୨୦୦୧ ପାର୍ଲାମେଣ୍ଟ୍‌ ଆକ୍ରମଣରେ ସହିଦଙ୍କୁ ରାଜନେତାମାନଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ୧୬ ବର୍ଷ ତଳେ ପାର୍ଲାମେଣ୍ଟ୍‌ ଆକ୍ରମଣରେ ଜୀବନ ହରାଇଥିବା ବ୍ୟକ୍ତିଙ୍କୁ ଆଜି ଦଳମତ ନିର୍ବିଶେଷରେ ରାଜନୈତିକ ନେତାମାନେ ସ୍ମରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ଦଳର ନେତାମାନେ ବୁଧବାର ସକାଳେ ପାର୍ଲାମେଣ୍ଟ୍‌ରେ ଉପସ୍ଥିତ ହୋଇଥିଲେ ସହିଦମାନଙ୍କୁ ପୁଷ୍ପାଞ୍ଜଳି ଜ୍ଞାପନ କରିବା ନିମିତ୍ତ।

ଉପସ୍ଥିତ ନେତାମାନଙ୍କ ମଧ୍ୟରେ ଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ।

ସହିଦ ସ୍ମାରକୀରେ ସମ୍ମାନ ପ୍ରଦର୍ଶନ କରିବା ପରେ ରାହୁଳ ଗାନ୍ଧୀ, ସୁଷମା ସ୍ୱରାଜ ଏବଂ ରବି ଶଙ୍କର ପରସ୍ପରଙ୍କୁ ଭଲମନ୍ଦ ପଚାରିଥିଲେ।
ପାର୍ଲାମେଣ୍ଟ୍‌ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପରସ୍ପରକୁ ଭେଟିଥିଲେ।

ଟୁଇଟର୍‌ ଜରିଆରେ ମଧ୍ୟ ପାର୍ଲାମେଣ୍ଟ୍‌ରେ ଦେଶ ପାଇଁ ଆତ୍ମବଳି ଦେଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ରାଜନୈତିକ ନେତାମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।


୨୦୦୧ ମସିହା ଡିସେମ୍ବର ୧୩ ତାରିଖ ଦିନ ଆତଙ୍କବାଦୀ ସଙ୍ଗଠନ ‘ଲସ୍କର-ଏ-ତୈବା’ ଏବଂ ‘ଜୈସ୍‌-ଏ-ମହମ୍ମଦ’ ୫ ଜଣ ସଶସ୍ତ୍ର ଆତଙ୍କବାଦୀ ପାର୍ଲାମେଣ୍ଟ୍‌ ପରିସରରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇ ଥିଲେ। ଏଥିରେ ୧୩ ଜଣ ନିରାପତ୍ତା ଅଧିକାରୀ ଏବଂ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ।

ପାର୍ଲାମେଣ୍ଟ୍‌ ଅଧିବେଶନ ଶେଷ ହେବାର ୪୦ ମିନିଟ୍‌ ପରେ ଆକ୍ରମଣ କରାଯାଇଥିଲା। ସେତେବେଳେ ପାର୍ଲାମେଣ୍ଟ୍‌ ଭିତରେ ୧୦୦ ଜଣ ସଦସ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର