ପାଟନାରେ ପୁଲିସର ହିଂସାତ୍ମକ ବିକ୍ଷୋଭ

ପାଟନା: ପାଟନାରେ ଆଜି ପୁଲିସ କର୍ମଚାରୀଙ୍କ ହିଂସାତ୍ମକ ବି‌କ୍ଷୋଭ ପ୍ରଦର୍ଶନ ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣେ ମହିଳା କନେଷ୍ଟବଳଙ୍କୁ ଛୁଟି ନମିଳିବାରୁ ଚିକିତ୍ସା ଅଭାବରୁ ତାଙ୍କର ମୃତୁ ଘଟିଥିବା ଅଭିଯୋଗ କରି ଆଜି ୩୦୦ରୁ ଊର୍ଦ୍ଧ୍ବ ପୁଲିସ କର୍ମଚାରୀ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ କ୍ବାର୍ଟର ଭଙ୍ଗାରୁଜା‌ କରିବା ସହ ରାସ୍ତାରେ ମଧ୍ୟ ପୋଡ଼ାଜଳା କରିଛନ୍ତି। ସେମାନେ ବରିଷ୍ଠ ଅଧିକାରୀମାନଙ୍କୁ ‌ପଥର ମାଡ଼ କରିଥିବାରୁ ଅଧିକାରୀମାନେ ପ୍ରାଣ ଭୟରେ ପଳାଇଥିବା ଜଣାପଡ଼ିଛି। ପ୍ରାୟ ୯ ଜଣ ଅଧିକାରୀ ଏଥିରେ ଆହତ ହୋଇଥିବା ପ୍ରକାଶ। ଉତ୍ତ୍ୟକ୍ତ ପୁଲିସ କର୍ମୀ ଅନେକ ପୁଲିସ ଜିପ୍‌ ଓ ବସ୍‌ ଜାଳି ଦେଇଛନ୍ତି। ପୁଲିସ ଲାଇନ୍‌ରେ ଅନେକ ସାଧାରଣ ଲୋକ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ପ୍ରାୟ ୩ ଘଣ୍ଟା ଧରି ପୁଲିସ କର୍ମୀଙ୍କ ଏଭଳି କାଣ୍ଡ ପାଟନା ସହରରେ ଆତଙ୍କ ଖେଳାଇ ଦେଇଥିଲା। ବହୁ କଷ୍ଟରେ ସ୍ଥିତି ନିୟନ୍ତ୍ରଣ ହେବାପରେ ପୁଲିସ ସୁପରିନଟେଣ୍ଡେଣ୍ଟ୍‌ ମନୁ ମହାରାଜ ଏବଂ ଅନ୍ୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବରିଷ୍ଠ ପୁଲିସ ଅଧିକାରୀମାନେ ଆକ୍ରମଣର ଶିକାର ହୋଇଥିବାରୁ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ନେଇ ବିଭିନ୍ନ ମହଲ ପ୍ରଶ୍ନ ଉଠାଇଛନ୍ତି। ମୃତ ମହିଳା କନେଷ୍ଟବଳ ସବିତା ନାଏକଙ୍କ ସହକର୍ମୀଙ୍କ କହିବା ଅନୁଯାୟୀ ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ସେ ଛୁଟି ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଛୁଟି ମିଳିନଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର