ପିଏନ୍‌ବି ମହାଦୁର୍ନୀତି: କଂଗ୍ରେସ-ବିଜେପି ମୁହାଁମୁହିଁ

ନୂଆଦିଲ୍ଲୀ: ପଂଜାବ ନ୍ୟାସ୍‌ନାଲ ବ୍ୟାଙ୍କରେ ହୋଇଥିବା ଦେଶର ସବୁଠାରୁ ବଡ଼ ବ୍ୟାଙ୍କିଙ୍ଗ୍‌ ଦୁର୍ନୀତି ନେଇ ରାଜନୈତିକ ଲଢ଼େଇ ଜୋର୍‌ଦାର ହୋଇଛି। ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶର ୯୦ ପ୍ରତିଶତ ଆର୍ଥିକ ଜାଲିଆତି ଚଳିତ ସରକାର ଅମଳରେ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥ ବ୍ୟବସ୍ଥାକୁ ଘୋର କ୍ଷତି ପହଞ୍ଚାଇଛନ୍ତି। ପିଏନ୍‌ବି ଦୁର୍ନୀତି ନେଇ ସରକାରଙ୍କୁ ଘେରିବାକୁ ଆଜି କଂଗ୍ରେସ ଦଳର ବରିଷ୍ଠ ନେତା ନେତା କପିଲ ଶିବଲଙ୍କୁ ନିୟୋଜିତ କରିଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ ଶିବଲ କହିଛନ୍ତି ଯେ ୧୧ ହଜାର ୩ ଶହ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ନେଇ କଂଗ୍ରେସ ପଚାରିଥିବା ପ୍ରଶ୍ନର ଜବାବ ମୋଦିଙ୍କୁ ଦେବାକୁ ହେବ ।

ଅନ୍ୟପକ୍ଷରେ ଏହି ଦୁନୀତି କଂଗ୍ରେସ ସରକାର ଅମଳରେ ହିଁ ହୋଇଥିଲା ଏବଂ ନିରବ ମୋଦିଙ୍କ ପରିବାର ସହ କଂଗ୍ରେସ ନେତାଙ୍କ ଘନିଷ୍ଠ ସଂପର୍କ ରହିଥିବାରୁ ତାଙ୍କୁ ବ୍ୟାଙ୍କ୍‌ ଋଣ ଦେଇଥିଲା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଶିବଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ପକୋଡ଼ା ବିକ୍ରି କରିବା ପାଇଁ ଉପଦେଶ ଦେଉଥିବା ବେଳେ ଚୋରମାନେ ଦେଶକୁ ଲୁଟ୍‌ କରି ଦେଶ ଛାଡ଼ି ପଳାଉଛନ୍ତି ଏବଂ ଏଥିରେ ସେମାନଙ୍କୁ ସରକାର ସହଯୋଗ କରୁଛନ୍ତି। ଦେଶରେ ବିଶାଳ ବ୍ୟାଙ୍କ ଦୁର୍ନୀତି ଚାଲିଥିବା ବେଳେ ସରକାର ଜାଣିଶୁଣି ଏହାର ତଦନ୍ତକୁ ଅଣଦେଖା କରିଥିଲେ ଏବଂ ଦୁର୍ନୀତିଖୋର୍‌ଙ୍କୁ ଅଧିକ ଦୁର୍ନୀତି ପାଇଁ ସୁଯୋଗ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସହିତ ବିଦେଶ ଗସ୍ତରେ ଯାଉଥିବା ବ୍ୟକ୍ତି ବିଶେଷଙ୍କ ନାମ କାହିଁକି ପ୍ରଘଟ କରୁନାହାନ୍ତି ବୋଲି ଶିବଲ ପ୍ରଶ୍ନ କରିବା ସହ ଡାଭୋସ୍‌ରେ ପ୍ରଧାନମନ୍ତ୍ରୀଙ୍କ ସହିତ ନିରବ ମୋଦିଙ୍କ ଫଟୋକୁ ନେଇ ମଧ୍ୟ ଜବାବ ଲୋଡ଼ିଛନ୍ତି।

ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୟୁପିଏ ସରକାର ସମୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିରବ ମୋଦିଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଗୋଟିଏ ଦିନ ପରେ ତାଙ୍କ ସଂସ୍ଥାକୁ ବିପୁଳ ଋଣ ମଂଜୁର ହୋଇଥିଲା। ଏହା ବ୍ୟତୀତ କଂଗ୍ରେସ ନେତା ଅଭିଷେକ ମନୁ ସିଂଗଭି ନିରବ ମୋଦିଙ୍କ ପରିବାର ସହିତ ଅତି ଘନିଷ୍ଠ ଅଛନ୍ତି ବୋଲି ସୀତାରମଣ କହିଛନ୍ତି। ନିରବ ମୋଦିଙ୍କ ଫାଇଭ୍‌ ଷ୍ଟାର ଡାଇମଣ୍ଡ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍‌ ଲିମିଟେଡ ଅଦ୍ୱୈତ ହୋଲ୍‌ଡିଂସ୍‌ରୁ ଅଧିଗ୍ରହଣ ହୋଇଥିଲା ଏବଂ ଏହି ସଂସ୍ଥାର ଜଣେ ବଡ଼ ଅଂଶୀଦାର ହେଉଛନ୍ତି ସିଂଗଭିଙ୍କ ପତ୍ନୀ ଅନିତା ସିଂଗଭି। କଂଗ୍ରେସ ନେତାଙ୍କୁ ଏହାର ଜବାବ ଦେବାକୁ ହେବ ବୋଲି ସୀତାରମଣ କହିଛନ୍ତି ।

ସିଂଗଭିଙ୍କ ପୁଅ ମଧ୍ୟ ଅଦ୍ୱୈତ ହୋଲ୍‌ଡିଂସରେ ନିର୍ଦ୍ଦେଶକ ଥିବା ସେ କହିଛନ୍ତି । କଂଗ୍ରେସ ସରକାର ସମୟରେ ୨୦୧୧ରେ ଏହି ଦୁର୍ନୀତି ଜନ୍ମ ନେଇଥିଲା ଏବଂ ୨୦୧୩ରେ କଂଗ୍ରେସ ନେତାମାନେ ନିରବ ମୋଦିଙ୍କ ସହିତ ଘନିଷ୍ଠତା ବଢ଼ାଇଥିଲେ। ନିରବ ମୋଦିଙ୍କ କମ୍ପାନିର ଏକ ଉତ୍ସବରେ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ ଏବଂ ଏହାର ମାତ୍ର ଦିନକ ପରେ ନିରବ ମୋଦିଙ୍କୁ ବଡ଼ ଋଣ ମଂଜୁର ହୋଇଥିବାରୁ କଂଗ୍ରେସ ଏହାର ଜବାବ ଦେବାକୁ ହେବ ବୋଲି ସୀତାରମଣ କହିଛନ୍ତି। ଏନ୍‌ଡିଏ ସରକାର ଆସିବା ପରେ ପିଏମ୍‌ଓରେ ଏ ବାବଦରେ ଯେଉଁ ଅଭିଯୋଗ ହୋଇଥିଲା ବୋଲି କୁହାଯାଉଛି ତାହା ପିଏନ୍‌ବି ଜାଲିଆତି ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ନଥିଲା ବୋଲି ସୀତାରମଣ କହିଛନ୍ତି। ତେବେ ବିଜେପିର ଅଭିଯୋଗ ଭିତ୍ତିହୀନ ଏବଂ ଏହା ବିରୋଧରେ ସେ ମାନହାନି ମକଦ୍ଦମା କରିବେ ବୋଲି କଂଗ୍ରେସ ନେତା ସିଂଗଭି କହିଛନ୍ତି।

ସମ୍ବନ୍ଧିତ ଖବର