ରାଜ୍ୟସଭାରେ ଉଠିଲା ପୋଲାଭରମ ପ୍ରସଙ୍ଗ

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଇନ୍ଦିରା ସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ନେଇ ଓଡ଼ିଶାର ଦାବିଗୁଡ଼ିକୁ ଅଣଦେଖା କରାଯାଇ ପ୍ରକଳ୍ପର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯାଉଛି ବୋଲି ଅଭିଯୋଗ କରି ଆଜି ଲୋକସଭାରେ ବିଜେଡିି ସାଂସଦମାନେ ହୋହଲ୍ଲା କରିଥିଲେ। ପୋଲାଭରମ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଲୋକସଭାରେ ବିଜେଡି ମୁଲତବୀ ପ୍ରସ୍ତାବ ପାଇଁ ନୋଟିସ୍‌ ଦେଇଥିଲା ହେଁ ବାଚସ୍ପତି ସୁମିତ୍ରା ମହାଜନ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ।

ପ୍ରଶ୍ନକାଳରେ ଓ ଶୂନ୍ୟକାଳରେ ବିଜେଡ଼ିର ସାଂସଦମାନେ ନିଜ ଆସନରେ ଠିଆ ହୋଇ ପୋଲାଭରମ ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବାକୁ ଅନୁମତି ଦିଆନଯାଇ ଓଡ଼ିଶାର ଦାବିକୁ ଗୁରୁତ୍ୱ ଦିଆଯାଉନଥିବାର ପ୍ରତିବାଦ କରିଥିଲେ। ଅପରପକ୍ଷେ, ତେଲୁଗୁ ଦେଶମ୍‌ ପାର୍ଟିର ସାଂସଦମାନେ ମଧ୍ୟ ପୋଲାଭରମ୍‌କୁ ସମର୍ଥନ କରିଥିଲେ। ତେବେ ଏହି ପ୍ରସଙ୍ଗକୁ ଶୂନ୍ୟକାଳରେ ଉପସ୍ଥାପନ କରିବାକୁ ବାଚସ୍ପତି ଅନୁମତି ଦେବା ପରେ ବିଜେଡିି ସାଂସଦମାନେ ନିଜ ଆସନରେ ବସିଥିଲେ।

ଶୂନ୍ୟକାଳରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ପୋଲାଭରମ ପ୍ରସଙ୍ଗ ଉପସ୍ଥାପନ କରି କହିଥିଲେ ଯେ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ପ୍ରକଳ୍ପକୁ ସାରିବା ପାଇଁ ଜୋରସୋରରେ ପ୍ରୟାସ ଚାଲିଛି। ପ୍ରକଳ୍ପ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରାଯିବାର ନିୟମକୁ ଉଲ୍ଲଂଘନ କରାଯାଇଛି। ମହତାବ ଏହା ଉପସ୍ଥାପନ କରିବା ସମୟରେ ଗୃହରେ ବିଜେଡିିର ରବୀନ୍ଦ୍ର ଜେନା, ପ୍ରଭାସ ସିଂହ ଓ ପ୍ରସନ୍ନ ପାଟ୍ଟଶାଣୀ ଉପସ୍ଥିତ ଥିଲେ।

ଅପରପକ୍ଷେ, ପୋଲାଭରମ ପ୍ରକଳ୍ପ ସମ୍ପର୍କରେ ବିଜେଡି ସାଂସଦ ବଳଭଦ୍ର ମାଝି ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜନରାମ ମେଘଓ୍ଵାଲ କହିଛନ୍ତି ଯେ ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ଅନୁସାରେ ପୋଲାଭରମ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି। ପ୍ରକଳ୍ପର ନିର୍ମାଣ ବିରୋଧରେ ବର୍ତ୍ତମାନ ସୁଦ୍ଧା କୌଣସି ନ୍ୟାୟାଳୟରୁ ଅଦେଶ ଆସିନାହିଁ। ୨୦୧୬ ଜୁନ୍‌ ୨ରେ ଅନ୍ତଃରାଜ୍ୟ ବୈଠକରେ ଓଡ଼ିଶା ଓ ଛତିଶଗଡ଼କୁ ବନ୍ୟାଜଳ ଓ ବ୍ୟାକ୍‌ଓ୍ଵାଟର ସମ୍ପର୍କରେ ତଥ୍ୟ ପ୍ରଦାନ କରାଯିବାକୁ ଆନ୍ଧ୍ରସରକାରଙ୍କୁ କୁହାଯାଇଛି ବୋଲି ମନ୍ତ୍ରୀ ତାଙ୍କର ଉତ୍ତରରେ କହିଛନ୍ତି।

ସମ୍ବନ୍ଧିତ ଖବର