ଲୋକସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ

ପୋଲାଭରମ ପ୍ରକଳ୍ପ ମାମଲା

ନୂଆଦିଲ୍ଲୀ: ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଆଜି ସିଏଜିର ପରଫରମାନ୍ସ ଅଡିଟ୍‌ ରିପୋର୍ଟ ଲୋକସଭାରେ ଉପସ୍ଥାପନ ହୋଇଛି। ପୋଲାଭରମ ପ୍ରକଳ୍ପ ନିର୍ମାଣ ହେତୁ ଓଡ଼ିଶା ଓ ଛତିଶଗଡ଼ ଆଦିବାସୀ ଇଲାକା ଗୁଡ଼ିକ ଜଳମଗ୍ନ ହେବା ପ୍ରସଙ୍ଗର ସମାଧାନ ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଦ୍ୱାରା ଚଳିତ ୨୦୧୮ ଜାନୁଆରିରୁ ପ୍ରୟାସ କରାଯାଉଛି ବୋଲି ରିପୋର୍ଟରେ କୁହାଯାଇଛି। କିନ୍ତୁ ମନ୍ତ୍ରାଳୟ ଦ୍ୱାରା ଏନେଇ କୌଣସି ସମୟସୀମା ଧାର୍ଯ୍ୟ ହୋଇନାହିଁ। ପୋଲାଭରମ ପ୍ରକଳ୍ପ ଯୋଗୁଁ ଓଡ଼ିଶା ଓ ଛତିଶଗଡ଼ର ଆଦିବାସୀ ଅଞ୍ଚଳ ଜଳମଗ୍ନ ହେବାର ଆପତ୍ତି ଯୋଗୁଁ ପ୍ରକଳ୍ପକୁ ବିରୋଧ କରାଯାଉଛି। ଏଭଳି ବିରୋଧ ଯୋଗୁଁ ଆନ୍ଧ୍ରପ୍ରଦେଶ ଦ୍ୱାରା ସୁରକ୍ଷାତ୍ମକ ଆଡ଼ିବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା, ଯାହାଦ୍ୱାରା ଦୁଇ ରାଜ୍ୟରେ ଜଳମଗ୍ନ ସ୍ଥିତିକୁ ନିୟନ୍ତ୍ରଣ କରାଯାଇ ପାରିଥାନ୍ତା ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି। କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ଅନ୍ତର୍ଗତ ଦେଶରେ ନିର୍ମାଣ କରାଯାଉଥିବା ଜାତୀୟ ପ୍ରକଳ୍ପ ଗୁଡ଼ିକର ସିଏଜି ଦ୍ୱାରା ପରଫରମାନ୍ସ ଅଡିଟ୍‌ କରାଯାଇଛି। ଏହି ପରଫରମାନ୍ସ ଅଡିଟ୍‌ ରିପୋର୍ଟ ଆଜି ଲୋକସଭାରେ ଉପସ୍ଥାପନ ହୋଇଛି। ରିପୋର୍ଟରେ କୁହାଯାଇଛି ଯେ ପ୍ରକଳ୍ପର ନିର୍ମାଣ ଯୋଜନା ଅନ୍ତର୍ଗତ ୨୦୦୫-୦୬ ପର୍ଯ୍ୟନ୍ତ ଯେଉଁ ବିସ୍ତତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ସୁରକ୍ଷାତ୍ମକ ଆଡ଼ିବନ୍ଧ ଅଷ୍ଟମ ବର୍ଷରେ ଆରମ୍ଭ କରାଯିବ ବୋଲି କୁହାଯାଇଥିଲା। ୨୦୧୩-୧୪ରେ ଆରମ୍ଭ ସୁରକ୍ଷାତ୍ମକ ଆଡ଼ିବନ୍ଧ କାର୍ଯ୍ୟକୁ ୨୦୧୬-୧୭ରେ ଶେଷ ପାଇଁ ଯୋଜନା ଥିଲା। କିନ୍ତୁ ରିପୋର୍ଟ ଅନୁଯାୟୀ ୨୦୧୭ ମାର୍ଚ୍ଚ ସୁଦ୍ଧା ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରେ ପ୍ରସ୍ତାବିତ ସୁରକ୍ଷାତ୍ମକ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିଲା। ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ୨୦୧୯ ଜୁନ୍‌ ସୁଦ୍ଧା ଶେଷ ପାଇଁ ବିଭାଗ ଦ୍ୱାରା ତାରିଖ ଧାର୍ଯ୍ୟ କରାଯାଇଛି। ହେଲେ ପଡ଼ୋଶୀ ରାଜ୍ୟର ଆଦିବାସୀ ଅଞ୍ଚଳରେ ଜଳମଗ୍ନ ସ୍ଥିତି ସମସ୍ୟାର ସମାଧାନ ହୋଇପାରି ନଥିବାରୁ ଇନ୍ଦିରା ସାଗର ପୋଲାଭରମ ଜଳାଶୟରେ ଜଳଭଣ୍ଡାର ଯୋଜନା କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଏହାଦ୍ୱାରା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେବ ବୋଲି ରିପୋର୍ଟରେ କୁହାଯାଇଛି। ସେହିଭଳି ରିପୋର୍ଟରୁ ଜଣାଯାଇଛି ଯେ ୨୦୦୬ରେ ବିଭାଗ ଦ୍ୱାରା ଯେଉଁ ପ୍ରକଳ୍ପ ରିପୋର୍ଟ ଦାଖଲ କରାଯାଇଥିଲା, ସେଥିରେ ୨୭୬ ଗ୍ରାମ ଜଳମଗ୍ନ ହେବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଏହି ସଂଖ୍ୟା ୩୭୧ରେ ପହଞ୍ଚିଛି। ଅନ୍ୟପକ୍ଷରେ ଜଳମଗ୍ନ ହେବାକୁ ଥିବା ଗାଁ ସହ ପ୍ରଭାବିତ ଲୋକମାନଙ୍କ ସଂଖ୍ୟା ମଧ୍ୟ ଡିପିଆର ଓ ଆରଆର କମିସନର ମଧ୍ୟରେ ଭିନ୍ନଭିନ୍ନ ସଂଖ୍ୟା ଦର୍ଶାଯାଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି। ବିଭାଗ ଦ୍ୱାରା ପ୍ରକଳ୍ପ ଯୋଗୁଁ ୪୪,୫୭୪ ଲୋକ ପ୍ରଭାବିତ ହେବେ ବୋଲି କୁହାଯାଇଥିବା ବେଳେ ଆରଆର କମିସନରଙ୍କ ତଥ୍ୟ ଅନୁସାରେ ୧,୦୫,୬୦୧ ପରିବାର ପ୍ରଭାବିତ ହେବେ ବୋଲି କୁହାଯାଇଛି।

ପୋଲାଭରମ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ: ରାଜନାଥ ସିଂହ –
ପୋଲାଭରମ ପ୍ରକଳ୍ପ ଆନ୍ଧ୍ରପ୍ରଦେଶର ଜୀବନରେଖା। ଏହା ସମସ୍ତଙ୍କୁ ସ୍ୱୀକାର କରିବାକୁ ପଡ଼ିବ। ପୋଲାଭରମ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି ଏବଂ ରେକର୍ଡ ସମୟରେ କାର୍ଯ୍ୟ ଶେଷ ହେବ। ପ୍ରକଳ୍ପ ବାବଦରେ ବର୍ତ୍ତମାନ ସୁଦ୍ଧା ୬ହଜାର ୭୬୪ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରି ସାରିଛନ୍ତି ଏବଂ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେବ। ଆଜି ରାଜ୍ୟସଭାରେ ଆନ୍ଧ୍ର ପୁନର୍ଗଠନ ଆଇନ ୨୦୧୪ ଆଲୋଚନାର ଉତ୍ତର ଦେବା ସମୟରେ ପୋଲାଭରମ ପ୍ରକଳ୍ପ ମାମଲାରେ ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ମନ୍ତବ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର