ଯଦି ୨୦୧୯ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳେ ତେବେ ବିଜେପି ସପକ୍ଷରେ ପ୍ରଚାର କରିବି: କେଜ୍ରିଓ୍ଵାଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀ ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜେନୈତିକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦିଲ୍ଲୀକୁ ସଂପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରଦାନ କରନ୍ତି ତେବେ ଆମ୍‌ ଆଦମୀ ପାର୍ଟିର ପ୍ରତିଟି ଭୋଟ ଭାରତୀୟ ଜନତା ପାର୍ଟି ଖାତାକୁ ଯିବ। ଦିଲ୍ଲୀ ବିଧାନସଭା ଅଧିବେଶନରେ ସେ କହିଛନ୍ତି, ‘ମୁଁ ବିଜେପିକୁ ଜଣାଇଦେବାକୁ ଚାହେଁ କି ଯଦି କେନ୍ଦ୍ର ସରକାର ୨୦୧୯ ନିର୍ବାଚନ ପୂର୍ବରୁ ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବେ ତେବେ ଦିଲ୍ଲୀର ପ୍ରତିଟି ଭୋଟ ବିଜେପି ପାଖକୁ ଯିବ। ଆଉ ମୁଁ ବିଜେପି ସପକ୍ଷରେ ପ୍ରଚାର କରିବି। ଆଉ ଯଦି ଏହା ନ ହୁଏ ତେବେ ପ୍ରତିଟି ଦିଲ୍ଲୀ ବାସିନ୍ଦା ତାଙ୍କ ଘର ସାମ୍ନାରେ ‘ବିଜେପି ଦିଲ୍ଲୀ ଛାଡ଼’ ବୋର୍ଡ ଲଗାଇଦେବେ।’

ରବିବାର ଦିନ ଦଳୀୟକର୍ମୀଙ୍କୁ ଉଦ୍‌ବୋଧନ ଦେଇ ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲ କହିଥିଲେ କି ଆପ୍‌ ପକ୍ଷରୁ ‘ଏଲ୍‌ ଜି ଦିଲ୍ଲୀ ଛୋଡୋ’ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନର ଲକ୍ଷ୍ୟ ହେଲା ଦିଲ୍ଲୀର ସମ୍ପୂର୍ଣ୍ଣ ରାଜ୍ୟ ମାନ୍ୟତା । ଯାହା ଫଳରେ ଦେଶର ଅନ୍ୟ ରାଜ୍ୟ ଭଳି ଦିଲ୍ଲୀରେ ଲେଫ୍ଟଟାଣ୍ଟ ଗଭର୍ଣ୍ଣର ରହିବା ଆବଶ୍ୟକତା ନାହିଁ। ଏଥିସହ କେଜ୍ରିଓ୍ଵାଲ ଏକଥା ମଧ୍ୟ କହିଥିଲେ କି ଆପ୍‌ ଦିଲ୍ଲୀର ଜନସାଧାରଣଙ୍କ ପାଖକୁ ଯିବ ଏବଂ ସେମାନେ ଜନତାଙ୍କ ସରକାର ଚାହାନ୍ତି ନା ଲେଫନାଣ୍ଟ ଗଭର୍ଣ୍ଣରଙ୍କ ସରକାର ଚାହାନ୍ତି ତାହା ପଚାରି ବୁଝିବ। ମହାତ୍ମାଗାନ୍ଧୀ ‘ଭାରତ ଛାଡ’ ଆନ୍ଦୋଳନ କରିଥିଲେ ଏବଂ ଇଂରେଜ ସରକାରଙ୍କ ଭାଇସ୍‌ରାୟଙ୍କୁ ଦେଶରୁ ବିଦା କରିଥିଲେ । ସେମିତି ଆପ୍‌ ଦିଲ୍ଲୀରୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ ହଟାଇବ।

ସମ୍ବନ୍ଧିତ ଖବର