ସୁପ୍ରିମ୍‌ କୋର୍ଟରେ ପୋଲାଭରମ ମାମଲା:୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ

ଜବାବ ଦାଖଲରେ ବିଳମ୍ବ ପାଇଁ ୨୦ ହଜାର ଜରିମାନା:ମାମଲାରେ ପକ୍ଷଭୁକ୍ତ ହେଲେ ତେଲେଙ୍ଗାନା ଓ ଛତିଶଗଡ଼ 

ନୂଆଦିଲ୍ଲୀ :  ବିବାଦୀୟ ପୋଲାଭରମ୍‌ ଇନ୍ଦିସାଗର ବହୁମୁଖୀ ଜଳସେଚନ  ପ୍ରସଙ୍ଗ ମାମଲାରେ ଆଜି କେନ୍ଦ୍ର ସରକାରଙ୍କୁ  ସୁପ୍ରିମକୋର୍ଟରେ ହଟହଟା ହେବାକୁ ପଡ଼ିଛି। ୨୦୧୬ ଅକ୍ଟୋବର ୧ ତାରିଖରେ ଓଡ଼ିଶାଦ୍ୱାରା ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନର ଧାରା ୯୦କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଓଡ଼ିଶାର ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର  ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ର ପ୍ରଦେଶ ପକ୍ଷରୁ ଜବାବ ଦାଖଲ କରାଯାଇଥିଲା। ଅପରପକ୍ଷେ ଗୋଟିଏ ବର୍ଷ ବିତିଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜବାବ ଦାଖଲ କରାଯାଇନଥିବାରୁ ଆଜି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର  ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ  କେନ୍ଦ୍ର ସରକାରଙ୍କ ଉପରେ  ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ। ଗୋଟିଏ ବର୍ଷ ବିତିଯାଇଥିଲେ ସୁଦ୍ଧା ଜବାବ କାହିଁକି ଦାଖଲ କରାଯାଇନି ଖଣ୍ଡପୀଠ ବାରମ୍ବାର ପ୍ରଶ୍ନ କରିଥିଲେ। କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତା ଉପରେ ପ୍ରଶ୍ନ କରି ସୁପ୍ରିମକୋର୍ଟ କହିଥିଲେ ଏଭଳି ଶିଥିଳ ମନୋଭାବକୁ କୋର୍ଟ ଆଦୌ ପସନ୍ଦ କରୁନାହିଁ। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେହେତୁ ଏହି ମାମଲାର ବହୁଦିନ ଧରି ଶୁଣାଣି ପାଇଁ ସୁଚିବଦ୍ଧ ହୋଇନଥିଲା ତେଣୁ ଉତ୍ତର ଦାଖଲ କରିବାରେ ବିଳମ୍ବ ଘଟିଛି। ହେଲେ ଖୁବ୍‌ ଶୀଘ୍ର ଉତ୍ତର ଦାଖଲ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ଓକିଲ ଖଣ୍ଡପୀଠଙ୍କୁ ଦଲିଲ ଦେଇଥିଲେ।

ହେଲେ ଖଣ୍ଡପୀଠ ନୋଟିସର ଉତ୍ତର ଦାଖଲ କରିବାର ବିଳମ୍ବତାକୁ ସହଜରେ ଗ୍ରହଣ କରିବାକୁ ଆଦୌ ପ୍ରସ୍ତୁତ ନଥିଲେ। ଅନ୍ୟପକ୍ଷରେ ୨୦ହଜାର ଟଙ୍କା ଜରିମାନା ସହ ୪ ସପ୍ତାହ ଭିତରେ ଜବାବ ଦାଖଲ କରିବାପାଇଁ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଓକିଲ ଜରିମାନା ଆଦାୟ ସମ୍ପର୍କିତ ନିର୍ଦ୍ଦେଶ ନଦିଅନ୍ତୁ ବୋଲି ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଖଣ୍ଡପୀଠ ତାଙ୍କ ଆଦେଶରେ କାଏମ୍‌ ରହିଥିଲେ।  ଶୁଣାଣି ସମୟରେ ଓଡ଼ିଶାର ଆବେଦନକ୍‌ୁ ଗ୍ରହଣ କରାଯାଇ ଛତିଶଗଡ଼ ଓ ତେଲେଙ୍ଗାନା ରାଜ୍ୟକୁ ପୋଲାଭରମ ମାମଲାରେ ପକ୍ଷଭୁକ୍ତ କରାଯାଇଛି। ଛତିଶଗଡ଼ ରାଜ୍ୟ ଦ୍ୱାରା ପକ୍ଷଭୁକ୍ତ ହେବାକୁ ନେଇ କୌଣସି ବିରୋଧ କରାଯାଇନଥିଲା। ଅପରପକ୍ଷେ ମାମଲାରେ ତେଲେଙ୍ଗାନାକୁ ପକ୍ଷଭୁକ୍ତ କରିବାକୁ ନେଇ ଆନ୍ଧ୍ରୟପ୍ରଦେଶ ସରକାରଙ୍କ ଦ୍ୱାରା ଜୋରଦାର ବିରୋଧ କରାଯାଇଥିଲା। ଆନ୍ଧ୍ରପ୍ରଦେଶର ଓକିଲ ଖଣ୍ଡପୀଠଙ୍କୁ କହିଥିଲେ ପୋଲାଭରମ ପ୍ରକଳ୍ପ ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ ନାହିଁ। ହେଲେ ଖଣ୍ଡପୀଠ ଆନ୍ଧ୍ରପ୍ରଦେଶର ଯୁକ୍ତିକୁ ଖାରଜ କରି ମାମଲାରେ ତେଲେଙ୍ଗାନାକୁ ପକ୍ଷଭୁକ୍ତ କରାଯାଉଛି ବୋଲି କହିଥିଲେ। ଏଥି ପୂର୍ବରୁ ପୋଲାଭରମ ମାମଲାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ରାଜ୍ୟକୁ ପକ୍ଷଭୁକ୍ତ କରିବାପାଇଁ ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିସାରିଥିଲେ। ଆଜିର ଶୁଣାଣି ସମୟରେ ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ଅରୁଣ କାଟ୍‌ପାଲିଆଙ୍କୁ ନିୟୋଜିତ କରାଯାଇଥିଲା।

ସମ୍ବିଧାନ ବେଞ୍ଚ୍‌ରେ ଗୋପାଳ ସୁବ୍ରମଣ୍ୟମ ମାମଲାରେ ବ୍ୟସ୍ତ ଥିବା ଯୋଗୁଁ ଅରୁଣ କାଟ୍‌ପାଲିଆ ମାମଲାର ପରିଚାଳନା କରିଥିଲେ। ପୋଲାଭରମ ପ୍ରକଳ୍ପରେ ପକ୍ଷଭୁକ୍ତ କରାଯାଇଥିବା ରାଜ୍ୟମାନଙ୍କୁ ଆବଶ୍ୟକୀୟ ଦସ୍ତାବିଜ କୋର୍ଟରେ ଦାଖଲ କରିବାପାଇଁ କୁହାଯାଇଥିଲା। ଏହି ମାମଲାର ପରବର୍ତ୍ତି ଶୁଣାଣି ପାଇଁ କୋର୍ଟଙ୍କ ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯାଇନଥିବାବେଳେ ୪ ସପ୍ତାହରେ ଶୁଣାଣି ହେବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଆନ୍ଧ୍ରପ୍ରଦେଶ ଦ୍ୱାରା ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ୨୦୧୯ ପୂର୍ବରୁ ଶେଷ କରିବାପାଇଁ ଜୋରଦାର ପ୍ରୟାସ ଜରାଯାଉଛି। ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିକୁ ଲଗାତାର ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ନିରୀକ୍ଷଣ କରାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ସମସ୍ତ ପ୍ରକାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ହେଲେ ଓଡ଼ିଶାର ଏହି ପ୍ରକଳ୍ପ ବିରୋଧରେ ଯେଉଁସବୁ ଆପତ୍ତି ଅିଭଯୋଗ ରହିଛି ତାହାର ତ୍ୱରିତ ସମାଧାନ ହୋଇପାରୁନାହିଁ। ଦୀର୍ଘଦିନରୁ ସୁପ୍ରିମକୋର୍ଟରେ ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ମୂଳ ମାମଲା ବିଚାରଧିନ ଥିବାବେଳେ ନିକଟରେ ଏହାର ଶିଘ୍ର ଶୁଣାଣି ପାଇଁ  ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହାକୁ ଭିତ୍ତି କରି ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ଅପରପକ୍ଷେ କେନ୍ଦ୍ର ସରକାରଙ୍କ ଜବାବ୍‌ ମିଳି ସାରିବାପରେ ଏହି ମାମଲାରେ ଓଡ଼ିଶାର ଯେଉଁ ଆପତ୍ତି ଅଭିଯୋଗ ରହିଛି ତାହାର ଶୁଣାଣି ହେବ ବୋଲି ଅନୁମାନ କରାଯାଉଛି। ଚଳିତମାସ ୧୦ ତାରିଖରେ ମଧ୍ୟ ଜାତୀୟ ଗ୍ରିନ ଟ୍ରିବ୍ୟୁନାଲ୍‌ରେ  ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ଅଛି।

ସମ୍ବନ୍ଧିତ ଖବର