ଆଶ୍ୱସ୍ତିର କଥା ହେଉଛି ଏପର୍ଯ୍ୟନ୍ତ ସବୁକିଛି ଯୋଜନା ଅନୁସାରେ ଠିକଠାକ ଚାଲିଛି । ଏହାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ।

ଲାଣ୍ଡର ବିକ୍ରମ ଆଜି ରାତି ୧:୩୦ ରୁ ୨:୩୦ ମଧ୍ୟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଓହ୍ଲାଇବ । ଚନ୍ଦ୍ରପୃଷ୍ଠଠାରୁ ୧୦୦ ମିଟର ଉଚ୍ଚତାରେ ଥିବାବେଳେ ନିର୍ଦ୍ଦିଷ୍ଟଭାବେ କେଉଁ ସ୍ଥାନରେ ଓହ୍ଲାଇବ ତାହା ସ୍ଥିର କରିବ । ଏହାପରେ ୫.୩୦ରୁ ୬.୩୦ ମଧ୍ୟରେ ରୋଭର ପ୍ରଜ୍ଞାନ ଏଥିରୁ ଓହ୍ଲାଇବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର