ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୌଣସି ନାଗରିକତା ପ୍ରମାଣପତ୍ରର ଆବଶ୍ୟକତା ନାହିଁ: ପିଏମଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମରୁ ଭାରତର ନାଗରିକ ଏବଂ ତାଙ୍କର ନାଗରିକତା ପ୍ରମାଣପତ୍ର ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଗରିକ ପ୍ରମାଣପତ୍ର ବିଷୟରେ ପଚାରି ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ଏକ ଆବେଦନ ପତ୍ର ଦାଖଲ କରାଯାଇଥିଲା। ଏବେ ଦାଖଲ କରାଯାଇଥିବା ଆବେଦନର ଜବାବ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ଜବାବ ଦିଆଯାଇଛି।

ସୂଚନା ମୁତାବକ, ଜାନୁଆରି ୧୭, ୨୦୨୦ରେ ସୁଭଙ୍କର ସରକାର ନାମକ ଜଣେ ଯୁବକଙ୍କ ଦ୍ୱାରା ଆରଟିଆଇ ଦାଖଲ କରାଯାଇଥିଲା। ଆବେଦନକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଗରିକତ୍ୱ ପ୍ରମାଣପତ୍ର ଦେଖାଇବାକୁ କହିଥିଲେ। ଶୁଭଙ୍କରଙ୍କ ଆବେଦନ ପତ୍ର ପାଇବା ପରେ ଏହାର ଜବାବ ଦେଇଛନ୍ତିି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଣ୍ଡର ସେକ୍ରେଟାରୀ ପ୍ରବୀଣ କୁମାର। ସେ ଲେଖିଛନ୍ତି କି, ନାଗରିକତା ଅଧିନିୟମ, ୧୯୫୫ର ଧାରା ୩ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମରୁ ଭାରତର ନାଗରିକ ଅଟନ୍ତି। ଏଭଳି ପରିସ୍ଥିତିରେ ତାଙ୍କୁ ପଞ୍ଜିକରଣ କରି ନାଗରିକତା ପ୍ରମାଣପତ୍ର ରଖିବାର କୌଣସି ଆବଶ୍ୟକତା ନାହିଁ।

ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଭଳି ଜବାବ ଆସିବା ପରେ ସିମି ପାଶା ନାମକ ଜଣେ ସାମ୍ବାଦିକା ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଲେଖିଛନ୍ତି, ଯଦି ନାଗରିକତା ଅଧିନିୟମ ୧୯୫୫ର ଧାରା ୩ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନାଗରିକତା ପଞ୍ଜିକରଣ କରିବାର କୌଣସି ଆବଶ୍ୟକ ନାହିଁ, ତେବେ ଅନ୍ୟମା‌ନେ କାହିଁକି କରିବେ?

ସମ୍ବନ୍ଧିତ ଖବର