ରାଜନୈତିକ ଦଳ ଆର୍‌ଟିଆଇ ପରିସରଭୁକ୍ତ ନୁହେଁ: ନିର୍ବାଚନ କମିସନ

ନୂଆଦିଲ୍ଲୀ: ରାଜନୈତିକ ଦଳ ଗୁଡ଼ିକ ସୂଚନା ଅଧିକାର ଆଇନ(ଆରଟିଆଇ) ପରିସର ଭୁକ୍ତ ନୁହେଁ ବୋଲି ଆଜି ନିର୍ବାଚନ କମିସନ କହିଛନ୍ତି। ୬ଟି ଜାତୀୟ ରାଜନୈତିକ ଦଳଙ୍କୁ ମିଳିଥିବା ଚାନ୍ଦାର ସବିଶେଷ ତଥ୍ୟ ଜଣେ ବ୍ୟକ୍ତି ଆରଟିଆଇ ସୂତ୍ରରେ ଜାଣିବାକୁ ଚେଷ୍ଟା କରିଥିବା ଘଟଣାରେ ନିର୍ବାଚନ କମିସନ ଏଭଳି ଉତ୍ତର ଦେଇଛନ୍ତି। ତେବେ ନିର୍ବାଚନ କମିସନଙ୍କ ଏହି ଜବାବ୍‌ କେନ୍ଦ୍ର ସୂଚନା କମିସନଙ୍କ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଉଲ୍ଳେଖଯୋଗ୍ୟ, ଏହି ୬ଟି ଦଳଙ୍କୁ ୨୦୧୩ ମସିହାରେ ମୁଖ୍ୟ ସୂଚନା କମିସନର ଆରଟିଆଇ ଆଇନର ପରିସରକୁ ଆଣିଥିଲେ।

ପୁନେର ବିହାର ଧ୍ରୁବେ ଆରଟିଆଇରେ ଆବେଦନ କରି ବିଜେପି, କଂଗ୍ରେସ, ବିଏସ୍‌ପି, ଏନ୍‌ସିପି, ସିପିଆଇ, ସିପିଏମ୍‌ ଓ ସମାଜବାଦୀ ପାର୍ଟି ନିର୍ବାଚନୀ ବଣ୍ଡ୍‌ ଆଧାରରେ ପାଉଥିବା ଚାନ୍ଦାର ବିବରଣୀ ଜାଣିବାକୁ ଚାହିଥିଲେ। ତେବେ ନିର୍ବାଚନ କମିସନ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ, ରାଜନୈତିକ ଦଳଗୁଡ଼ିକ ଆରଟିଆଇ ପରିସରଭୁକ୍ତ ନଥିବାରୁ ଏହି ତଥ୍ୟ ନିର୍ବାଚନ କମିସନଙ୍କ ନିକଟରେ ନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ଉକ୍ତ ଦଳଗୁଡ଼ିକ ଆଦାୟ କରିଥିବା ଅର୍ଥ ଚଳିତବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କମିସନଙ୍କ ନିକଟରେ ଦାଖଲ କରିପାରିବେ। ୨୦୧୩ ମସିହାରେ ଏହି ଦଳଗୁଡ଼ିକୁ ଆରଟିଆଇ ପରିସରଭୁକ୍ତ କରିବାର ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାକୁ କୌଣସି ହାଇକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇନାହିଁ। କିନ୍ତୁ ରାଜନୈତିକ ଦଳଗୁଡ଼ିକ ଆରଟିଆଇ ପରିସରଭୁକ୍ତ ହେବାକୁ ପ୍ରସ୍ତୁତ ନୁହନ୍ତି। ଯେଉଁଥିପାଇଁ ଅନେକ ଆବେଦନକାରୀ ଏହି ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର