ମହାରାଷ୍ଟ୍ରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ, ପ୍ରତି ମନ୍ତ୍ରୀଙ୍କୁ ୬-୭ଟି ଲେଖାଏଁ ବିଭାଗ

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଗାଡି ସରକାର ଶପଥ ଗ୍ରହଣ କରିବାର ୧୫ ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ଆଶ୍ଚର୍ଯ୍ୟକଥା ହେଉଛି ପ୍ରତି ମନ୍ତ୍ରୀଙ୍କୁ ୬-୭ଟି ଲେଖାଏଁ ବିଭାଗ ଦିଆଯାଇଛି । ଆସନ୍ତା ୨୬ ତାରିଖରୁ ମହାରାଷ୍ଟ୍ର ବିଧାନସଭାର ଅଧିବେଶନ ଆରମ୍ଭ ହେଉଥିବାରୁ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଥିବା ମନେକରାଯାଉଛି ।

ଶିବସେନାରୁ ମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେ ଗୃହ,ନଗର ଉନ୍ନୟନ, ଜଙ୍ଗଲ ଓ ପରିବେଶ, ଜଳଯୋଗାଣ ଓ ସଂରକ୍ଷଣ, ପର୍ଯ୍ୟଟନ, ସରକାରୀ ଉଦ୍ୟୋଗ ଓ ସଂସଦୀୟ ବ୍ୟାପାର ବିଭାଗ ପାଇଛନ୍ତି । ଆଉ ଜଣେ ଶିବସେନା ମନ୍ତ୍ରୀ ସୁଭାଷ ଦେଶାଇ ଶିଳ୍ପ, ଉଚ୍ଚ ଓ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଉଦ୍ୟାନକୃଷି, ପରିବହନ, ମରାଠି ଭାଷା, ସଂସ୍କୃତି ଓ ବନ୍ଦର ବିଭାଗ ଦିଆଯାଇଛି ।

ଏନସିପିର ଛଗନ ଭୁଜବଳଙ୍କୁ ଜଳସେଚନ, ଗ୍ରାମୀଣ ବିକାଶ, ସାମାଜିକ ନ୍ୟାୟ, ଅବକାରୀ, ଦକ୍ଷତାବିକାଶ, ଖାଦ୍ୟ ଓ ଔଷଧ ବିଭାଗ ପ୍ରଦାନ କରାଯାଇଛି । ଏନସିପିର ଆଉ ଜଣେ ମନ୍ତ୍ରୀ ଜୟନ୍ତ ପାଟିଲ ଅର୍ଥ ଓ ଯୋଜନା, ଗୃହନିର୍ମାଣ, ଜନସ୍ୱାସ୍ଥ୍ୟ, ଖାଦ୍ୟ ଓ ଯୋଗାଣ, ସମବାୟ,ଶ୍ରମ ଓ ସଂଖ୍ୟାଲଘୁ ବିକାଶ ବିଭାଗ ପାଇଛନ୍ତି ।

କଂଗ୍ରେସର ବାଲାସାହେବ ଥୋରାଟ ରାଜସ୍ୱ, ଶକ୍ତି, ଡାକ୍ତରୀ ଶିକ୍ଷା, ସ୍କୁଲ ଶିକ୍ଷା, ପଶୁପାଳନ ଓ ଦୁଗ୍ଧଚାଷ, ମତ୍ସ୍ୟଚାଷ ବିଭାଗ ପାଇଛନ୍ତି । ସେହିପରି କଂଗ୍ରେସର ନିତିନ ରାଉତ ପୂର୍ତ୍ତ, ମହିଳା ଓ ଶିଶୁ ବିକାଶ, ଆଦିବାସୀ ବ୍ୟାପାର, ବୟନ ଶିଳ୍ପ, ରିଲିଫ ଓ ଥଇଥାନ, ଓବିସି ଓ ସ୍ୱତନ୍ତ୍ର ପଛୁଆ ବର୍ଗ ବିକାଶ ବିଭାଗ ପାଇଛନ୍ତି ।

ସମ୍ବନ୍ଧିତ ଖବର