୧୨୨ରୁ ୧୧୯ ଆଇପିଏସ୍‌ ଅଧିକାରୀ ଫେଲ୍‌

ପୁଲିସ ଏକାଡେମୀ ପରୀକ୍ଷା

ହାଇଦ୍ରାବାଦ: ସ୍ଥାନୀୟ ସର୍ଦ୍ଦାର ବଲ୍ଲବଭାଇ ପଟେଲ ରାଷ୍ଟ୍ରୀୟ ପୁଲିସ ଏକାଡେମୀରେ ନିକଟରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି। ଏକାଡେମୀ ପକ୍ଷରୁ ଅନୁଷ୍ଠିତ ତାଲିମଭିତ୍ତିକ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ମୋଟ ୧୨୨ ଆଇପିଏସ୍‌ (ଭାରତୀୟ ପୁଲିସ ସେବା) ଅଧିକାରୀଙ୍କ ମଧ୍ୟରୁ କେବଳ ୩ ଜଣ ପାସ୍‌ ହୋଇଛନ୍ତି। ଅନ୍ୟପକ୍ଷରେ ୧୧୯ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି। ଚଳିିତବର୍ଷ ଏହି ଆଇପିଏସ୍‌ ଅଧିକାରୀଙ୍କୁ ଚୟନ କରାଯାଇଥିଲା। ତେଣୁ ସେବା ପାଇଁ ଦାୟିତ୍ୱ ହସ୍ତାନ୍ତର କରିବା ପୂର୍ବରୁ ସର୍ଦ୍ଦାର ବଲ୍ଲବଭାଇ ପଟେଲ ପୁଲିସ ଏକାଡେମୀ(ଏସ୍‌ଭିପିଏନ୍‌ପିଏ)ରୁ ସ୍ନାତକ ନିମନ୍ତେ ସେମାନଙ୍କୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଜରୁରି ଥିଲା। ମିଳିଥିବା ଖବର ମୁତାବକ ଏହି ବ୍ୟାଚ୍‌ରେ ମୋଟ ୧୩୬ ଅଧିକାରୀ ଥିଲେ। ତନ୍ମଧ୍ୟରେ ୧୪ ଜଣ ବିଦେଶୀ ପୁଲିସ ବାହିନୀର ଥିଲେ। ତେବେ ପରୀକ୍ଷାରେ ବିଫଳ ହେବା ସତ୍ତ୍ୱେ ଅଫିସରମାନେ ସ୍ନାତକ ଘୋଷିତ ହୋଇଛନ୍ତି ଏବଂ ସେମାନଙ୍କୁ ନିଜ ନିଜ କ୍ୟାଡର୍‌ରେ ଏବେ ପ୍ରୋବେସନର ଭାବେ ଅବସ୍ଥାପିତ କରାଯାଇଛି। ତେବେ ସୂତ୍ର ମୁତାବକ ସେମାନଙ୍କୁ ପ୍ରତ୍ୟେକ ବିଷୟରେ ଉତ୍ତୀର୍ଣ୍ଣ ହେବା ନିହାତି ଆବଶ୍ୟକ। ଏଥିପାଇଁ ସେମାନଙ୍କୁ ତିନିଟି ସୁଯୋଗ ଦିଆଯିବ। ଏଥିରେ ସେମାନେ ବିଫଳ ହେଲେ ଅଧିକାରୀଙ୍କୁ ସେବାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ। କୁହାଯାଉଛି ଯେ ଦେଶରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ୨୦୧୬ରେ ହୋଇଥିବା ପରୀକ୍ଷାରେ ୨ ଜଣ ଆଇପିଏସ୍‌ ଅଧିକାରୀ ବିଫଳ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଆଇଏଏସ୍‌ (ଭାରତୀୟ ପ୍ରଶାସନିକ ସେବା) ଅଧିକାରୀଙ୍କୁ ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସ୍‌ନାଲ୍‌ ଏକାଡେମୀ ଅଫ୍‌ ଆଡ୍‌ମିନିଷ୍ଟ୍ରେସନ୍‌ରେ ତାଲିମ ଦିଆଯାଉଥିବା ବେଳେ ଏସ୍‌ଭିପିଏନ୍‌ପିଏରେ ଆଇପିଏସ୍‌ ଅଧିକାରୀ ତାଲିମ ନେଇଥାନ୍ତି।

ସମ୍ବନ୍ଧିତ ଖବର