ରିୟାନ ସ୍କୁଲ୍‌ ଛାତ୍ର ହତ୍ୟା ମାମଲା: ଗୁରୁଗ୍ରାମ ପୁଲିସର କଲ୍‌ ରେକର୍ଡ ଓ ବ୍ୟାଙ୍କ୍‌ ଆକାଉଣ୍ଟ ତନଖିବ ସିବିଆଇ

ଗୁରୁଗ୍ରାମ: ରିୟାନ୍‌ ସ୍କୁଲ୍‌ରେ ପଢୁଥିବା ୭ ବର୍ଷିଅ ଛାତ୍ର ପ୍ରଦୁମ୍ନ ହତ୍ୟା ମାମଲାର ତଦନ୍ତ ନେଇ ଦିନକୁ ଦିନ ଦେଖିବାକୁ ମିଳୁଛି ନୂଆ ମୋଡ଼। ସ୍କୁଲ୍‌ ପରିସରରେ ଜଣେ କୁନି ବାଳକକୁ କିଏ ଓ କାହିଁକି ମାରିବ ତାହା ନେଇ ସମଗ୍ର ଦେଶବାସୀଙ୍କ ମନରେ ଅଜସ୍ର ପ୍ରଶ୍ନ।

ତେବେ, ଏହି ହତ୍ୟା ମାମଲାରେ ପ୍ରଥମେ ସ୍କୁଲ୍‌ ବସ୍‌ କଣ୍ଡକ୍ଟର ଆଶୋକ କୁମାର ଓ ପରେ ସେହି ସ୍କୁଲ୍‌ରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରକୁ ଗିରଫ କରାଯାଇସାରିଛି। ତେବେ, ଉପଯୁକ୍ତ ପ୍ରମାଣ ଅଭାବରୁ ବସ୍‌ ଚାଳକ ଅଶୋକଙ୍କୁ ଜାମିନ ମଧ୍ୟ ଦିଆସରିଛି। ଏବେ ସିବିଆଇ ତଦନ୍ତ ଉପରେ ଆଉ ଟିକେ ଜୋର୍‌ ଲଗାଇଛି। ସିବିଆଇ ଏବେ କଣ୍ଡକ୍ଟର ଅଶୋକ କୁମାରଙ୍କୁ ଗିରଫ କରିଥିବା ହରିଆଣା ପୁଲିସ୍‌ର ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌(ଏସ୍‌ଆଇଟି)ର ସଦସ୍ୟମାନଙ୍କ କଲ୍‌ ରେକର୍ଡ ସହିତ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ତନଖିବା ଆରମ୍ଭ କରିଛି। ଏ ନେଇ ଲାଞ୍ଚ କାରବାର ହୋଇଥିବା ସିବିଆଇ ଅନୁମାନ କରୁଛି।

ସୂତ୍ରରୁ ଜାଣିବାକୁ ମିଳଛି ଯେ ସିବିଆଇ ପକ୍ଷରୁ କୁହାଯାଇଛି କି ଯେଉଁଭଳି ଭାବେ ଅଶୋକ କୁମାରଙ୍କୁ ଗିରଫ କରାଗଲା, ଦୋଷ ସ୍ୱୀକାର ପାଇଁ ବାଧ୍ୟ କରାଗଲା, ହତ୍ୟା ଦୋଷ ତାଙ୍କ ଉପରେ ଲଦି ସିସିଟଭି ଫୁଟେଜ୍‌କୁ ଅଣଦେଖା କରାଗଲା ତାହା ସ୍ପଷ୍ଟ ସୂଚୀତ କରୁଛି ଯେ ଏହି ମାମଲାର ତଦନ୍ତ କରୁଥିବା ପୁଲିସ୍‌ କର୍ମଚାରୀମାନେ କେତେ ଦାୟିତ୍ୱହୀନ।

ଏହି ହତ୍ୟା ମାମଲାକୁ ନେଇ ଏସ୍‌ଆଟି ଦୀର୍ଘ ୧୦ ଦିନ ଧରି ତଦନ୍ତ ଚଳାଇଥିଲା। ସେଥିରେ ବାରମ୍ବାର ସିସିଟିଭି ଫୁଟେଜ୍‌ ଦେଖିବା ସହ ୧୦୦ରୁ ଊର୍ଧ୍ୱ ଜଣଙ୍କୁ ପଚରାଉଚରା କରିଥିଲା। ମାତ୍ର ସେ ସମୟରେ ଏସ୍‌ଆଇଟି ଯାହାକୁ ମୁଖ୍ୟ ସାକ୍ଷୀ ଭାବେ ଗଣନା କରୁଥିଲା ସେହି ଏକାଦଶ ଶ୍ରେଣୀର ଛାତ୍ର ଏବେ ସିବିଆଇ ଦ୍ୱାରା ହତ୍ୟା ଅଭିଯୋଗରେ ଗିରଫ ହୋଇଛି ।

ଏ ସଂପର୍କରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି, ‘ସରକାର ଏହି ହତ୍ୟା ମାମଲାକୁ ଅଣଦେଖା କରୁନାହାନ୍ତି। ମାତ୍ର ତଦନ୍ତ କାର୍ଯ୍ୟ ସଂପୂର୍ଣ୍ଣ ରୂପେ ଗୁରୁଗ୍ରାମ ପୁଲିସ୍‌ର।’

ହତ୍ୟା ମାମଲାରେ ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କୁ ଗିରଫ କରିଥିବା ସବ୍‌ ଇନ୍‌ସ୍ପେକ୍ଟରଙ୍କୁ ପଚରା ଯିବାରୁ ସେ ଏ ସଂପର୍କରେ ମତ ରଖିବାକୁ ମନା କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା କୁନି ବାଳକ ପ୍ରଦ୍ୟୁମ୍ନର ମୃତଦେହ ଗୁରୁଗ୍ରାମରେ ଥିବା ରେୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପରିସରରେ ମିଳିଥିଲା। ସ୍କୁଲ୍‌ ପରିସରରେ ପ୍ରଦ୍ୟୁମ୍ନର ମୃତ ଶରୀର ମିଳିବା ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍‌କୁ ପଠାଯାଇଥିଲା। ପ୍ରଦ୍ୟୁମ୍ନର ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ତା’ର ବେକକୁ କେହି ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରିଛି। ଏହି ମାମଲାରେ ରିୟାନ୍‌ ଇଣ୍ଟରନେସନାଲ୍‌ ସ୍କୁଲ୍‌ର ବସ୍‌ କଣ୍ଡକ୍ଟରଙ୍କୁ ପୁଲିସ୍‌ ଗିରଫ କରିଥିଲା। ସୁରକ୍ଷା ମାନଦଣ୍ଡର ଉଲଂଘନ କରିଥିବାରୁ ସ୍କୁଲ୍‌ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଗିରଫ ପର ଦିନ କଣ୍ଡକ୍ଟର ଅଶୋକ କୁମାର ନିଜେ ପ୍ରଦ୍ୟୁମ୍ନର ହତ୍ୟା କରିଥିବା କଥା ସ୍ୱୀକାର କରିଥିଲେ। ମାତ୍ର ଏହାକୁ ଅବିଶ୍ୱାସ କରିଥିଲେ ପ୍ରଦ୍ୟୁମ୍ନର ବାପା। କଣ୍ଡକ୍ଟର ତାଙ୍କ ପୁଅର ହତ୍ୟା କରିବାର କୌଣସି କାରଣ ନାହିଁ ବୋଲି କହିବା ସହ ତାଙ୍କ ପୁଅର ହତ୍ୟା କରିବା ପାଇଁ ଏହା ହେଉଛି କାହାର ଷଡ଼ଯନ୍ତ୍ର ବୋଲି ପ୍ରକାଶ କରିଥିଲେ। କିଛି ଦିନ ପରେ ଏହି ମାମଲା ସିବିଆଇକୁ ଦିଆଯାଇଥିଲା। ସିବିଆଇ ମାମଲାର ତଦନ୍ତ କରି ସେହି ସ୍କୁଲ୍‌ରେ ଏକାଦଶ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର