ପୋଲାଭରମ ମାମଲା : ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ କେନ୍ଦ୍ର ତତ୍ପର

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାକୁ ଆପୋସ ବୁଝାମଣା ଓ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଜରିଆରେ ସମାଧାନ କରିବାପାଇଁ ଗତ ମଙ୍ଗଳବାର ଦିନ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ଏହି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ଅବଧିରେ ଶେଷ କରିବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆନ୍ଧପ୍ରଦେଶ ସରକାରଙ୍କୁ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବାପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତିନ ଗଡ଼କରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କୁ ଆଶ୍ୱାସନା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଡକରୀଙ୍କୁ ସାକ୍ଷାତ ଆଲୋଚନା କରିଥିଲେ। ୨୦୧୯ ପୂର୍ବରୁ କିଭଳି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରିବ ତାହା ଉକ୍ତ ବୈଠକର ଏଜେଣ୍ଡା ଥିଲା।

ଗଡକରୀଙ୍କୁ ନିର୍ମାଣାଧୀନ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ଷ୍ଟାଟସ ରିପୋର୍ଟ ଦିଆଯାଇଥିଲା। ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଠିକାଦାରମାନଙ୍କୁ ବଦଳାଇବାପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଠିକାଦାରମାନଙ୍କ ମନ୍ଥରତା ଯୋଗୁଁ କାର୍ଯ୍ୟ ଅଗ୍ରଗତି ହେଉନଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ଏତଦ୍‌୍‌ବ୍ୟତୀତ ଗତମାସରେ ନୂଆ ଠିକାଦାର ଚୟନ ପାଇଁ ଆନ୍ଧ୍ର ସରକାର ଯେଉଁ ଟେଣ୍ଡର ଆମନ୍ତ୍ରଣ କରିଥିଲେ ତାହା ଉପରେ କେନ୍ଦ୍ର ସରକାର ରୋକ୍‌ ଲଗାଇ ଦେଇଥିବାରୁ ନୂଆ ଠିକାଦାର ଚୟନ ହୋଇନପାରିବା ଫଳରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଯଥେଷ୍ଟ ରୂପେ ପ୍ରଭାବିତ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତେବେ ଆଲୋଚନା ବେଳେ ଓଡ଼ିଶା ସମେତ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟମାନଙ୍କର ଚିନ୍ତା ଓ ଆପତ୍ତି ବିଷୟରେ ଆଲୋଚନା ହୋଇନଥିବା କୁହାଯାଉଛି। ଆପୋସ ଆଲୋଚନା ଦ୍ୱାରା ମାମଲାର ସମାଧାନ ହୋଇପାରିବ ବୋଲି ସୁପ୍ରିମକୋର୍ଟରେ ଓଡ଼ିଶାର ପ୍ରସ୍ତାବ ଏଭଳି ସ୍ଥିତିରେ କେତେଦୂର ଫଳପ୍ରଦ ହୋଇପାରିବ ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ସମ୍ବନ୍ଧିତ ଖବର