ପୋଲାଭରମ୍‌ ପ୍ରକଳ୍ପ ମାମଲା : ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : ପୋଲାଭରମ୍‌ ପ୍ରସଙ୍ଗରେ ଜନଶୁଣାଣି କରିବା ଲାଗି କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ପକ୍ଷରୁ ଉଭୟ ଓଡ଼ିଶା ଓ ଛତିଶଗଡ଼କୁ ସଦ୍ୟ ତଥ୍ୟ ଯୋଗାଇ ଦିଆଯିବାର ଆବଶ୍ୟକତା ନାହିଁ। ଏହି ମାମଲାରେ ଓଡ଼ିଶା ଯେଉଁ ଦାବି ଉପସ୍ଥାପନ କରିଛି, ତାହା ଆଦୌ ଯୁକ୍ତିଯୁକ୍ତ ନୁହେଁ। ବରଂ, ଜରିମାନା ଆଦାୟ ସହିତ ଏହାକୁ ଖାରଜ କରାଯାଉ। ଆଜି ସୁପ୍ରିମକୋର୍ଟ‌େର ଦାଖଲ ହୋଇଥିବା ସତ୍ୟପାଠରେ କେନ୍ଦ୍ର ସରକାର ନିଜର ଏହିଭଳି ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ, ଆସନ୍ତାକାଲି ବିଚାରପତି ଏକେ ସିକ୍ରି, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ଏସ୍‌ ଅବଦୁଲ ନଜିରଙ୍କ ସ୍ବତନ୍ତ୍ର ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।

ଗତ ୩ ତାରିଖ ଦିନ ବିବାଦୀୟ ପୋଲାଭରମ ପ୍ରକଳ୍ପ ମାମଲାରେ ଓଡ଼ିଶା ଓ ଛତିଶଗଡ଼ର ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବା ଲାଗି ଆବଶ୍ୟକୀୟ ତଥ୍ୟ ତିନି ସପ୍ତାହ‌ରେ ଦେବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ତଦନୁଯାୟୀ, କେନ୍ଦ୍ର ସରକାର ଏହି ସତ୍ୟପାଠ ଦାଖଲ କରିଛନ୍ତି।

ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ, ପୋଲାଭରମ ପ୍ରକଳ୍ପ ଯୋଗୁଁ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଓ ପୂର୍ବ ଗୋଦାବରୀ ଜିଲ୍ଲାର ୨୨୨ଟି ଗାଁ ଜଳମଗ୍ନ ହେବାର ସମ୍ଭାବନା ରହିଛି। ସେହିଭଳି, ଓଡ଼ିଶାର ମାଲକାନଗିରି ଜିଲ୍ଲାର ୮ଟି ଗାଁ ତଥା ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାର ୪ଟି ଗାଁ ଜଳମଗ୍ନ ହେବ। ଆନ୍ଧ୍ରପ୍ରଦେଶରେ ୩୭୩୧.୦୭ ହେକ୍ଟର ଜଙ୍ଗଲ ଜମି ଜଳମଗ୍ନ ହେବ ବୋଲି କୁହାଯାଇଥିବାବେଳେ ସୁରକ୍ଷିତ ଆଡ଼ିବନ୍ଧ ନିର୍ମାଣ ନକରାଗଲେ ଓଡ଼ିଶାର ୧୦୨.୧୨ ହେକ୍ଟର ଜଙ୍ଗଲ ଓ ୫୪୫.୮୯ ଅଣ ଜଙ୍ଗଲ ଜମି ତଥା ଛତିଶଗଡ଼ର ୭୯୫.୫୯ ହେକ୍ଟର ଅଣ ଜଙ୍ଗଲ ଜମି ଜଳମଗ୍ନ ହେବ।

ତେବେ, ସିଲେରୁ ଓ ସାବେରୀ ନଦୀରେ ସୁରକ୍ଷିତ ଆଡ଼ିବନ୍ଧ ନିର୍ମାଣ ନିଷ୍ପତ୍ତି ନିଆଯାଇଥିବାରୁ ଜଳମଗ୍ନ ହେବନାହିଁ । ତେଣୁ, ଥଇଥାନ ଓ ପୁନର୍ବାସର ପ୍ରସଙ୍ଗ ଉଠୁନାହିଁ। ଅନ୍ୟପକ୍ଷରେ, ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ପିଟିସନ୍‌ରେ ‌କୌଣସି ଯୁକ୍ତିଯୁକ୍ତ ତଥ୍ୟ ନାହିଁ। ତେଣୁ ଓଡ଼ିଶାର ଆବେଦନକୁ ଜରିମାନା ସହ ଖାରଜ କରାଯାଉ ବୋଲି ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି।

କେନ୍ଦ୍ର ସରକାର ସତ୍ୟପାଠରେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ‌ଗୋପାଳକୃଷ୍ଣ କମିଟିର ରି‌ପୋର୍ଟକୁ ଭିତ୍ତି କରି ଗୋଦାବରୀ ଜଳବିବାଦ ଆୱାଡ ଅନ୍ତର୍ଗତ ସମସ୍ତ ପ୍ରଭିଜନ୍‌ ପୋଲାଭରମ୍‌ ପ୍ରକଳ୍ପରେ ପାଳନ କରାଯାଉଛି। ସିଲେରୁ ଓ ସାବେରୀ ନଦୀକୂଳରେ ସୁରକ୍ଷିତ ଆଡ଼ିବନ୍ଧ ନିର୍ମାଣ ଦ୍ବାରା ଓଡ଼ିଶା ଓ ଛତିଶଗଡ଼ରେ ଜଳମଗ୍ନକୁ ଏଡ଼ାଇ ଦିଆଯାଇପ‌ାରିବ ଏବଂ ଏହାଦ୍ବାରା ଦୁଇ ରାଜ୍ୟର ଲୋକଙ୍କ ଜୀବନ ତଥା ସମ୍ପତ୍ତି ମଧ୍ୟ ସୁରକ୍ଷିତ ରହିବ। ୨୦୦୫ରେ ସଂଶୋଧିତ ପରିବେଶ ମଂଜୁରି ଏହି ସମସ୍ୟାର ସମାଧାନ ନିଦାନ କରିପାରିବ। ସିଲେରୁ ଓ ସାବେରୀରେ ନିର୍ମାଣ ନେଇ ସୁରକ୍ଷିତ ଆଡ଼ିବନ୍ଧ ପାଇଁ ନୂଆ‌ ପରିବେଶ ମଂଜୁରିର ଆବଶ୍ୟକତା ନାହିଁ ବରଂ ପରି‌ବେଶ ମଞ୍ଜୁରି‌ରେ ସଂଶୋଧନ କରାଯାଇପା‌ରିବ ବୋଲି ସତ୍ୟପାଠରେ ଦର୍ଶା‌ଯାଇଛି।

ରାଜ୍ୟ ସରକାର ସଦ୍ୟ ପରିବେଶ ଆକଳନ ରିପୋର୍ଟ, ପରିବେଶ ପରିଚାଳନା ଯୋଜନା ଅନୁଧ୍ୟାନ ରିପୋର୍ଟ ଓ ପୋଲାଭରମ ପ୍ରକଳ୍ପ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ଦେବାକୁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ। ଆଜି ଦାଖଲ ହୋଇଥିବା ସତ୍ୟପାଠରେ ‌ପୋଲାଭରମ ପ୍ରକଳ୍ପର ଉପର ମୁଣ୍ଡରେ ଇନ୍‌ଚମପଲ୍ଲୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଡିଜାଇନ୍‌ ଫ୍ଲଡ୍‌ ଷ୍ଟଡି ପାଇଁ ବିଚାରକୁ ନିଆଯାଇନଥିବା କେନ୍ଦ୍ର ସରକାର କହିଛନ୍ତି। ସତ୍ୟପାଠରେ କେନ୍ଦ୍ର ସରକାର ସ୍ପଷ୍ଟ ରୂପେ କହିଛନ୍ତି ଯେ କେନ୍ଦ୍ରୀୟ ଜଳ ଆୟୋଗ ଦ୍ବାରା ୨୦୦୮ରେ ଯେଉଁ ଚୂଡ଼ାନ୍ତ ବନ୍ୟା ସମ୍ପର୍କିତ ଅନୁଧ୍ୟାନ କରାଯାଇଥିଲା, ତାହା ବର୍ତ୍ତମାନ ସୁଦ୍ଧା ସନ୍ତୋଷଜନକ ରହିଛି। ଏହାର ସଂଶୋଧନ ତଥା ସଂଶୋଧନ କରାଯିବା ଅନୁରୋଧର କୌଣସି ଲାଭ ରହୁନାହିଁ।

ପ୍ରକାଶଥାଉକି, ପୋଲାଭରମ ପ୍ରକଳ୍କ କାର୍ଯ୍ୟ ପାଇଁ ହେବାକୁ ଥିବା ଜନଶୁଣାଣି ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ମାଗିଥିବା ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ଚଳିତମାସ ୩ ତାରିଖରେ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର