ଶ୍ରୀନଗର: ସମ୍ବିଧାନର ଧାରା ୩୫-କ’କୁ ନେଇ ଜମ୍ମୁ କଶ୍ମୀରରେ ରାଜନୀତି ସରଗରମ ହୋଇଛି। ରାଜ୍ୟର ପଞ୍ଚାୟତ ନିର୍ବାଚନ ଏହାଦ୍ୱାରା ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ଦେଖାଦେଇଛି। ନ୍ୟାସ୍ନାଲ୍ କନ୍ଫରେନ୍ସ (ଏନ୍ସି) ନେତା ଫାରୁକ୍ ଅବ୍ଦୁଲ୍ଲା ବୁଧବାର ଏ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କହିଛନ୍ତି, ଯଦି ଧାରା ୩୫-କ’ ବାବଦରେ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ ନକରନ୍ତି ଏବଂ ଏହି ଧାରାକୁ ଯଦି ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆନଯାଏ, ତେବେ ଦଳ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବହିଷ୍କାର କରିବ। ଏଥିରେ ଏନ୍ସି ଆଦୌ ଅଂଶଗ୍ରହଣ କରିବ ନାହିଁ ବୋଲି ଫାରୁକ୍ ସ୍ପଷ୍ଟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଜମ୍ମୁ କଶ୍ମୀରରେ ଲାଗୁ ହେଉଥିବା ଧାରା ୩୫-କ’ ଉପରେ କିଛି ସ୍ୱେଚ୍ଛାସେବୀ ସଂଗଠନ ଏବଂ ବ୍ୟକ୍ତିବିଶେଷ ପ୍ରଶ୍ନ ଉଠାଇଛନ୍ତି। ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତା ଦୃଷ୍ଟିରୁ ଏହାର କୌଣସି ପ୍ରୟୋଜନ ନାହିଁ। ତେଣୁ ଏହାକୁ ଉଚ୍ଛେଦ କରାଯିବା ଦରକାର ବୋଲି ସେମାନେ ଦର୍ଶାଇଛନ୍ତି। ସୁପ୍ରିମ୍କୋର୍ଟରେ ଏ ନେଇ ହୋଇଥିବା ଏକାଧିକ ଆବେଦନ ଉପରେ ଶୁଣାଣି ବାକି ରହିଛି। ଇତିମଧ୍ୟରେ ସର୍ବୋଚ୍ଚ ଅଦାଲତ ଏହି ଆବେଦନଗୁଡ଼ିକର ଶୁଣାଣି ଅବଧିକୁ ଆସନ୍ତା ବର୍ଷ ଜାନୁଆରିକୁ ଘୁଞ୍ଚାଇ ଦେଇଛନ୍ତି। କିନ୍ତୁ ଏହାକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଗୋଟିଏ ପଟେ ରାଜ୍ୟବାସୀ ଏବଂ ବିଚ୍ଛିନ୍ନତାବାଦୀମାନେ ଏହି ଧାରାର ସମ୍ଭାବ୍ୟ ଉଚ୍ଛେଦକୁ ତୀବ୍ର ବିରୋଧ କରୁଛନ୍ତି। ଏମିତି କି ସୁପ୍ରିମ୍କୋର୍ଟରେ ଏ ବାବଦ ଶୁଣାଣିକୁ ନେଇ ରାଜ୍ୟରେ ହିଂସାକାଣ୍ଡ ମଧ୍ୟ ଘଟାଉଛନ୍ତି। ତେବେ ଏନ୍ସି ନେତା ଫାରୁକ୍ ଅବ୍ଦୁଲ୍ଲାଙ୍କ ସଦ୍ୟତମ ଟିପ୍ପଣୀକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହାଦ୍ୱାରା ଆଗକୁ ଅଧିକ ବିବାଦ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ରାଜ୍ୟ ସରକାରଙ୍କ ଓକିଲ ତୁଷାର ମେହଟ୍ଟା କହିଛନ୍ତି ଧାରା-୩୫ ବାବଦରେ କୌଣସି ଆଲୋଚନା ହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ।