ପିଏନ୍‌ବି ଦୁର୍ନୀତି: ଏସ୍‌ଆଇଟି ଯାଞ୍ଚ ଆବେଦନକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ପିଏନ୍‌ବି ଠକେଇ ମାମଲର ଏସ୍‌ଆଇଟି ଯାଞ୍ଚ ପାଇଁ ହୋଇଥିବା ଆବେଦନକୁ ଆଜି କେନ୍ଦ୍ର ସରକାର ବିରୋଧ କରିଛନ୍ତି। ନିରବ ମୋଦିଙ୍କ ନାମରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ଚାଲିଥିବା ବେଳେ ଏସ୍‌ଆଇଟିର କୌଣସି ଆବଶ୍ୟକତା ନଥିବା ନେଇ ଆଜି ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ କହିଛନ୍ତି। ହୀରା ବ୍ୟସାୟୀ ନିରବ ମୋଦି ପିଏନ୍‌ବି ମୁମ୍ବାଇ ଶାଖାରୁ ୧୧ହଜାର ୩ଶହ କୋଟି ଟଙ୍କା ଠକି ଫେରାର୍‌ ହୋଇଯିବା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାୟିତ୍ୱ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌(ଏସ୍‌ଆଇଟି)କୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରକାର ଏସ୍‌ଆଇଟି ଯାଞ୍ଚକୁ କାହିଁକି ଖାରଜ କଲେ ଏନେଇ ଉତ୍ତର ଦେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୧୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେପଟେ ନିରବଙ୍କ ଓକିଲ ବିଜୟ ଅଗ୍ରଓ୍ଵାଲ କହିଛନ୍ତି ଏହି ମାମଲା ଅତିଶୀଘ୍ର ବନ୍ଦ ହୋଇଯିବ। ପିଏନ୍‌ବି ଓ ଆର୍‌ବିଆଇ କର୍ମକର୍ତ୍ତା ଅଯଥାରେ ହୋ-ହଲ୍ଲା କରୁଛନ୍ତି। ନିରବ ମୋଦିଙ୍କୁ ଦୋଷୀ ସାବ୍ୟସ୍ଥ କରିବାକୁ ସେମାନଙ୍କ ପାଖରେ ସେଭଳି କୌଣସି ପ୍ରମାଣ ନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର