ପୁଲିସ ଗୁଳିରେ ୧୧ ମୃତ

ତାମିଲନାଡ଼ୁରେ ବେଦାନ୍ତ ପ୍ଲାଣ୍ଟ ବିରୋଧରେ ଆନ୍ଦୋଳନ, ବ୍ୟାପକ ପୋଡ଼ାଜଳା, ବିଚାର ବିଭାଗୀୟ ତଦନ୍ତ ହେବ

ଚେନ୍ନାଇ: ତାମିଲନାଡ଼ୁର ତୁତିକୋରିନ୍‌ରେ ବେଦାନ୍ତ ଷ୍ଟେର୍‌ଲାଇଟ୍‌ କପର ୟୁନିଟ୍‌ ବିରୋଧରେ ଚାଲିଥିବା ଆନ୍ଦୋଳନ ଆଜି ହିଂସାତ୍ମକ ମୋଡ଼ ନେଇଛି। ଆନ୍ଦୋଳନକାରୀ ଏବଂ ପୁଲିସ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସକୁ ଗୁଳି ଚଳାଇବାକୁ ପଡ଼ିଛି। ଏଥିରେ ୧୧ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମିଳିଥିବା ଖବର ଅନୁସାରେ ତୁତିକୋରିନ୍‌ରେ ଥିବା ବେଦାନ୍ତର ଷ୍ଟେର୍‌ଲାଇଟ୍‌ କପର ପ୍ଲାଣ୍ଟ୍‌ ବନ୍ଦ ଦାବିରେ ଆଜି ହଜାର ହଜାର ସ୍ଥାନୀୟ ବାସିନ୍ଦା ଜିଲ୍ଲା ମୁଖ୍ୟ ପ୍ରଶାସନିକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ଲାଣ୍ଟ ବନ୍ଦ ପାଇଁ କୌଣସି ନିର୍ଭର ପ୍ରତିଶ୍ରୁତି ନ ମିଳିବାରୁ ଆନ୍ଦୋଳନକାରୀମାନେ କମ୍ପାନି କାର୍ଯ୍ୟାଳୟ ଘେରାଉ ପାଇଁ ଯାଉଥିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା। ବିଶୃଙ୍ଖଳ ଜନତା ପୁଲିସ ଉପରକୁ ପ୍ରବଳ ପଥର ମାଡ଼ କରିବା ପରେ ସ୍ଥିତି ଅଣାୟତ୍ତ ହୋଇଉଠିଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ପୁଲିସ ଗୁଳିଚାଳନା କରିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଲାଠିମାଡ଼ରେ ଶତାଧିକ ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୫୦ରୁ ଅଧକ ପୁଲିସ କର୍ମୀ ଏବଂ ଖବର ସଂଗ୍ରହ ପାଇଁ ଉପସ୍ଥିତ ଅନେକ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଷ୍ଟେର୍‌ଲାଇଟ୍‌ କପର୍‌ ୟୁନିଟ୍‌ ନିକଟସ୍ଥ ଅଞ୍ଚଳରେ ଏବେ ୧୪୪ ଧାରା ଜାରି ହୋଇଛି। ସମଗ୍ର ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି ଏବଂ ପରିସ୍ଥିତି ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଇ ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୃତ ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ଘୋଷଣା କରିଛନ୍ତି। ଘଟଣାର ବିଚାର ବିଭାଗୀୟ ତଦନ୍ତ ଲାଗି ମଧ୍ୟ ସେ ନିର୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଗତ ଶହେ ଦିନ ଧରି ବେଦାନ୍ତର ଷ୍ଟେର୍‌ଲାଇଟ୍‌ କପର ୟୁନିଟ୍‌ ବନ୍ଦ ଦାବିରେ ତୁତିକୋରିନ୍‌ ସହର ବାସିନ୍ଦା ଆନ୍ଦୋଳନ କରି ଆସୁଛନ୍ତି। ଆନ୍ଦୋଳନକାରୀମାନେ ଅଭିଯୋଗ କରିଛନ୍ତି ଯେ ଉକ୍ତ ପ୍ଲାଣ୍ଟ୍‌ ନିକଟସ୍ଥ ଅଞ୍ଚଳର ଭୂତଳ ଜଳ ସ୍ତର ଉଦ୍‌୍‌ବେଗଜନକ ଭାବେ ହ୍ରାସ ପାଇଛି। ଏହାଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହେଉଛି। ପ୍ରାୟ ୫ ହଜାର ଆନ୍ଦୋଳନକାରୀ ଆଜି ହିଂସାକୁ ଓହ୍ଲାଇଥିବାରୁ ପୁଲିସ ପ୍ରଶାସନର ସମସ୍ୟା ବଢ଼ିଯାଇଛି। ତୁତିକୋରିନ୍‌ରେ ଏବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦକ୍ଷିଣ ଜିଲ୍ଲା ମଦୁରାଇ, ରାମନାଥପୁରମ, ଥେନି, ଦିନ୍ଦିଗୁଲ୍‌ରୁ ୨୦୦୦ରୁ ଊର୍ଦ୍ଧ୍ୱ ପୁଲିସ କର୍ମୀ ତୁତିକୋରିନ୍‌ରେ ମୁତୟନ ହୋଇଛନ୍ତି। ଏହି ଜିଲ୍ଲାରେ ସ୍ଥାନୀୟ ବାସିନ୍ଦାମାନେ ଷ୍ଟେରଲାଇଟ୍‌ କପର ପ୍ଲାଣ୍ଟ୍‌ ବନ୍ଦ ଦାବିରେ ଅନେକ ଥର ଆନ୍ଦୋଳନ କରି ଆସିଛନ୍ତି। ଏନେଇ ସ୍ଥାନୀୟ ଅଞ୍ଚଳରେ ବିଶୃଙ୍ଖଳା ଲାଗି ରହିଛି।

ସମ୍ବନ୍ଧିତ ଖବର