ପୋଲାଭରମ୍‌ ପ୍ରକଳ୍ପ ତ୍ୱରାନ୍ଵିତ କରିବା ପାଇଁ କେନ୍ଦ୍ରର ତତ୍ପରତା

ନୂଆଦିଲ୍ଲୀ : ରାଜ୍ୟସଭାରେ ପୋଲାଭରମ ପ୍ରକଳ୍ପ ସମ୍ପର୍କୀତ ସାଂସଦ ବିଜୟ ସାଇ ରେଡ୍ଡିଙ୍କର ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅର୍ଜନ ରାମ ମେଘଓ୍ଵାଲା କହିଛନ୍ତି ଯେ,ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ପୋଲାଭରମ ପ୍ରକଳ୍ପକୁ ବୈଷୟିକ ସହାୟତା ପ୍ରଦାନ କରିବା ସହି ଉଚିତ୍‌ ସମୟରେ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ କେନ୍ଦ୍ର ଜଳ ସମ୍ପଦ,ନଦୀ ବିକାଶ ଓ ଗଙ୍ଗା ରିନ୍ୟୁଭେସନ ମନ୍ତ୍ରାଳୟ ଦ୍ୱାରା ଡ୍ୟାମ୍‌ ଡିଜାଇନ୍‌ ରିଭ୍ୟୁ ପ୍ୟାନେଲ ଗଠନ କରାଯାଇଛି।

ଏତଦ୍‌ବ୍ୟତୀତ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ କିଭଳି ତ୍ୱରାନ୍ଵିତ କରାଯାଉଛି ତାହାର ଅବଲୋକନ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଶୀର୍ଷ କମିଟି ମଧ୍ୟ ଗଠନ କରାଯାଇଛି ଯାହା ପ୍ରକଳ୍ପ କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ କାର୍ଯ୍ୟର ଅଗ୍ରଗତିକୁ ବିଭିନ୍ନ ଦିଗରୁ ସମୀକ୍ଷା କରିବ। ପ୍ରକଳ୍ପ ନିର୍ମାଣର ସମସ୍ତ ଯୋଜନା,ଗୁଣବତ୍ତା,ସୁରକ୍ଷା,ବ୍ୟୟ ବରାଦ ଭଳି ପ୍ରସଙ୍ଗରେ ମଧ୍ୟ କମିଟି ଧ୍ୟାନ ଦେବ। ପ୍ରକଳ୍ପ ଅନ୍ତର୍ଗତ ଥଇଥାନ ଓ ପୁନର୍ବାସ କାର୍ଯ୍ୟର ସମୀକ୍ଷା ଓ ମନିଟରିଂ ପାଇଁ କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରାଳୟର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କାର୍ଯ୍ୟର ତଦାରଖ କରିବ। ଆନ୍ଧ୍ରପ୍ରଦେଶ ସରକାରଙ୍କ ସୂଚନା ଅନୁସାରେ ପୋଲାଭରମ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଓ ୪ଟି ସୁପରିଟେଣ୍ଡିଂ ଯନ୍ତ୍ରୀଙ୍କ ପଦବୀରେ ନିଯୁକ୍ତି ହୋଇଛି। ୩୦ଟି ଏକ୍ସ୍ୟୁକ୍ୟୁଟିଭ୍‌ ଯନ୍ତ୍ରୀଙ୍କ ପଦରୁ ୨୭ଟିରେ,୧୦୦ଟି ଡେପୁଟୀ ଏକ୍ସ୍ୟୁକ୍ୟୁଟିଭ୍‌ ଯନ୍ତ୍ରୀଙ୍କ ପଦରୁ ୮୯ ଟିରେ,୩୮୪ଟି ଆସିଷ୍ଟାଣ୍ଟ ଏକ୍ସ୍ୟୁକ୍ୟୁଟିଭ୍‌ ଯନ୍ତ୍ରୀଙ୍କ ପଦରୁ ୩୪୯ଟିରେ ନିଯୁକ୍ତି କାର୍ଯ୍ୟ ସରିଛି।

ଏତଦ୍‌ବ୍ୟତୀତ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ମେଘଓ୍ଵାଲା ସାଂସଦ କେଭିବି ରାମଚନ୍ଦ୍ର ରାଓଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ,ପୋଲାଭରମ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୬ଟି ଜଳସେଚନ ପ୍ରକଳ୍ପରୁ ଜାତୀୟ ମାନ୍ୟତା ପାଇଥିବା ପ୍ରକଳ୍ପ ତାଲିକାରେ ସାମିଲ ହୋଇଛି। ପ୍ରକଳ୍ପକୁ ପ୍ରଥମେ ୪୩୪୩.୫୨କୋଟି ଟଙ୍କା, ପରବର୍ତ୍ତୀ ସମୟରେ ୧୦୨୦.୬୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଓ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ଏବଂ ଆନ୍ଧ୍ରପ୍ରଦେଶ ସରକାର ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବାର ମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ତଥା ୨୦୧୯ରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ଯୋଜନା ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତେଲେଙ୍ଗାନା ସ୍ୱତନ୍ତ୍ର ପ୍ରତିନିଧି

ଭୁବନେଶ୍ୱର : ଏଣିକି ଅଦାଲତରେ ପୋଲାଭରମ୍‌ ପ୍ରକଳ୍ପ ବିରୋଧରେ ଉଭୟ ତେଲେଙ୍ଗାନା-ଓଡ଼ିଶା ଏକାଠି ହୋଇ ଲଢ଼ିବେ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ପ୍ରତିନିଧି ତେଜାବତ୍‌ ରାମଚନ୍ଦ୍ରୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏଭଳି ପ୍ରସ୍ତାବ ଦେଇଥିବା ସେ ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଶ୍ରୀ ରାମଚନ୍ଦ୍ରୁ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ ଉଭୟ ରାଜ୍ୟ ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି। ତେଲେଙ୍ଗାନାର ପ୍ରାୟ ୨ ଲକ୍ଷ ଅନୁସୂଚିତ ଜନଜାତି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ, ଏହି ପ୍ରକଳ୍ପର ପରିବର୍ତନ ହେବା ଉଭୟ ରାଜ୍ୟ ଚାହାନ୍ତି ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଏ ନେଇ ପରିସ୍ଥିତି ଜଟିଳ ହୋଇପଡ଼ିଛି।

ସମ୍ବନ୍ଧିତ ଖବର