ରାଜନୀତିର ଅପରାଧୀକରଣରେ ଅଙ୍କୁଶ:ସୁପ୍ରିମ୍‌କୋର୍ଟରେ ସରକାର-ନିର୍ବାଚନ କମିସନ ମୁହାଁମୁହିଁ

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣକୁ ରୋକିବା ଦିଗରେ ସୁନିଶ୍ଚିତ ପଦକ୍ଷେପ ଗ୍ରହଣ କରବାକୁ ହୋଇଥିବା ଆବେଦନ ଉପରେ ସୁପ୍ରିମ୍‌ କୋର୍ଟରେ ମଂଗଳବାର ପ୍ରବଳ ଯୁକ୍ତିତର୍କ ହୋଇଛି। ଏହି ମାମଲାରେ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନ ଆଜି ସେମାନଙ୍କ ମତ ରଖିଥିଲେ ମଧ୍ୟ ଏଥିରେ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳିଛି। ନିର୍ବାଚନ କମିସନଙ୍କ ପ୍ରସ୍ତାବକୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି।
ଗୋଟିଏ ପଟେ ନିର୍ବାଚନ କମିସନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠକୁ କହିଥିଲେ ଯେ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଲୋକ ପ୍ରତିନିଧିଙ୍କୁ ଅଯୋଗ୍ୟ ଘୋଷଣା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଉ। ଏହା ହେଲେ ହିଁ ଅପରାଧୀଙ୍କୁ ନିର୍ବାଚନ ଲଢ଼ିବାରୁ ରୋକାଯାଇପାରିବ ବୋଲି ନିର୍ବାଚନ କମିସନ ଯୁକ୍ତି ଦର୍ଶାଇଥିଲେ। ତେବେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ। ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କହିଥିଲେ ଯେ ଆଇନ ତିଆରି ମାମଲାରେ ଏଭଳି ଅଯଥା ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। କୌଣସି ଲୋକପ୍ରତିନିଧି ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ତାଙ୍କୁ ଅପରାଧୀ ଭଳି କିଭଳି ଗ୍ରହଣ କରାଯିବ ଏବଂ ନିର୍ବାଚନ ଲଢ଼ିବାରୁ କିଭଳି ବଞ୍ଚିତ କରାଯାଇ ପାରିବ ବୋଲି ସେ ପ୍ରଶ୍ନ କରିଥିଲେ। କୋର୍ଟ ଏହି ମାମଲାରେ କହିଥିଲେ ଯେ ନିର୍ବାଚନ ଲଢ଼ିବା ପାଇଁ ଜଣେ ବ୍ୟକ୍ତିର ଅଧିକାର ରହିଥିଲେ ମଧ୍ୟ ଅପରାଧ ପୃଷ୍ଠଭୂମିର ନେତାଙ୍କୁ ଦଳମାନେ ଟିକଟ ଦେବା ଉଚିତ ନୁହେଁ। ଜନସାଧାରଣ ପ୍ରାର୍ଥୀଙ୍କ ପୃଷ୍ଠଭୂମି ସଂପର୍କରେ ଜାଣିବାର ଅଧିକାର ରହିଛି। ନିର୍ବାଚନ କମିସନ ରାଜନୈତିକ ଦଳମାନଙ୍କୁ ଏ ବାବଦରେ ବିହୀତ ନିର୍ଦ୍ଦେଶ ଦେଇ ଏହା ସୁନିଶ୍ଚିତ କରିବାକୁ ସୁପ୍ରିମ୍‌ କୋର୍ଟ କହିଥିଲ।

ସମ୍ବନ୍ଧିତ ଖବର