ବିମାନବନ୍ଦରର ଭିଆଇପି ଲାଉଞ୍ଜ ଭିତରୁ ବାହାରିଲା ବିଶାଳ ବିଷଧର ସାପ, ଖେଳିଗଲା କୋକୁଆ ଭୟ

ପଣ୍ଡୁଚେରି: ପଣ୍ଡୁଚେରି ବିମାନବନ୍ଦରରେ ଭିଆଇପି ଲାଉଞ୍ଜ ଭିତରୁ ଏକ ବିଶାଳ ବିଷଧର ସାପ ଠାବ ହୋଇଛି। ଏହି ବିଶାଳ ସାପ ମିଳିବା ପରେ ବିମାନବନ୍ଦରରେ ଥିବା ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆନ୍‌ ଚେୟାରମ୍ୟାନ୍‌ ଗୁରୁପ୍ରସାଦ ମହାପାତ୍ରଙ୍କ ସହିତ ଶୀର୍ଷ ଅଧିକାରୀ ବୈଠକ କରୁଥିଲେ। ଏହି ସମୟରେ କାଉଚ ତଳେ ଏକ ଛଅଫୁଟ ଲମ୍ବର ସାପ ଥିବା ଦେଖିବାକୁ ପାଇଥିଲେ। ସାପ ଦେଖିବା ପରେ ସମସ୍ତେ ଭୟଭୀତ ହୋଇ ଲାଉଞ୍ଜରୁ ବାହାରକୁ ବାହାରି ଚାଲି ଯାଇଥିଲେ। ସେଠାରେ ଥିବା ଜଣେ ମହିଳା କର୍ମଚାରୀ ବାଡି ସାହାଯ୍ୟରେ ସାପକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ। ଶେଷରେ ଜଣେ ପୁଲିସ କନେଷ୍ଟବଳ ସାପକୁ ଧରିବାରେ ସଫଳ ହୋଇଥିଲେ।

ସାପ ନିକଟସ୍ଥ ଜଙ୍ଗଲରୁ ଖାଦ୍ୟ ଅନେ୍ଵଷଣରେ ବିମାନବନ୍ଦର ଭିତରକୁ ଚାଲି ଆସିଥିବା ଅନୁମାନ କରାଯାଉଛି। ବନ ବିଭାଗ ଅଧିକାରୀ ସାପଟିକୁ ଧରି ନେଇଛନ୍ତି। ଏହି ସାପଟି ଭାଇପର ପ୍ରଜାତିର ବୋଲି କୁହାଯାଇଛି। ତେବେ ଏହି ସାପକୁ ଧରିଥିବା ପଣ୍ଡୁଚେରିର ଇଣ୍ଡିଆ ରିଜର୍ଭ ବଟାଲିୟନ୍‌ ସହିତ ଜଡ଼ିତ ଥିବା କନେଷ୍ଟବଳ ଡି ଥିୟାଗୋଙ୍କୁ ତାଙ୍କ ସାହାସିକତା ପାଇଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ମହିଳା କର୍ମଚାରୀଙ୍କୁ ବି ଆସନ୍ତା ସୋମବାର ତାଙ୍କ ସାହାସିକତା ପାଇଁ ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର