ପୋଲାଭରମ ପ୍ରକଳ୍ପ ମାମଲା: ଓଡ଼ିଶା କଥା ଶୁଣିଲେନି, ଆନ୍ଧ୍ରପ୍ରଦେଶକୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ବର୍ଷେ ସମୟ ମିଳିଲା

ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ରସରକାରଙ୍କ ଆନ୍ଧ୍ର ପ୍ରୀତିର ଉଜାଗର ହୋଇଛି। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ପୋଲାଭରମ ପ୍ରକଳ୍ପର କାର୍ଯ୍ୟାଦେଶ ବନ୍ଦ ନିର୍ଦ୍ଦେଶ ସ୍ଥଗିତ ରଖିବା ଅବଧିକୁ ଆସନ୍ତା ବର୍ଷ ଜୁଲାଇ ୨ (୨୦୧୯) ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି। ଅର୍ଥାତ୍‌ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ଵିତ କରିବାପାଇଁ ଆନ୍ଧ୍ରପ୍ରଦେଶକୁ ବର୍ଷେ ସମୟ ପ୍ରଦାନ କରାଯାଇଛି। ଆନ୍ଧ୍ରପ୍ରଦେଶକୁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ନିର୍ଦ୍ଦେଶନାମା ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନ ସ୍ୱାକ୍ଷର କରିଥିବା ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତମାସ ୨ ତାରିଖରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ତିନି ପୃଷ୍ଠାର ଚିଠି ଲେଖି ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବାପାଇଁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୋଲାଭରମ ଡ୍ୟାମ୍‌ ନିର୍ମାଣ ଯୋାଗୁଁ ଓଡ଼ିଶାର ଅନେକ ଆଦିବାସୀ ବହୁଳ ଅଞ୍ଚଳ କ୍ଷତିଗ୍ରସ୍ତ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା। ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ୨୦୦୫ରେ ଦେଇଥିବା ମଂଜୁରିକୁ ଜାତୀୟ ପରିବେଶ ଅପିଲେଟ୍‌ ଅଥରିଟି ୨୦୦୭ ମସିହା ଡିସେମ୍ବରରେ ରଦ୍ଦ କରିଥିବା ସମ୍ପର୍କରେ ମଧ୍ୟ ସେ ଚିଠିରେ ପୁନର୍ବାର କେନ୍ଦ୍ରକୁ ମନେ ପକାଇଥିଲେ। ଆନ୍ଧ୍ର ସରକାର ଠିକ୍‌ରେ ଜନଶୁଣାଣି କରିନଥିବା ଏବଂ ଅପରପକ୍ଷେ ସୁପ୍ରିମକୋର୍ଟରେ ମାମଲା ବିଚାରଧୀନ ଥିବାବେଳେ ଆନ୍ଧ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ ନିର୍ମାଣ କରୁଛନ୍ତି, ତେଣୁ ମାମଲାର ଫଇସଲା ନହେବା ପର୍ଯ୍ୟନ୍ତ ପ୍ରକଳ୍ପକୁ ମିଳିଥିବା ପରିବେଶ ମଞ୍ଜୁରି ବାତିଲ କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଥିଲେ। ତେବେ ହର୍ଷବର୍ଦ୍ଧନ ମୁଖ୍ୟମନ୍ତ୍ରୀଙ୍କ ପତ୍ରର ଉତ୍ତର ଦେଇନଥିବାବେଳେ ଆଜି ପ୍ରକଳ୍ପ କାର୍ଯ୍ୟ ଜାରି ରଖିବାପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାଦ୍ୱାରା ଓଡ଼ିଶାର ଦାବିକୁ ଏକପ୍ରକାର ଅଗ୍ରାହ୍ୟ କରି ଦିଆଯାଇଛି। ତେବେ ଚଳିତ ମାସ ୧୭ ତାରିଖରେ ଏହି ମାମଲାରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର