ପୋକ୍ସୋ ଆଇନରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ

ବେଙ୍ଗାଲୁରୁ: ଦୁଷ୍କର୍ମ ମାମଲା ଏବେ ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଥିବାବେଳେ ଶିଶୁଙ୍କୁ ଦୁଷ୍କର୍ମ ମାମଲାରେ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦେବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ କହିଛନ୍ତି। ୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୃତ୍ୟୁଦଣ୍ଡ ପାଇଁ ପୋକ୍ସୋ ଆଇନରେ ବ୍ୟବସ୍ଥା ରହିବ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଅତିରିକ୍ତ ସଲିସିଟର ଜେନେରାଲ ପିଏସ ନରସିଂହା ଆଜି ଏନେଇ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଅବଗତ କରିଛନ୍ତି। କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟର ଉପ ସଚିବଙ୍କର ଏକ ପତ୍ର ମଧ୍ୟ ସେ କୋର୍ଟରେ ଉପସ୍ଥାପନ କରିଥିଲେ। ପୋକ୍ସୋ ଆଇନ- ୨୦୧୨ରେ ସଂଶୋଧନ ଆଣି ଶିଶୁଙ୍କ ବିରୋଧରେ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ପାଇଁ ମନ୍ତ୍ରାଳୟ ପ୍ରସ୍ତାବ ଦେଇଥିଲା।

ସମ୍ବନ୍ଧିତ ଖବର