ବିଜେପିର ବାଇକ୍‌ ରାଲିକୁ ଅଟକାଇଲା କୋଲକାତା ପୁଲିସ୍‌

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ରାମ ନବମୀ ଅବସରରେ କୌଣସି ପ୍ରକାରର ବାଇକ୍‌ ରାଲିକୁ ପୁଲିସ୍‌ ଅନୁମତି ଦେଇ ନଥିବା ଜଣାଯାଇଛି। କୌଣସି ରାଜନୈତିକ,ସାମାଜିକ ବା ଧାର୍ମିକ ସଂଗଠନଙ୍କୁ ଏଥିଲାଗି ବାରଣ କରାଯାଇଛିି। ଆଗରୁ ଏଭଳି ବାରଣ କେବେ କରାଯାଇ ନଥିଲା। କିନ୍ତୁ ଏହାକୁ ନ ମାନି ଆଜି ବିଜେପି ପକ୍ଷରୁ କୋଲକାତାରେ ଏକ ବାଇକ୍‌ ରାଲି କରାଯାଇଥିଲା, ଯାହାକୁ ପୁଲିସ୍‌ ଅଟକାଇଥିବାର ଖବର ମିଳିଛି।

ଏହାକୁ ନେଇ ବିଜେପିର ପ୍ରଦେଶ ସଭାପତି ଦୀଲିପ ଘୋଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ବିଜେପି ପକ୍ଷରୁ ଶାନ୍ତିପୂର୍ଣ୍ଣଭାବେ ବାଇକ୍‌ ରାଲି ଚାଲିଥିବା ବେଳେ ଏହାକୁ ଅଟକାଯିବା ଦୁର୍ଭାଗ୍ୟଜନକ। ସେ କହିଛନ୍ତି ଯେ ବିଜେପି ପକ୍ଷରୁ ରାଲି ଲାଗି ଆଗରୁ ଅନୁମତି ନିଆଯାଇଥିଲା। ପୁଲିସ୍‌ ତୃଣମୂଳ ସରକାରଙ୍କ ଚାପରେ ଏପରି କରିଛି। ଏହାଦ୍ୱାରା ତୃଣମୂଳ ସରକାର ପଶ୍ଚିମବଙ୍ଗରୁ ଲୋପ ପାଇଯିବ।

ବାଇକ୍‌ ରାଲିକୁ ଅଟକା ଯିବାପରେ ବିଜେପି କାର୍ଯ୍ୟକର୍ତ୍ତାମାନେ ପାଦରେ ଚାଲି ଚାଲି ରାଲି କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର