ଆପୋସ ବୁଝାମଣା ପାଇଁ ଓଡ଼ିଶାର ପ୍ରସ୍ତାବ

ସୁପ୍ରିମକୋର୍ଟରେ ପୋଲାଭରମ ମାମଲା

ନୂଆଦିଲ୍ଲୀ: ନ୍ୟାୟିକ ସମାଧାନ ନୁହେଁ, ଆପୋସ ବୁଝାମଣା ଜରିଆରେ ପୋଲାଭରମ ମାମଲାର ସମାଧାନ ପାଇଁ ଆଜି ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ୍‌ ନ୍ୟାୟାଳୟରେ ବିଚାରାଧୀନ ଥିବା ମାମଲା ପରିବର୍ତ୍ତେ ଆପୋଷ ବୁଝାମଣା ଦ୍ୱାରା ବିବାଦୀୟ ପ୍ରସଙ୍ଗର ସମାଧାନ କରାଯିବ। ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ବିବାଦୀୟ ଇନ୍ଦିରାସାଗର ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲା ସମ୍ପର୍କିତ ଓଡ଼ିଶାଦ୍ୱାରା ଦାଖଲ କରାଯାଇଥିବା ମୂଳ ଆବେଦନର ଶୁଣାଣି କରିଥିଲେ । ନିକଟରେ ପୋଲାଭରମ ପ୍ରକଳ୍ପ ବିରୋଧରେ ଓଡ଼ିଶା ଦ୍ୱାରା ଦାଖଲ କରାଯାଇଥିବା ମୂଳ ଆବେଦନର ସମସ୍ତ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଓଡ଼ିଶାର ଆବେଦନ ବିଚାର ପାଇଁ ଗ୍ରହଣୀୟ ନୁହେଁ ଏବଂ ଏହାକୁ ଖାରଜ କରିଦେବାପାଇଁ କହିଥିଲେ। ପୋଲାଭରମ ପ୍ରକଳ୍ପ କାର୍ଯ୍ୟରେ ସମସ୍ତ ପ୍ରକାର ବିଧି ବ୍ୟବସ୍ଥା ପାଳନ କରାଯାଉଥିବା ସତ୍ୟପାଠରେ ଦର୍ଶାଯାଇ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରାଯାଇ ପାରିବନି ବୋଲି କେନ୍ଦ୍ର ସରକାରଙ୍କ ଦ୍ୱାରା କୁହାଯାଇଥିଲା।

ଆଜି କୋର୍ଟରେ ଓଡ଼ିଶା ପୋଲାଭରମ ପ୍ରକଳ୍ପ ମାମଲାରେ ନ୍ୟାୟିକ ଲଢ଼େଇକୁ ଆଉ ଆଗକୁ ନନେଇ ମାମଲାକୁ ଆପୋସ ବୁଝାମଣା ଜରିଆରେ ସମାଧାନ କରିବାକୁ ପ୍ରସ୍ତାବ ଦେଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟମ୍‌ ଆପୋଷ ଆଲୋଚନା ମାଧ୍ୟମରେ ପ୍ରକଳ୍ପକୁ ନେଇ ଓଡ଼ିଶାର ଅସନ୍ତୋଷ ଦୂର ହୋଇପାରିବ ବୋଲି ଖଣ୍ଡପୀଠଙ୍କ ନିକଟରେ ମତ ରଖିଥିଲେ। ପୋଲାଭରମ ପ୍ରକଳ୍ପ ତ୍ୱରାନ୍ଵିତ ହେଲେ ଓଡ଼ିଶାର ସମସ୍ୟା ପ୍ରସଙ୍ଗ ଉଲ୍ଲେଖ କରିବା ସହିତ ପୋଲାଭରମ୍‌ ଡ୍ୟାମ୍‌ର ଉଚ୍ଚତା ବୃଦ୍ଧି ପାଇଁ ଆନ୍ଧ୍ର ସରକାରଙ୍କୁ ଅନୁମତି ଦିଆଯିବା ମଧ୍ୟ ଚିନ୍ତାର ବିଷୟ ବୋଲି ଶୁଣାଣି ସମୟରେ କହିଥିଲେ। ଆଜି ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନରମ ମନୋଭାବ ପୋଷଣ କରାଯାଇଥିଲା। ଗୋପାଳ ସୁବ୍ରମଣ୍ୟମ୍‌ ଖଣ୍ଡପୀଠଙ୍କୁ କହିଥିଲେ ଯେ ପୋଲାଭରମ ପ୍ରକଳ୍ପ ବିବାଦର ସମାଧାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ଏବଂ ମୁଖ୍ୟମନ୍ତ୍ରୀସ୍ତରୀୟ ଆଲୋଚନା ଅନ୍ତର୍ଗତ ଆପୋଷ ବୁଝାମଣାରେ ବିବାଦର ସମାଧାନ ଚାହୁଁଛନ୍ତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀଙ୍କ ପତ୍ରକୁ ଖଣ୍ଡପୀଠଙ୍କୁ ଦେଖାଇଥିଲେ। ଶୁଣାଣି ସମୟରେ ଗୋପାଳ ସୁବ୍ରମଣ୍ୟମ୍‌ ପୋଲାଭରମ ଡ୍ୟାମ୍‌ ହେଲେ ମାଲକାନଗିରି ଜିଲ୍ଲାର ଅନେକ ଅଞ୍ଚଳ କିପରି ଜଳମଗ୍ନ ହେବ ଏବଂ ମାଲକାନଗିରି ଜିଲ୍ଲାର ଲୋକମାନେ ଯେଭଳି ପ୍ରଭାବିତ ନହେବେ ସେନେଇ ଗୁରୁତ୍ୱାରୋପ କରିଥିଲେ। ଡ୍ୟାମ୍‌ର ଉଚ୍ଚତା କିଭଳି ଭାବେ କମ୍‌ ରହିବ ସେନେଇ ସେ ଶୁଣାଣି ସମୟରେ ଅଧିକ ଗୁରୁତ୍ୱ ଦେଇଥିଲେ। ତେବେ ପ୍ରକଳ୍ପ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ କେବଳ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିନାହାନ୍ତି ଏଥିସହ ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ପତ୍ର ଲେଖାଯାଇଛି ଏବଂ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ସେମାନଙ୍କ ମତ ସନ୍ତୋଷଜନକ ଥିବାର ସେ କୋର୍ଟଙ୍କୁ କହିଥିିଲେ। ଆପୋସ ବୁଝାମଣା ଜରିଆରେ ମାମଲାର ସମାଧାନ ପାଇଁ ପ୍ରସ୍ତାବ ରହିଥିବାରୁ ସେ ଖଣ୍ଡପୀଠଙ୍କ ନିକଟରେ ସମୟ ଲୋଡ଼ିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୫ ତାରିଖରେ କରାଯିବ ବୋଲି କୋର୍ଟ କହିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ ମଧ୍ୟ କହିଥିଲେ ଯେ ଉଚ୍ଚସ୍ତରୀୟ ଆଲୋଚନାରେ ବିବାଦର ସମାଧାନ ହୋଇପାରିବ। ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ପିଙ୍କି ଆନନ୍ଦ, ଆନ୍ଧ୍ର ପ୍ରଦେଶ ସରକାରଙ୍କ ଓକିଲ ଏକେ ଗାଙ୍ଗୁଲି ଆପୋଷ ଆଲୋଚନା ଜରିଆରେ ବିବାଦର ସମାଧାନ ପାଇଁ ଓଡ଼ିଶାର ପ୍ରସ୍ତାବକୁ ସ୍ୱାଗତ କରିଥିଲେ।

ପୋଲାଭରମ ପ୍ରକଳ୍ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠର ଜବାବ ଦାଖଲ କରିବାପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମୟ ଲୋଡ଼ାଯାଇଥିଲା। ଉଲ୍ଲେଖଯୋଗ୍ୟ ୨୦୦୭ରେ ରାଜ୍ୟ ସରକାର ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ରାଜ୍ୟ ସରକାର ପୋଲାଭରମ ପ୍ରକଳ୍ପ ପାଇଁ ଆବଶ୍ୟ ଜନଶୁଣାଣି ଓ ପରିବେଶ ମଞ୍ଜୁରୀ ହାସଲ ହୋଇନଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଥିଲେ। ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ବିରୋଧରେ ତଥା ପ୍ରକଳ୍ପକୁ ମିଳିିଥିବା ଅନୁମୋଦନକୁ ଚ୍ୟାଲେଞ୍ଜ କରାଯାଇ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଛି। ଦୀର୍ଘ ୧୦ ବର୍ଷ ହେଲା ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଅଛି। ସୁପ୍ରିମକୋର୍ଟ ଦ୍ୱାରା ପ୍ରକଳ୍ପ ଉପରେ ରହିତାଦେଶ ମଧ୍ୟ ଜାରି କରାଯାଇନାହିଁ। ଆନ୍ଧ୍ରପ୍ରଦେଶ ସରକାର ଯୁଦ୍ଧକାଳୀନ ଭିତ୍ତିରେ ୨୦୧୯ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାପାଇଁ ଲକ୍ଷ୍ୟ ରଖିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ରାୟ ନଦେବା ପର୍ଯ୍ୟନ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ।

ସମ୍ବନ୍ଧିତ ଖବର