ନାଗପୁରରେ ପହଞ୍ଚିଲେ ପ୍ରଣବ ମୁଖାର୍ଜୀ, ଆସନ୍ତା କାଲି ତାଙ୍କ ଭାଷଣ ଉପରେ ରହିବ ସମସ୍ତଙ୍କ ନଜର

ନାଗପୁର : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ( ଆରଏସଏସ)ର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କିଛି ସମୟ ପୂର୍ବେ ନାଗପୁରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ତାଙ୍କୁ ସଂଘ ପକ୍ଷରୁ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଆସନ୍ତା କାଲି ହେବାକୁ ଥିବା ଆରଏସଏସର ଏକ ବାର୍ଷିକ କାର୍ଯ୍ୟକ୍ରମ ‘ତୃତୀୟ ବର୍ଷ ବର୍ଗ’ରେ ସେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିବେ । ତେବେ ନିଜ ଭାଷଣରେ ପ୍ରଣବ ଦା କଣ କହିବେ ତାହା ଉପରେ ସାରା ଦେଶର ଆଖି ରହିଛି । କାରଣ ସେ ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସ୍ୱୀକୃତି ପ୍ରଦାନ କରିବାକୁ ନେଇ ଏକ ବିବାଦ ସୃଷ୍ଟି ହୋଇଛି । ଏହି କାର୍ଯ୍ୟକ୍ରମକୁ ବାତିଲ କରିବାକୁ କଂଗ୍ରେସ ତାଙ୍କୁ ଅନୁରୋଧ କରିଛି । ଆରଏସଏସର ବିଚାରଧାରା କଂଗ୍ରେସର ଆଦର୍ଶର ବିପରୀତ । ଏଣୁ ଆଜୀବନ କଂଗ୍ରେସରେ ରହିଥିବା ପ୍ରଣବ ଦା ଆରଏସଏସ ବୈଠକରେ ଯୋଗ ଦେବା ଉଚିତ ନୁହେଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ପ୍ରଣବଙ୍କୁ ନିମନ୍ତ୍ରଣ କରି ଆରଏସଏସ ନିଜର କଠୋରପନ୍ଥୀ ଭାବମୂର୍ତ୍ତିକୁ ବଦଳାଇବାକୁ ଉଦ୍ୟମ କରୁଛି । ତେବେ ଆସନ୍ତା କାଲି ସେ କଣ କହିବେ ତାହା ଉପରେ ସାରା ଦେଶର ନଜର ରହିବ ।

ସମ୍ବନ୍ଧିତ ଖବର