ଆନ୍ଧ୍ର ପାଇଁ କେନ୍ଦ୍ର ଓକିଲାତି : ପୋଲାଭରମ୍‌ ମାମଲାରେ ସତ୍ୟପାଠ ଦାଖଲ

ମାମଲାର ଭିତ୍ତି ନାହିଁ, ଜରିମାନା ସହିତ ଖାରଜ କର, ଆଜି ଶୁଣାଣି, ଜବାବ ରଖିବାକୁ ଓଡ଼ିଶାର ପ୍ରସ୍ତୁତି

ନୂଆଦିଲ୍ଲୀ : ଓଡ଼ିଶା ସରକାର ଯେଉଁ ଆବେଦନ କରିଛନ୍ତି, ତାହାର କୌଣସି ଯୋଗ୍ୟତା ବା ଭିତ୍ତି ନାହିଁ।ଏହାକୁ ଜରିମାନା ସହିତ ଖାରଜ କରାଯାଉ।

ବହୁଚର୍ଚ୍ଚିତ ପୋଲାଭରମ୍‌ ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏଭଳି ଢଙ୍ଗରେ ସତ୍ୟପାଠ ଦାଖଲ କରିଛନ୍ତି। ଓଡ଼ିଶା ସରକାରଙ୍କ ସମସ୍ତ ଅଭିଯୋଗକୁ ଏଥିରେ ବାଏଁ ବାଏଁ ଉଡାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଆନ୍ଧ୍ର ସରକାରଙ୍କ ସପକ୍ଷରେ ଓକିଲାତି କଲାଭଳି କେନ୍ଦ୍ର ସରକାର ଅନେକ କ୍ଷେତ୍ରରେ ମନ୍ତବ୍ୟ ଦେଇଛନ୍ତି। ଶୁଣାଣି ପୂର୍ବରୁ କେନ୍ଦ୍ର ସରକାରଙ୍କ ଏଭଳି ଆଭିମୁଖ୍ୟ ଓଡ଼ିଶା ପାଇଁ ବିପଦ ସାଜିଛି।

ଗତ ମାସ ୨ ତାରିଖରେ ପୋଲାଭରମ୍‌ ପ୍ରକଳ୍ପରେ ପରିବେଶ ମଞ୍ଜୁରି ଉଲ୍ଲଂଘନ ନେଇ ଓଡ଼ିଶାର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ। ଏଥିସହିତ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କୁ ନୋଟିସ ଜାରି କରି ଜବାବ ତଲବ କରାଯାଇଥିଲା। ଗତ ସପ୍ତାହରେ ଆନ୍ଧ୍ର ସରକାର ସତ୍ୟପାଠ ଜରିଆରେ ଜବାବ ଦାଖଲ କରିଥିବା ବେଳେ ଆଜି କେନ୍ଦ୍ର ସରକାର ତାଙ୍କ ଉତ୍ତର ରଖିଛନ୍ତି। ତେବେ ଏହା ଉପରେ ଖୁବ୍‌ଶୀଘ୍ର ଓଡ଼ିଶା ଜବାବ ରଖିବ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ସୁପ୍ରିମକୋର୍ଟରେ ପୋଲାଭରମ୍‌ ପ୍ରକଳ୍ପ ମାମଲାର ଶୁଣାଣି ରହିଛି। ବିଚାରପତି ମଦନମୋହନ ବି ଲୋକୁର, ବିଚାରପତି ଏସ୍‌ ଅବଦୁଲ ନଜିର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲା ଶୁଣିବେ। ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ କେନ୍ଦ୍ର ସରକାର ପୋଲାଭରମ୍‌ ସଂକ୍ରାନ୍ତରେ ଓଡ଼ିଶା ଦାଖଲ କରିଥିବା ମଧ୍ୟବର୍ତୀକାଳୀନ ଆବେଦନର ସମସ୍ତ ଅଭିଯୋଗ ଓ ଆପତ୍ତିକୁ ଖଣ୍ଡନ କରିଛନ୍ତି। କହିଛନ୍ତି, ପୋଲାଭରମ୍‌ ପ୍ରକଳ୍ପ ପାଇଁ ୨୦୦୫ରେ ପ୍ରଦାନ କରାଯାଇଥିବା ପରିବେଶ ମଞ୍ଜୁରି ଲାଗି ଆନ୍ଧ୍ରପ୍ରଦେଶରେ ଜନଶୁଣାଣି କରାଯାଇଥିଲା ଏବଂ ପୁଣି ଥରେ ୨୦୦୯ ଫେବ୍ରୁଆରିରେ ଏହାର ସମୀକ୍ଷା ହୋଇଥିଲା। ସେହି ସମୟରେ ଆନ୍ଧ୍ର ସରକାରଙ୍କୁ ଓଡ଼ିଶା ଓ ଛତିଶଗଡରେ ଜନଶୁଣାଣି ପାଇଁ ପଦକ୍ଷେପ ନେବା ସହିତ ମନ୍ତ୍ରାଳୟକୁ ଜଣାଇବା ପାଇଁ କୁହାଯାଇଥିଲା।

କେନ୍ଦ୍ର ସରକାର କହିଛନ୍ତି, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ୨୦୧୧ ଫେବ୍ରୁଆରି ୮ ତାରିଖରେ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଜନଶୁଣାଣି ତ୍ୱରାନ୍ଵିତ ନ କରିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ନକରିବା ଲାଗି ନିର୍ଦେଶ ଦେଇଥିଲେ। ପରବର୍ତୀ ସମୟରେ ଆନ୍ଧ୍ର ପ୍ରଦେଶ ସରକାର କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖି ନିର୍ମାଣର ଅନୁମତି ନେବା ପାଇଁ ଅନୁରୋଧ କରିଥିଲେ। ମନ୍ତ୍ରାଳୟ ଏହି କ୍ରମରେ ୨୦୧୩ ଫେବ୍ରୁଆରି ୨୬ରୁ ୨୦୧୩ ଅଗଷ୍ଟ ୨୬, ୨୦୧୪ ଜାନୁଆରି ପହିଲାରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆଦେଶକୁ ସ୍ଥଗିତ ରଖି ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ର ସରକାରଙ୍କୁ ଅନୁମତି ଦେଇଥିଲେ। ପରବର୍ତୀ ସମୟରେ ମନ୍ତ୍ରାଳୟ କିଛି ସର୍ତ ସହିତ ୨୦୧୫ ଜୁନ୍‌ ୨୩ ପର୍ଯ୍ୟନ୍ତ ଓ ପରେ ୨୦୧୮ ଜୁଲାଇ ୨ ଯାଏ ଏବଂ ନିକଟରେ ୨୦୧୯ ଜୁଲାଇ ୨ ତାରିଖ ଯାଏ ପ୍ରକଳ୍ପ କାର୍ଯ୍ୟ ଜାରି ରଖିବା ପାଇଁ ଅର୍ଥାତ୍‌ କାର୍ଯ୍ୟବନ୍ଦ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି।

କେନ୍ଦ୍ର ସରକାର ଆହୁରି କହିଛନ୍ତି, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଓଡ଼ିଶା ଓ ଛତିଶଗଡ ସରକାରଙ୍କୁ ସେମାନଙ୍କ ରାଜ୍ୟରେ ଜନଶୁଣାଣି କରିବାକୁ ଅଲଗା ଅଲଗା ତାରିଖରେ ପତ୍ର ଲେଖିଥିଲେ। କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ୨୦୧୬ ଜୁନ ୨ତାରିଖରେ ଏ ନେଇ ବୈଠକ କରାଯାଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ଛତିଶଗଡ ସରକାରଙ୍କର ପ୍ରତିନିଧି ଉପସ୍ଥିତ ଥିଲେ।

କେନ୍ଦ୍ର ସରକାର ଯୁକ୍ତି ବାଢିଛନ୍ତି, ପୋଲାଭରମ୍‌ ପ୍ରକଳ୍ପକୁ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ଆଦେଶନାମା ୧୯୮୦ ସର୍ତ ଅନୁସାରେ କାର୍ଯ୍ୟକାରୀ କରାଯାଉଛି। ଡ୍ୟାମ୍‌ର ଡିଜାଇନ୍‌ କେନ୍ଦ୍ରୀୟ ଜଳ ଆୟୋଗ ଉପରେ ନ୍ୟସ୍ତ କରାଯାଇଛି। ବନ୍ୟା ଜଳ ନିଷ୍କାସନ କ୍ଷମତା ୩୬ଲକ୍ଷ କ୍ୟୁସେକ୍‌ ୧୮୮୧ରୁ ୧୯୭୫ ଡାଟା ଅନୁସାରେ ଧାର୍ଯ୍ୟ ହୋଇଥିଲା। ୧୯୭୯ରେ ଏହା ଚୂଡାନ୍ତ କରାଯାଇଥିଲା।

କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ୫୦ଲକ୍ଷ କ୍ୟୁସେକ୍‌କୁ ଡିଜାଇନ୍‌ ପରିବର୍ତନ ଦ୍ୱାରା ପୋଲାଭରମ୍‌ ପ୍ରକଳ୍ପର ସ୍କୋପ ପରିବର୍ତନ ହେବ ନାହିଁ। ଡିଜାଇନ୍‌ ଫ୍ଲଡ୍‌ କେବଳ ସ୍ପିଲ୍‌େଓ୍ଵ ଗେଟ୍‌ର ସାଇଜକୁ ନିର୍ଧାରଣ କରିବ। ବ୍ୟାକ୍‌ ଓ୍ଵାଟର ଅଧ୍ୟୟନ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ।

କେନ୍ଦ୍ର ସରକାର ସତ୍ୟପାଠରେ ପୁଣି କହିଛନ୍ତି, ପୋଲାଭରମ୍‌ ପ୍ରକଳ୍ପର ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ଏମ୍‌ ଗୋପାଳକୃୃଷ୍ଣଙ୍କର ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଠନ ହୋଇଥିଲା। ଏହି କମିଟି ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ଏଥିରେ ପ୍ରକଳ୍ପକୁ ନେଇ ସନ୍ତୋଷ ବ୍ୟକ୍ତ କରାଯାଇଛି । ନିର୍ମାଣ କାର୍ଯ୍ୟ ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲର ସର୍ତ ଅନୁସାରେ କାର୍ଯ୍ୟକାରୀ କରାଯାଉଥିବାର ଉଲ୍ଲେଖ କରାଯାଇଛି।

କେନ୍ଦ୍ର ସରକାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି, ଗୋଦାବରୀ ଜଳବିବାଦ ଟ୍ରିବ୍ୟୁନାଲ ୧୯୮୦ ଅନ୍ତର୍ଗତ ଓଡ଼ିଶା ଛତିଶଗଡ ଜଳମଗ୍ନ ସମସ୍ୟା ପାଇଁ ସୁରକ୍ଷିତ ଆଡିବନ୍ଧର ନିର୍ମାଣ ପାଇଁ କ୍ଷତିପୂରଣ ପାଇଁ ଦାବି କରିପାରିବେ। ହେଲେ ବର୍ତମାନ ସୁଦ୍ଧା ଦୁଇ ରାଜ୍ୟ ଏହି ପ୍ରସଙ୍ଗରେ ସେମାନଙ୍କର ମତ ରଖିନାହାନ୍ତି।

କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ନିର୍ଦେଶ ଅନୁସାରେ, ଦୁଇ ରାଜ୍ୟ ସେମାନଙ୍କର ରାଜ୍ୟରେ ଜନଶୁଣାଣିକୁ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ଦରକାର। ଦୁଇ ରାଜ୍ୟ ଜଳମଗ୍ନ ସମସ୍ୟା ପାଇଁ ସୁରକ୍ଷିତ ଆଡିବନ୍ଧ ନିର୍ମାଣ କରିବେ ନଚେତ୍‌ କ୍ଷତିପୂରଣ ନେଇପାରିବେ।

କେନ୍ଦ୍ର ସରକାର ସତ୍ୟପାଠରେ ଆନ୍ଧ୍ର ସରକାରଙ୍କ ଓକିଲାତି କରିବା ଭଳି ଆହୁରି କିଛି ଯୁକ୍ତି ରଖିଛନ୍ତି। ଦର୍ଶାଇଛନ୍ତି, ଆନ୍ଧ୍ର ସରକାର ଉଭୟ ଓଡ଼ିଶା ଓ ଛତିଶଗଡକୁ ବାରମ୍ବାର ଜନଶୁଣାଣି ପାଇଁ କହିଥିଲେ ହେଁ, ବର୍ତମାନ ଯାଏ ସେମାନେ ଏ ନେଇ ପଦକ୍ଷେପ ନେଇନାହାନ୍ତି। ପରିବେଶ ସୁରକ୍ଷା ଆଇନ ୧୯୮୬ର ଧାରା ୫ ଅନ୍ତର୍ଗତ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପ୍ରକଳ୍ପର ଜଳାଶୟରେ ମନ୍ତ୍ରାଳୟ ବିନାନୁମତିରେ ଜଳଭର୍ତି ନ କରିବା ପାଇଁ ୨୦୧୩ ମାର୍ଚ ୧୧ରୁ ନିର୍ଦେଶ ଜାରି କରାଯାଇଛି।

ତେବେ କେନ୍ଦ୍ର ସରକାର ତାଙ୍କ ସତ୍ୟପାଠରେ ପରୋକ୍ଷରେ ସ୍ୱୀକାର କରିଛନ୍ତି ଯେ ଓଡ଼ିଶା ଓ ଛତିଶଗଡରେ ଜନଶୁଣାଣି ବିନା ସଂପୃକ୍ତ ରାଜ୍ୟ ସରକାର ପ୍ରକଳ୍ପ କାର୍ଯ୍ୟ କରିଛନ୍ତି। ଏକଥା ବି ମାନିଛନ୍ତି ଯେ ଆନ୍ଧ୍ର ସରକାର କେବଳ ଆବେଦନ କଲେ ବୋଲି କେନ୍ଦ୍ର ତାଙ୍କୁ ଅନୁକମ୍ପା ଦେଖାଇ ଅନୁମତି ଦେଇଚାଲିଛି।

ସମ୍ବନ୍ଧିତ ଖବର