ପୋଲାଭରମ୍‌ ନେଇ ସୁପ୍ରିମକୋର୍ଟରେ ଓଡ଼ିଶାର ସତ୍ୟପାଠ

ନୂଆଦିଲ୍ଲୀ: ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ୧୯୮୦ର ସର୍ତକୁ ଉଲ୍ଲଂଘନ କରି ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାର ପୋଲାଭରମ୍‌ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ଜାରି ରଖିଛନ୍ତି। ପୋଲାଭରମ୍‌ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଆଦିବାସୀ ଅଞ୍ଚଳ ଜଳମଗ୍ନ ହେବା ସହିତ ଆଦିବାସୀମାନଙ୍କ ଅଧିକାର ଉଲ୍ଲଂଘନ ହେବ। ପୋଲାଭରମ୍‌ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଏହା ଉଲ୍ଲେଖ କରାଯାଇଛି। ଗତ ଫେବ୍ରୁଆରି ୧୫ ତାରିଖରେ ପୋଲାଭରମ୍‌ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସମେତ ମହାରାଷ୍ଟ୍ର, ଛତିଶଗଡ଼, ତେଲେଙ୍ଗାନା ଓ କର୍ଣ୍ଣାଟକକୁ ପୋଲାଭରମ ପ୍ରକଳ୍ପ ଗୋଦାବରୀ ଟ୍ରିବ୍ୟୁନାଲ ୧୯୮୦ର ସର୍ତ ଅନୁସାରେ କାର୍ଯ୍ୟକାରୀ ହେଉଛି ନା ନାହିଁ ସେ ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ଓଡ଼ିଶା ସରକାରଙ୍କ ଦ୍ୱାରା ୩ଟି ଖଣ୍ଡ ଆକାରରେ ୯୯୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି। ଏଥିରେ କୁହାଯାଇଛି ଆନ୍ଧ୍ର ପ୍ରଦେଶ ଓ କେନ୍ଦ୍ର ସରକାର ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ୧୯୮୦ର ସର୍ତ ଅନୁପାଳନ କରିନାହାନ୍ତି। ଏଥିପାଇଁ ଓଡ଼ିଶା ଦ୍ୱାରା ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ୍‌ ଦାଖଲ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର