ଟିଟୋ ପଛରେ କିଏ?

ଦିଲ୍ଲୀରେ ବିଜେଡିର ସାମ୍ବାଦିକ ସମ୍ମିଳନୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାଣିଲା ବିଜେଡି

ନୂଆଦିଲ୍ଲୀ : ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲ୍ଲୀ ଓରଫ୍‌ ଟିଟୋର ପେଟ୍ରୋଲ ପମ୍ପ ଲିଙ୍କ୍‌ ପ୍ରସଙ୍ଗଟି ତଦନ୍ତ ପରିସରଭୁକ୍ତ ଥିବା ବେଳେ ବିଜୁ ଜନତା ଦଳ ଏହାକୁ ନାଟକୀୟ ମୋଡ଼ ଦେଇଛି। ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲା ତୈଳ ନିଗମ। ଘଟଣାର ୨୪ ଘଣ୍ଟା ପୂରିନି, ବିଜେଡି ମୁଖପାତ୍ର ପ୍ରତାପ ଦେବ ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି କେଳେଙ୍କାରୀ ଭିତରକୁ ଟାଣି ଆଣିଛନ୍ତି।

ଶ୍ରୀ ଦେବ ପ୍ରଶ୍ନ କରିଛନ୍ତି, ଗ୍ୟାଙ୍ଗଷ୍ଟର ଟିଟୋ କିଭଳି ପାଇଲା ପେଟ୍ରୋଲ ପମ୍ପ? ସେକଥା ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ସିବିଆଇ ତଦନ୍ତ ନିର୍ଦେଶ ଦେବା ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି, ମନ୍ଦିର କିଏ ନା.. ଭଳି ଉକ୍ତିକୁ ସଙ୍କେତ କରୁନି କି? ମନ୍ତ୍ରୀ ନିଜେ ସଂପୃକ୍ତ ଅଛନ୍ତି ନା କାହାକୁ ଘଣ୍ଟ ଘୋ଼ଡ଼ାଉଛନ୍ତି? କେବଳ ସେତିକି ନୁହେଁ, ଅପରାଧମୂଳକ ରାଜନୀତିରେ ବାରମ୍ବାର ସଂପୃକ୍ତି ଅଭିଯୋଗ ବଢୁଥିବା କାରଣରୁ ନୈତିକତା ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଦେବା ଉଚିତ ବୋଲି ଦାବି କରିଛନ୍ତି।

ଶ୍ରୀ ଦେବ କହିଥିଲେ, ମେସର୍ସ ସୟଦ ବ୍ରଦର୍ସ ନାମରେ କେନ୍ଦ୍ରାପଡ଼ା ଜିଲ୍ଲା ବଡ଼ହାଟରେ ଏକ ପେଟ୍ରୋଲ ପମ୍ପ ଖୋଲା ଯାଇଛି। ଟିଟୋ ଓ ଏହାର ପରିବାର ଲୋକଙ୍କ ନାମରେ ଏହି ସ୍ଥାନର ମାଲିକାନା ରହିଛି। ଡିସେମ୍ବର ୨୦୧୫ରେ ଏହି ପେଟ୍ରୋଲ ପମ୍ପ ଆରମ୍ଭ ହୋଇଥିଲା। ଏହାବାଦ୍‌ ୨୦୧୭ ମସିହାରେ ଆଇଓସିଏଲ୍‌ ଟିଟୋକୁ ଜଗତସିଂହପୁର ଜିଲ୍ଳା ପାରାଦୀପ ପୋର୍ଟ ଟ୍ରଷ୍ଟ ଠାରେ ଆଉ ଏକ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା। ଏହାର ମାଲିକାନା ମଧ୍ୟ ଟିଟୋର ପତ୍ନୀ ବେନଜୀରଙ୍କ ନାମରେ ରହିଛି।

ଓଡ଼ିଶାର ଆବାଳ ବୃଦ୍ଧ ବନିତା ଟିଟୋର ଅପରାଧ ଦୁନିଆ ବିଷୟରେ ଜାଣିଥିବା ବେଳେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ଆଇଓସିଏଲ୍‌ ଟିଟୋକୁ ଦୁଇ ଦୁଇଟି ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଲା ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସବୁ ଜାଣି ବି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାଣିଶୁଣି ଟିଟୋକୁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଅନୁମତି ଦେଇଥିଲେ ବୋଲି ବିଜେଡି ଅଭିଯୋଗ କରିଛି।

ବିଜେଡି କହିଛି, ପାରାଦୀପ ବନ୍ଦର ପରିସରରେ ଥିବା ପେଟ୍ରୋଲ ପମ୍ପ କଂପାନିର ନିଜସ୍ୱ। ଏହି ପେଟ୍ରୋଲ ପମ୍ପ ଆବଣ୍ଟନ କେବଳ ମନୋନୟନ ଭିତ୍ତିରେ କରାଯାଇଥାଏ। ହେଲେ ଏହି ଆବଣ୍ଟନ ପାଇଁ ଅନୁସୃତ ପଦ୍ଧତି ପାଳନ ହୋଇଛି ନା ଏହା ପଛରେ ରାଜନୈତିକ ସଂପୃକ୍ତି ରହିଛି, ସେକଥା ମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ୍‌।  ଏମିତିରେ ବି ଖୋଦ୍‌ ଭାରତୀୟ ତୈଳ ନିଗମ ଏହି ପେଟ୍ରୋଲ ପମ୍ପ ଆବଣ୍ଟନରେ ତ୍ରୁଟି ଥିବା କଥା ସ୍ୱୀକାର କରିସାରିଛନ୍ତି। ଯଦି ଏହା ସତ, ତେବେ ଏକଥା ସେମାନେ କେବେ ଜାଣିଲେ? ଏଥିପାଇଁ ସେମାନେ ତଦନ୍ତ କରାଇଥିଲେ କି? ଓଡ଼ିଶା କ୍ରାଇମବ୍ରାଞ୍ଚ ଅଧୀନ ସ୍ୱତନ୍ତ୍ର ଟାସ୍କ ଫୋର୍ସ ତଦନ୍ତ ପରେ ହଠାତ୍‌ ଭାରତୀୟ ତୈଳ ନିଗମ କର୍ତ୍ତୃପକ୍ଷ ଚେଇଁ ଉଠିଲେ କାହିଁକି? କାହିଁକି ମନ୍ତ୍ରୀ ପୂର୍ବରୁ ଏହି ଘଟଣାର ତଦନ୍ତ କଲେ ନାହିଁ? ଏବେ କାହିଁକି? କ’ଣ କେବଳ ଗୋଟିଏ ପେଟ୍ରୋଲ ପମ୍ପର ତଦନ୍ତ କରିବାର ନିୟମ ସିବିଆଇର ଅଛି କି?

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଲକ୍ଷ୍ୟ କରି ସାଂସଦ କହିଥିଲେ, ୨୦୧୪ରୁ ୧୦୧୮ ମସିହା ପର୍ଯ୍ୟନ୍ତ ଯେତେସବୁ ଗ୍ୟାସ ଏଜେନ୍‌ସି ଓ ପେଟ୍ରୋଲ ପମ୍ପ ଆବଣ୍ଟନ କରାଯାଇଛି, ସବୁଗୁଡିକର ସିବିଆଇ ତଦନ୍ତ କରାଯିବାର ଆବଶ୍ୟକତା ରହିଛି।  ଶ୍ରୀ ଦେବ କହିଥିଲେ, ଏସବୁ ଘଟଣାର ଏଇଥିପାଇଁ ତଦନ୍ତ ହେବା ଦରକାର, କାରଣ କେନ୍ଦ୍ରମନ୍ତ୍ରୀଙ୍କର କ୍ରାଇମ ସିଣ୍ଡିକେଟ୍‌ ସହିତ ସଂପର୍କ ଆସ୍ତେ ଆସ୍ତେ ପଦାକୁ ଆସିବା ଆରମ୍ଭ କଲାଣି। ରାଜନୀତିକୁ ଅପରାଧୀକରଣ କରିବାର ପ୍ରଥା ଓଡ଼ିଶାରେ ନଥିଲା। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଏଭଳି କାରନାମା କରି ଓଡ଼ିଶା ରାଜନୀତିରେ ବିହାର ଭଳି ଅପରାଧଯୁକ୍ତ ରାଜନୈତିକ ବ୍ୟବସ୍ଥା କରିବାକୁ ଚେଷ୍ଟା ଚଳାଇଛନ୍ତି।

ବିଜେଡି ଆହୁରି କହିଛି, ଟିଟୋ ବିରୋଧରେ ୪୫ରୁ ଅଧିକ ସଙ୍ଗିନ୍‌ ଅପରାଧିକ ମାମଲା ରହିଥିବା ବେଳେ ଧଳ ସାମନ୍ତ ବ୍ରଦର୍ସଙ୍କ ବିରୋଧରେ ମଧ୍ୟ ୩୫ରୁ ଅଧିକ ମାମଲା ରହିଛି। ଧଳ ସାମନ୍ତ ମାମଲାରେ ମଧ୍ୟ ବିଜେପିର ସଂପୃକ୍ତି କାହାକୁ ଅଛପା ନାହିଁ। ଗଞ୍ଜାମରେ କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣା ପଛରେ ବିଜେପିର ଜଣେ ପ୍ରବକ୍ତାଙ୍କ ସଂପୃକ୍ତି ଅଭିଯୋଗ ହୋଇଥିଲା। ବିଜେପୁର ଉପ-ନିର୍ବାଚନ ସମୟରେ ବିଜେଡି କର୍ମୀଙ୍କ ହତ୍ୟା ଓ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ସଂପୃକ୍ତ ଅପରାଧୀ ମଧ୍ୟ ବିଜେପି ସହ ଜଡ଼ିତ ଥିଲେ। ଉପନିର୍ବାଚନ ସମୟରେ ପେଟ୍ରୋଲ ପମ୍ପମାନଙ୍କରେ ଟଙ୍କା ବଣ୍ଟନ ଅଭିଯୋଗ କରାଯାଇଥିଲା ବୋଲି ଶ୍ରୀ ଦେବ କହିଥିଲେ।

ବିଜେଡିକୁ ଦାୟୀ କଲା ବିଜେପି

ଭୁବନେଶ୍ୱର : ଟିଟୋ ମାମଲାରେ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରିଥିଲା। ଏହାର କିଛି ସମୟ ପରେ ଭୁବନେଶ୍ୱରରେ ଜବାବୀ ସାମ୍ବାଦିକ ସମ୍ମିଳନୀ କଲା ବିଜେପି। ଗ୍ୟାଙ୍ଗ୍‌ଷ୍ଟର୍‌ ଟିଟୋର ଅପରାଧିକ ସାମ୍ରାଜ୍ୟ ପଛରେ ବିଜେଡି ସରକାରର ପ୍ରୋତ୍ସାହନ ଓ ସହଭାଗିତା ରହିଛି ବୋଲି ଦଳ ଆରୋପ ଲଗାଇଛି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଟିଟୋକୁ ପେଟ୍ରୋଲ ଟାଙ୍କି ଆବଣ୍ଟନ ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପାରିସ୍‌ କରାଯାଇଛି। ବିଜେଡି ତଦନ୍ତକୁ ସ୍ୱୀକାର କରିବା ପରିବର୍ତ୍ତେ କାହିଁକି ବିରୋଧ କରି ବ୍ୟତିବ୍ୟସ୍ତ ହୋଇପଡ଼ୁଛି? ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସତ୍ୟକୁ ସାମ୍ନାକୁ ଆଣିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଜେଡି ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ପରି ବୟାନ ଦେଇ ନିଜର ଭୟକୁ ସାର୍ବଜନୀନ କରିଛନ୍ତି। ବିଜେଡି ନେତାଙ୍କ ଅପରାଧିକ ପୃଷ୍ଠଭୂମିର ପର୍ଦ୍ଦାଫାସ ହେବା ଭୟରେ ସେମାନେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି।

ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଟିଟୋକୁ ନଦୀ ଘାଟ, ବାଲି, ମୋରମ ଉପରେ ଏକଚାଟିଆ ଅଧିକାର ଦେବାରେ ସାଂସଦ ପ୍ରତାପ ଦେବ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ ଓ କିଶୋର ତରାଇଙ୍କ ଭୂମିକା କ’ଣ, ତାହା ରାଜ୍ୟବାସୀଙ୍କୁ ଅଛପା ନାହିଁ। ଶାସକ ଦଳର ଟାଣୁଆ ନେତା, ମନ୍ତ୍ରୀ ତଥା ସେମାନଙ୍କ ଛତ୍ରଛାୟା ତଳେ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌ର ସହଯୋଗରେ ଟେଣ୍ଡର୍‌ ଫିକ୍ସିଂ କରି ଟିଟୋ ତା’ର ଅପରାଧିକ ସାମ୍ରାଜ୍ୟ ବଢ଼ାଇ ଚାଲିଥିଲା। ଟିଟୋର ଅପରାଧକୁ ଘଣ୍ଟ ଘୋଡ଼ାଇ କେବଳ ତଳିଆ ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦି ନେତା, ମନ୍ତ୍ରୀଙ୍କୁ ଖସାଇ ଦେବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର