ପୋଲାଭରମ୍‌ ମାମଲା : ବୁଧବାର ସୁଦ୍ଧା ୬ ରାଜ୍ୟକୁ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପୋଲାଭରମ୍‌ ପ୍ରକଳ୍ପ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଛି। ବିଚାରପତି ମଦନ ବି ଲୋକୁର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ପକ୍ଷଭୁକ୍ତ ୬ଟି ରାଜ୍ୟ ( ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର, କର୍ଣ୍ଣାଟକ)କୁ ପ୍ରସଙ୍ଗ ନିର୍ଧାରଣ କରିବା ସହିତ ତାହାର ତାଲିକା ଆସନ୍ତା ବୁଧବାର (ଅଗଷ୍ଟ ୧ ତାରିଖ) ସଂଧ୍ୟା ସୁଦ୍ଧା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଲିକା ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨ ତାରିଖରେ କରାଯିବାକୁ ସ୍ଥିର ହୋଇଛି।

ସୁପ୍ରିମକୋର୍ଟଙ୍କ ମେ ୧୧ ତାରିଖ ନିର୍ଦ୍ଦେଶ ସତ୍ତ୍ୱେ ମୁଖ୍ୟ ପ୍ରସଙ୍ଗ ଗୁଡ଼ିକର ତାଲିକାର ଚୂଡ଼ାନ୍ତ ରୂପ ଦିଆଯାଇ ନଥିବାରୁ ଆଜି ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଥିଲେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାରେ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ୍‌ଙ୍କ ଦ୍ୱାରା ଖଣ୍ଡପୀଠଙ୍କ ନିକଟରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକଳ୍ପ ସମ୍ପର୍କିତ ମୁଖ୍ୟ ପ୍ରସଙ୍ଗର ତାଲିକା ମିଳିତଭାବେ ଦାଖଲ କରାଯାଇଥିଲା। ମହାରାଷ୍ଟ୍ର ଓ କର୍ଣ୍ଣାଟକ ପକ୍ଷରୁ ତାଲିକା ଦାଖଲ କରାଯାଇ ନଥିବାରୁ ଏହି ଦୁଇ ରାଜ୍ୟର ଓକିଲଙ୍କୁ ତାଲିକା ଦାଖଲର ଶେଷ ସୁଯୋଗ ଖଣ୍ଡପୀଠ ଦେଇଥିଲେ। ଏତଦ୍‌ବ୍ୟତୀତ ସୁବ୍ରମଣ୍ୟମ୍‌ଙ୍କ ପକ୍ଷରୁ ଯେତେବେଳେ ୪ଟି ରାଜ୍ୟର ତାଲିକା ଦାଖଲ କରାଗଲା ସେହି ତାଲିକାରେ ସଂପୃକ୍ତ ରାଜ୍ୟର ଓକିଲମାନଙ୍କ ଦସ୍ତଖତ ନଥିବା ଦେଖି ଏହାକୁ କିଭଳି ଗ୍ରହଣ କରାଯିବ ବୋଲି ପ୍ରଶ୍ନ କରିଥିଲେ। ରିପୋର୍ଟରେ ଓକିଲଙ୍କ ଦସ୍ତଖତ ଓ ତାରିଖ ଉଲ୍ଲେଖ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

୨୦୧୯ ଡିସେମ୍ବର ସୁଦ୍ଧା ଶେଷ ହେବ ପ୍ରକଳ୍ପ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ପୋଲାଭରମ୍‌ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପର କାର୍ଯ୍ୟ ଆସନ୍ତାବର୍ଷ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଆନ୍ଧ୍ର ପ୍ରଦେଶ ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନୀତୀନ ଗଡ଼କରୀ ରାଜ୍ୟସଭାରେ ଆଜି ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଜାତୀୟ ପ୍ରକଳ୍ପ ଘୋଷଣା କରାଯିବା ପରେ ପୋଲାଭରମ୍‌ ପ୍ରକଳ୍ପ ପ୍ରାଧିକରଣର ସୁପାରିସ ଅନୁସାରେ ୬୭୬୪.୧୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଥିଲା। ହେଲେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୮୬୬୨.୬୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି। ପ୍ରାଧିକରଣ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ସୁପାରିସ ଅନୁସାରେ ଏହି ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର