ପୋଲାଭରମ ପ୍ରକଳ୍ପ : କେନ୍ଦ୍ର ଦେଇଛି ୪୮୬୯.୯୯କୋଟି ଟଙ୍କା

ନୂଆଦିଲ୍ଲୀ :ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୪ହଜାର ୮୬୯କୋଟି ୯୯ଲକ୍ଷ ଟଙ୍କା ଦେଇ ସାରିଥିବା ବେଳେ ଆହୁରି ଏକ ହଜାର ୨୦ କୋଟି ୬୪ଲକ୍ଷ ଟଙ୍କା ପ୍ରଦାନ ପାଇଁ ମଞ୍ଜୁରୀ କରିଛନ୍ତି। ଆଜି ଲୋକସଭାରେ ଲିଖିତ ଉତ୍ତର ଦେଇ କେନ୍ଦ୍ର ଜଳସମ୍ପଦ,ନଦୀ ବିକାଶ ଓ ଗଙ୍ଗା ରିନ୍ୟୁଭେସନ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜନ ରାମ ମେଘଓ୍ଵାଲା ଏହି ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ୨୦୧୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏଆଇବିପି ଅନ୍ତର୍ଗତ ୫୨୬କୋଟି ୪୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ପୋଲାଭରମକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦିଆଯିବା ପରେ ୨୦୧୪ ଏପ୍ରିଲ ୧ ତାରିଖରୁ ୨୦୧୭ ମାର୍ଚ୍ଚ ୩୧ ମଧ୍ୟରେ ୩ହଜାର ୩୬୪କୋଟି ୧୬ ଲକ୍ଷ ଟଙ୍କା ଓ ୨୦୧୭-୧୮ ଆର୍ଥିକ ବର୍ଷରେ ୯୭୯କୋଟି ୩୬ଲକ୍ଷ ଟଙ୍କା କେନ୍ଦ୍ରୀୟ ସହାୟତା ଦିଆଯାଇଥିବା ମନ୍ତ୍ରୀ ମେଘଓ୍ଵାଲା କହିଛନ୍ତି। ଆନ୍ଧ୍ର ସରକାରଙ୍କ ସୂଚନାନୁସାରେ ପ୍ରକଳ୍ପର କାର୍ଯ୍ୟକୁ ୨୦୧୯ ସୁଦ୍ଧା ସମାପ୍ତ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ଅବଗତ କରାଇଛନ୍ତି।

ଅପରପକ୍ଷେ ଲୋକସଭାରେ ତେଲୁଗୁ ଦେଶମ ପାର୍ଟି ଓ ଓ୍ଵାଇଏସ୍‌ଆର୍‌ କଂଗ୍ରେସର ସଦସ୍ୟମାନେ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ଗୃହ ଭିତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ଟେବୁଲ ସମ୍ମୁଖରେ ଦାବି କରିବା ସହ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବକେୟା ଅର୍ଥ ଶୀଘ୍ର ପ୍ରଦାନ କରନ୍ତୁ ବୋଲି ନାରାବାଜି କରିଥିଲେ। ଲୋକସଭାରେ ଉପସ୍ଥିତ ଥିବା ବିଜେଡ଼ି ସାଂସଦମାନେ କୌଣସି ପ୍ରକାର ପ୍ରତିକ୍ରିୟା ଦେଖାଇନଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର