ପୋଲାଭରମ ପ୍ରକଳ୍ପ ଟେଣ୍ଡର ବାତିଲ ମାମଲା : ଆନ୍ଧ୍ରଠାରୁ ରିପୋର୍ଟ ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପର ଟେଣ୍ଡର ବାତିଲ ପ୍ରସଙ୍ଗରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଵତ ଆନ୍ଧ୍ରପ୍ରଦେଶ ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଥିବା ନବଯୁଗ ଗ୍ରୁପ୍‌ ଟେଣ୍ଡରକୁ ବର୍ତ୍ତମାନର ଆନ୍ଧ୍ର ସରକାର ବାତିଲ କରି ପୁନଃଟେଣ୍ଡର ଆମନ୍ତ୍ରଣ କରିଛନ୍ତି। ପୋଲାଭରମ ଟେଣ୍ଡର ବାତିଲ କରାଯିବା ଯୋଗୁଁ ଏହା ପ୍ରକଳ୍ପ ଉପରେ କିଭଳି ପ୍ରଭାବ ପକାଇବ, ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଳମ୍ବ ତଥା ଖର୍ଚ୍ଚ ବୃଦ୍ଧି ଭଳି ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣଙ୍କଠାରୁ ଏକ ସପ୍ତାହ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି। ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ନୂଆ ଟେଣ୍ଡରକୁ ଅକ୍ଟୋବର ଶେଷ ସୁଦ୍ଧା ଚୂଡ଼ାନ୍ତ କରିବା ତଥା ପ୍ରକଳ୍ପ କାର୍ଯ୍ୟ ନଭେମ୍ବର ୧ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ବିଧାନସଭା ନିର୍ବାଚନ ସମୟରେ ଵାଇଏସ୍‌ଆର କଂଗ୍ରେସ ପକ୍ଷରୁ ପୋଲାଭରମ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରାଯାଇଥିଲା ଏବଂ କ୍ଷମତାକୁ ଆସିଲେ ଟେଣ୍ଡର୍‌ ବାତିଲ କରିବା କଥା ମଧ୍ୟ କୁହାଯାଇଥିଲା। ତତ୍କାଳୀନ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ନବଯୁବ ଗ୍ରୁପ୍‌କୁ ପୋଲାଭରମ ପ୍ରକଳ୍ପ କାର୍ଯ୍ୟପାଇଁ ଟେଣ୍ଡର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର